ଭୁବନେଶ୍ୱର: ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଦେଲେ ମିଳିତ ବିରୋଧୀଦଳ । ଗାନ୍ଧିଜୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧି ଏହି ପଦ ପାଇଁ ନିର୍ବାଚନ ଲଢିବେ ବୋଲି ବିଦ୍ଧିବଦ୍ଧ ବାଜିଲା ମୋହର । ତେବେ ରାଷ୍ଟ୍ରପତି ପ୍ରାର୍ଥିଙ୍କ ଭଳି ବିଜେଡି ଏନଡିଏ ପଟକୁ ଢଳିବ ନା ୟୁପିଏ ପଟକୁ ତାକୁ ନେଇ ଆରମ୍ଭ ହୋଇଛି ବିତର୍କ । କାରଣ ଏଥର ୟୁପିଏ ଗାନ୍ଧିଙ୍କ ନାଁ ଆଗୁଆ ଘୋଷଣା କରିଛି । ତେଣୁ ବିଳମ୍ବ ପ୍ରଶ୍ନ ଆଉ ଉଠିବ ନାହିଁ । ସେପଟେ ରାଷ୍ଟ୍ରପତି ପ୍ରାର୍ଥି ରାମନାଥ କୋବିଦ ୧୪ରେ ଓଡିଶା ଆସୁଥିଲେ ହେଁ ବିଜେଡି-ବିଜେପି ବିଧାୟକ ଓ ସାଂସଦ ଏକାଠି ନବସି ଅଲଗା ଅଲଗା କୋବିନ୍ଦଙ୍କ ସହ କଥା ହେବେ ବୋଲି ଜଣାପଡୁଛି
ଉପରାଷ୍ଟ୍ରପତି ନିର୍ବାଚନରେ କଣ ହେବ ବିଜେଡିର ଷ୍ଟାଣ୍ଡ । କାରଣ ରାଷ୍ଟ୍ରପତି ପ୍ରାର୍ଥି ଦେବାରେ କଂଗ୍ରେସ ଲେଡ୍ ୟୁପିଏ ବିଳମ୍ବ କରିଦେଲା କହି ବିଜେଡି ଏନଡିଏ ଆଡ଼କୁ ଢଳିଲା। ଏବେ ଉପରାଷ୍ଟ୍ରପତି ପଦବୀ ପାଇଁ ଗୋପାଳ କୃଷ୍ଣ ଗାନ୍ଧିଙ୍କ ନାଁକୁ ବେଶ୍ ଆଗରୁ ଘୋଷଣା କରିଛନ୍ତି ମିଳିତ ବିରୋଧୀ ଦଳ। ଗାନ୍ଧିଙ୍କ ନାତି, ପୂର୍ବତନ ପ୍ରଶାସନ, ଉଚ୍ଚଶିକ୍ଷିତ, ପୂର୍ବତନ ରାଜ୍ୟପାଳ। ବହୁ ଆଗରୁ ବି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏପରିକି ତାଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥି ପାଇଁ ବି ବିଚାର କରାଯାଉଥିଲା । ତେଣୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏବେ ବିଜେପି ସାଥିରେ ଯିବ ନା ଆଗୁଆ ଘୋଷଣା କରାଯାଇଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବ। ତାହାହିଁ ପ୍ରଶ୍ନ । କଂଗ୍ରେସ ବେଳକାଳ ଦେଖି ବିଜେଡି ଆଡକୁ ଫିଙ୍ଗିଛି ଗୁଗଲି । ଆଉ ବିଜେଡି ଅପେକ୍ଷା କରିଛି ନବୀନଙ୍କ ନିର୍ଦେଶ କଣ ଆସୁଛି ।
ସେପଟେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବି ବିଜେଡି- ବିଜେପି ଭିତରେ ଛକାପଞ୍ଛା ଜାରି । ୧୪ ତାରିଖରେ ପ୍ରଚାର ପାଇଁ ଏନଡିଏ ପ୍ରାର୍ଥି ରାମନାଥ କୋବିନ୍ଦ ଓଡିଶା ଆସିବେ । ବିଜେଡି ବିଧାୟକ ଓ ମନ୍ତ୍ରୀ ତାଙ୍କୁ ଏୟାର ପୋର୍ଟରୁ ପାଛୋଟି ଆଣିବେ । ବିଜେପି ନେତା ବି ରହିବେ । କିନ୍ତୁ ଏକାଠି ବିଜେଡି ବିଜେପିର ସାଂସଦ ଓ ବିଧାୟକଙ୍କ ସହ ସେ ଆଲୋଚନା କରିବେ ନାହିଁ । ଏମିତିକି ନବୀନ ନିବାସରେ କୋବିନ୍ଦ ଲଞ୍ଚମଧ୍ୟ କରିପାରନ୍ତି ବୋଲି କୁହାଯାଉଛି । ହେଲେ କାଳେ ଲୋକଙ୍କ ପାଖକୁ ବାର୍ତ୍ତା ଯିବ ରାଷ୍ଟ୍ରପତି ନିର୍ବାଚନ ଆଳରେ ବିଜେଡି-ବିଜେପି ପରସ୍ପର ଆଡ଼କୁ ଢଳୁଛନ୍ତି, ସେଥିପାଇଁ ଦୁଇଦଳର ନେତାଙ୍କୁ ଅଲଗା ଅଲଗା ଭେଟିବେ କୋବିଦ ।
କୁହାଯାଉଛି ରାଷ୍ଟ୍ରପତି ନିର୍ବାଚନରେ ବିଜେପି ଦଳିତ କାର୍ଡ ଖେଳିବା ପରେ ଉପରାଷ୍ଟ୍ରପତି ନିର୍ବାଚନରେ ଆଦିବାସୀ କାର୍ଡ ଖେଳିପାରେ । ଯଦି ଏହି କ୍ରମରେ ଓଡିଶାର ଆଦିବାସୀ ଝିଅ, ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାଁ ଆସେ ତାହାଲେ ବିଜେଡି ପାଇଁ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନର ଉତ୍ତର ମିଳିଯିବ। ଏମିତିକି ଓଡିଶା ରାଜ୍ୟପାଳ ଏସ୍.ସି. ଜମିର ଙ୍କ ନାଁ ଉପରେ ମୋହର ବାଜିଲେ ବି ନୀତିଶ କୁମାରଙ୍କ ଷ୍ଟାଇଲରେ ବିଜେଡି ଆଭିମୁଖ୍ୟ ରକ୍ଷା କରିପାରିବ। ଏବେ ନଜର ନବୀନ ଉପରାଷ୍ଟ୍ରପତି ନିର୍ବାଚନରେ କେଉଁଆଡକୁ ଢଳୁଛନ୍ତି ।
