କଟକରେ ସପିଙ୍ଗ୍ ମଲରେ ଅଗ୍ନିକାଣ୍ଡ: ଲକ୍ଷାଧିକ ସମ୍ପତ୍ତି ଭସ୍ମିଭୂତ, ନିଆଁକୁ ଆୟତ୍ତ କଲେ୧୯ଟି ଦମକଳ ବାହାନୀ

କଟକ : କଟକ ବାଦାମବାଡିସ୍ଥିତ ଲାଇଫ୍ ଷ୍ଟାଇଲ୍‌ ବିଲ୍‌ଡିଂରେ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଦୀର୍ଘ ସାଢେ ଚାରି ଘଣ୍ଟାର ପରିଶ୍ରମ ଫଳରେ ଉଭୟ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ଏହି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ତେବେ ଏଥିରେ କୌଣସି ଧନଜୀବନ ହାନି ହୋଇନଥିବା ବେଳେ କୋଟି କୋଟି ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଏପରିକି ପାଖରେ ଥିବା ଗୀତା ଫେସନ୍‌ ବିଲ୍‌ଡିଂ ଓ ଏକ ହୋଟେଲର କିଛି ଅଂଶ ଏଥିଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ।

ସମୟ ସକାଳ ପ୍ରାୟ ସାଢେ ୧୧ଟା….ସେତେବେଳକୁ କଟକର ବାଦାମବାଡିସ୍ଥିତ ଲାଇଫ୍ ଷ୍ଟାଇଲ୍‌ କୋଠାରେ ଲାଗିସାରିଥିଲା ନିଆଁ । କାରଣ ଖୋଜୁ ଖୋଜୁ ନିଆଁ ସବୁଆଡେ ବ୍ୟାପିଯାଇଥିଲା….ଭିତରେ ଥିବା କର୍ମଚାରୀମାନେ କୌଣସିମତେ ପଦାକୁ ପଳାଇଆସି ପ୍ରଥମେ ଫାୟାର ଅଫିସ୍ ଓ ପରେ ସ୍ଥାନୀୟ ଥାନାକୁ ଏନେଇ ଜଣାଇଥିଲେ…ପରେ କିଛି ସମୟ ପରେ ବାଦାମବାଡିର ଏହି ଅଞ୍ଚଳ ଲୋକାରଣ୍ୟ ହୋଇପଡିଥିଲା । ଦେଖୁ ଦେଖିୁ ନିଆଁ ସମ୍ପୃକ୍ତ କୋଠାର ସବୁଆଡକୁ ବ୍ୟାପିଯାଇଥିଲା….କୋଟି କୋଟି ଟଙ୍କାର ସମ୍ପତ୍ତି ଆଖି ପିଛୁଳାକେ ପାଉଁଶ ପାଲଟି ଯାଇଥିଲା ।

ତେବେ ପ୍ରାୟ ୧୯ଟି ଦମକଳ ଓ ଦେଢଶହରୁ ଊର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏମାନଙ୍କୁ ପରେ ସାଥ୍ ଦେଇଥିଲା ଓଡ୍ରାଫ୍‌ ଟିମ୍‌ର ବଛା ବଛା କୋଡିଏ ଜଣ କର୍ମଚାରୀ । ପ୍ରାୟ ସାଢେ ଚାରି ଘଣ୍ଟାର ପରିଶ୍ରମ ପରେ ନିଆଁ ଥମିଥିଲା । କିନ୍ତୁ ଧୂଆଁ ବାହାରୁଥିବାରୁ ସନ୍ଦେହ ଦୂର ହୋଇ ପାରିନଥିଲା । ଏପରିକି ଅଗ୍ନିଶମ ବିଭାଗ କର୍ମଚାରୀମାନେ ମୁହଁରେ ମାସ୍କ ପିନ୍ଧି କୋଠା ଭିତରକୁ ଯାଇ ଯାଞ୍ଜ କରିଥିଲେ । ଶେଷରେ କୋଠାର ତୃତୀୟ ମହଲାରେ ଥିବା ଷ୍ଟୋର ରୁମ୍‌ର କାନ୍ଥ ତଡାଯାଇ ନିଆଁ ଅଛି କି ନାହିଁ ପରୀକ୍ଷା କରାଯାଇଥିଲ । ତେବେ ଉଭୟ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର କଠିନ ପରିଶ୍ରମ ଫଳରେ ନିଆଁକୁ ଶେଷରେ ଆୟତ୍ତ କରାଯାଇପାରିଥିଲା । ସମ୍ପୃକ୍ତ ଲାଇଫ୍ ଷ୍ଟାଇଲ୍‌ କୋଠାର ଫାୟାର ସେଫ୍ଟି ଲାଇସେନ୍ସ ନଥିବା ଜଣାପଡିଛି । ଏପରିକି ନିଆଁ ଲାଗିଲେ ଦରକାରୀ ଏକ୍ସଟିଙ୍ଗ୍ୟୁସର ବି ଅଭାବ ଦେଖାଯାଇଥିବା ଅଗ୍ନିଶମ ବିଭାଗର ଅଧିକାରୀମାନେ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛନ୍ତି ।

Leave A Reply

Your email address will not be published.