କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ସବୁଠି ନିଆଁ, ସବୁ ଠପ୍

ଭୁବନେଶ୍ୱର: ସାରା ରାଜ୍ୟରେ କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପରର ନିଆଁ। କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଯେଉଁ ଆକ୍ରାଶ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି, ତାର ପ୍ରତିଫଳନ ଆଜି ବନ୍ଦ ସମୟରେ ଦେଖିବାକୁ ମିଳିଛି। ସାରା ରାଜ୍ୟରେ ବ୍ୟାପିବାରେ ଲାଗିଛି କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପରର ନିଆଁ। ଘଟଣାର ସିବିଆଇ ତଦନ୍ତ ଓ ରାଜ୍ୟ ସରକାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦେଇଛନ୍ତି ରଣହୁଙ୍କାର। କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିବା ବେଳେ ବିଜେପି କରିଛି ହରତାଳ। ସବୁଠି ଜୀବନଯାତ୍ରା ଠପ୍ ହୋଇଯାଇଥିଲା। ସାରା ରାଜ୍ୟରେ ଚକଅଖ, ଦୋକାନ ବଜାର, ଶିକ୍ଷାନୁଷ୍ଠାନ ସବୁ ବନ୍ଦ। ଏମିତିକି ପୀଡିତାଙ୍କ ନିଜ ଗାଁ ଓ ଜିଲ୍ଲାରେ ବି ଦେଖିବାକୁ ମିଳିଛି ବନ୍ଦର ଜୋରଦାର ପ୍ରଭାବ।
କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜଧାନୀରେ ରଣହୁଙ୍କାର ଦେଇଥିଲେ ଉଭୟ କଂଗ୍ରେସ ଓ ବିଜେପି। ୧୨ ଘଣ୍ଟିଆ ବନ୍ଦ ଓ ହରାତଳ ଯୋଗୁଁ ଏଠି ଦେଖିବାକୁ ମିଳିଥିଲା ନାକାବନ୍ଦୀ ପରିସ୍ଥିତି। ବ୍ୟସ୍ତବହୁଳ ମାଷ୍ଟର କ୍ୟାଣ୍ଟିନ ହେଉ ବା ଜୟଦେବ ବିହାର ଛକ ଅବା ରସୁଲଗଡ଼ କେଉଁଠି ଟାୟାର ଜାଳି ରାସ୍ତା ଅବରୋଧ ତ ଆଉ କେଉଁଠି ପିକେଟିଂ। ପୂରା ଠପ୍ ହୋଇଯାଇଥିଲା ରାଜଧାନୀ ଚକ ଅଖ, ଦୋକାନ ବଜାର, ସ୍କୁଲ, କଲେଜ। ବନ୍ଦ ଯୋଗୁଁ ସରକାରୀ ଗାଡ଼ି ଛାଡ଼ି ଆଜି ସଚିବମାନେ ସେମାନଙ୍କ ଡ୍ରାଇଭରଙ୍କ ବାଇକ୍‌ ପଛରେ ବସି ସଚିବାଳୟରେ ପହଞ୍ଚୁଥିବା ଦେଖିବାକୁ ମିଳିଛି।
କୁନ୍ଦୁଲି ପୀଡ଼ିତାଙ୍କ ନିଜ ଗାଁ ସାଙ୍ଗକୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବି ଦେଖିବାକୁ ମିଳିଥିଲା ବନ୍ଦ ଓ ହରତାଳରର ପ୍ରଭାବ। ପୀଡିତାଙ୍କୁ ନ୍ୟାୟ ପାଇଁ ରାସ୍ତାରୋକ କରିଥିଲେ କୁନ୍ଦୁଲିବାସୀ। ସେହିପରି ଜୟପୁରରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରାସ୍ତାରୋକ କରିଥିବାବେଳେ କୋରାପୁଟରେ ବିଜେପି ନେତା ଜୟରାମ ପାଙ୍ଗିଙ୍କ ନେତୃତ୍ୱରେ ହୋଇଥିଲା ହରତାଳ।
ସେପଟେ ବିରୋଧୀଙ୍କ ପ୍ରତିବାଦ ଉପରେ ପ୍ରତିକ୍ରିୟା ରଖି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସରକାର ପ୍ରତିଶୃତିବଦ୍ଧ।
ରାଜ୍ୟର ଅନ୍ୟ ସମସ୍ତ ପ୍ରମୁଖ ସହରରେ ବି ଦେଖିବାକୁ ମିଳିଥିଲା ବନ୍ଦ ଓ ହରତାଳର ପ୍ରଭାବ। କଟକ, ବ୍ରହ୍ମପୁର, ପୁରୀ, ରାଉରକେଲା, ସମ୍ବଲପୁର, ବାରିପଦା, ଖୋର୍ଦ୍ଧା, ବଲାଙ୍ଗିର ଓ ନୟାଗଡ଼ରେ ରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ ଓ ବିଜେପି କର୍ମୀ। ବନ୍ଦ ପାଳନ ବେଳେ କିଛି ସ୍ଥାନରେ ମାରପିଟ ଓ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.