ଇସଲାମବାଦ : ପାକିସ୍ତାନରେ ଆସନ୍ତା ୨୫ରେ ହେବାକୁ ଥିବା ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବଡ଼ ଧରଣର ନିର୍ବାଚନୀ ହିଂସାକାଣ୍ଡ ଘଟିଛି । ୨ଟି ନିର୍ବାଚନୀ ରାଲିରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୩୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୮୦ରୁ ଅଧିକ ଆହତ ହୋଇଛନ୍ତି । ବାଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ୍ ଅଞ୍ଚଳରେ ବାଲୁଚିସ୍ତାନ ଆୱାମୀ ପାର୍ଟି ନେତା ସିରାଜ ରାଇସାନିଙ୍କ ରାଲିରେ ତାଙ୍କୁ ଆତଙ୍କୀମାନେ ଟାର୍ଗେଟ୍ କରି ବିସ୍ଫୋରଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୱେଟାକୁ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ସିରାଜ ରାଇସାନି ହେଉଛନ୍ତି ବାଲୁଚିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ନୱାବ ଅସ୍ଲାମ୍ ରାଇସାନିଙ୍କ ଭାଇ । ବୋମା ବିସ୍ଫୋରଣକାରୀ ସ୍କ୍ୱାଡ୍ ଅଧିକାରୀମାନେ ଏହାକୁ ଆତ୍ମଘାତୀ ବିସ୍ଫୋରଣ ବୋଲି କହିଛନ୍ତି । ଏଥିରେ ୧୬-୨୦ କିଗ୍ରା ବିସ୍ଫୋରକ ବ୍ୟବହାର ହୋଇଛି । ଏହି ବିସ୍ଫୋରଣରେ ସିରାଜ ରାଇସାନିଙ୍କ ସମେତ ଅନ୍ୟୂନ ୧୨୭ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି । ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଆଉ ଏକ ରାଲିରେ ବୋମା ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୬ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୩୭ରୁ ଅଧିକ ଆହତ ହୋଇଛନ୍ତି । ଏଥିରେ ପୂର୍ବତନ ସଂଘୀୟ ମନ୍ତ୍ରୀ ତଥା ଜମାତ୍ ଉଲ୍ଲେମା-ଇ-ଇସ୍ଲାମ୍ – ଫଜଲ୍ ନେତା ଆକ୍ରମ୍ ଦୁରାନି ଆହତ ହୋଇଛନ୍ତି । ଉତ୍ତର ୱଜିର୍ସ୍ତାନ ଅନ୍ତର୍ଗତ ବନ୍ନୁ ଜିଲ୍ଲାରେ ଏହି ବିସ୍ଫୋରଣ ଘଟିଛି । ଏକ ମୋଟରସାଇକେଲରେ ବୋମା ଖଞ୍ଜା ଯାଇଥିଲା ଏବଂ ଦୁରାନିଙ୍କ ଗାଡ଼ି ପାଖରେ ବିସ୍ଫୋରଣ ଘଟିଥିଲା ।
