ଭୁବନେଶ୍ବର:ଆଉ ଦିନକ ପରେ ଏସିଆନ ଆଥଲେଟିକ ଚାମ୍ପିଅନସିପ । ପୁରା ସ୍ପୋର୍ଟସ୍ ଲୁକରେ ରାଜଧାନୀ । ବିଭିନ୍ନ ଦେଶରୁ ଆସିଥିବା ଖେଳାଳିଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଏବେ ସୁଦ୍ଧା ୧୧ ଦେଶର ଖେଳାଳି ପହଞ୍ଚି ସାରିଲେଣି । ଆଜି ରାତିରେ ପାକିସ୍ତାନର ଖେଳାଳି ପହଞ୍ଚିବେ । ଖେଳାଳିମାନଙ୍କ ବୁଲିବା ପାଇଁ ସୌଖୀନ ବସ୍ ସହ ମନ ମୁତାବକ ଖାଦ୍ୟ ପାଇଁ ବ୍ୟବସ୍ଥା ହୋଇଛି ।ଏଥିସହ ଖେଳାଳି ଓ ସୁରକ୍ଷା ବ୍ୟବସ୍ଥା ଉପରେ ବି ରହିବ କଡା ନଜର ।
ଏସିଆନ୍ ଆଥଲେଟିକ୍ସ ପାଇଁ ଆଉ ଦିନଟିଏ। ରାଜଧାନୀରେ ଏବେ କ୍ରୀଡ଼ା ଉତ୍ସବର ମାହୋଲ । ଆଜି ଚୀନ, ତାଇପେଇ, ଜାପାନ, ଫିଲିପାଇନସ, ଭୁଟାନର ଆଥେଲେଟ ଭୁବନେଶ୍ବରରେ ପହଞ୍ଚଛନ୍ତି । ୧୧ଟି ଦେଶର ଖେଳାଳି ପହଞ୍ଚି ସାରିଲେଣି । ମୋଟ୍ ୪୫ ଟି ଦେଶରୁ ପାଲେଷ୍ଟାଇନ୍ ଓ ତୁର୍କେମେନିସ୍ତାନକୁ ଛାଡି ୪୩ଟି ଦେଶ ଅଂଶଗ୍ରହଣ କରିବେ। ସେପଟେ ଭାରତର ପୂର୍ବତନ ସ୍ପ୍ରିଣ୍ଟର କୁଇନ୍ ପିଟି ଉଷା ବି ଭୁବନେଶ୍ବରରେ ପହଞ୍ଚିଛନ୍ତି ।
ସେପଟେ ଓପନିଂ ସେରିମନିକୁ ଆକର୍ଷଣୀୟ କରିବା ପାଇଁ ଫାଇନାଲ୍ ରିହରସଲ୍ରେ ବ୍ୟସ୍ତ କଳାକାର । ଅରୁଣା ମହାନ୍ତିଙ୍କ ଦୁଇଟି ଗ୍ରୁପ ଓଡିଶୀ ଓ ପାଇକ ନୃତ୍ୟ ପରିବେଷଣ କରିବେ। ପ୍ରିନସ ଗ୍ରୁପର ପରଫରମାନସ୍ ବି ଦେଖିବାକୁ ମିଳିବ। ସେହିଭଳି ମାଲେସିଆ ଓ ଥାଉଜାଣ୍ଡ ହ୍ୟାଣ୍ଡସ ଗ୍ରୁପ୍ ବି ନୃତ୍ୟ ପରିବେଷଣ କରିବେ । ଏହି ଗ୍ରୁପର କଳାକାର ଜୋରଦାର ପ୍ରସ୍ତୁତି କରୁଛନ୍ତି । ସେପଟେ ଅତିଥି ଦେବୋ ଭବକୁ ସାକାର କରିବା ଲାଗି ସଜାଗ ରାଜ୍ୟ ସରକାର । ଖେଳାଳିଙ୍କ ଯିବା ଆସିବା ପାଇଁ ତେଲେଙ୍ଗାନାରୁ ଆସିଛି ଦୁଇଟି ମର୍ସିଡେଜ। ଓଡ଼ିଶା ପର୍ଯ୍ୟଟନ ବିଭାଗର ୧୮୦ରୁ ଅଧିକ ଗାଡିକୁ ବ୍ୟବହାର କରାଯିବ । ଖାଳି ଖେଳ ନୁହେଁ ଖେଳାଳିମାନେ ବି ବୁଲିବେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ। ୫ ତାରିଖରେ ଉଦ୍ଘାଟନୀ ଉତ୍ସବ। ଏବେ ଭୁବନେଶ୍ବର କଡା ସୁରକ୍ଷା ବଳ ରେ ରହିଛି ।
