ପିପିଲି ଦାନଗୋହିର ଗାଁରେ ଚାଞ୍ଚଲ୍ୟ , ଶୋଇଥିବା ବେଳେ ଘରେ ନିଆଁ ଲଗାଇ ୨ ଜଣଙ୍କୁ ହତ୍ୟା

ପିପିଲି : ପିପିଲି ଦାନଗୋହିର ଗାଁରେ ଚାଞ୍ଚଲ୍ୟ । ଶୋଇଥିବା ବେଳେ ଘରେ ନିଆଁ ଲଗାଇ ୨ ଜଣଙ୍କୁ ହତ୍ୟା କରାଯାଇଛି । ଏଥିରେ ଜଣେ ଗୁରୁତର ଅଛନ୍ତି । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।
ନିଆଁରେ ପୋଡି ବିଭତ୍ସ ହତ୍ୟା । ନୃଶଂସତାର ସବୁ ସୀମା ଟପିଯାଇଛି ଦୃର୍ବୃତ୍ତ । ରାତି ପାଖାପାଖି ୧୨ଟା । ଘର କବାଟ ବନ୍ଦ କରି ଶୋଇଥିଲେ ପିପିଲି ଦାନଗୋହିର ଗାଁର ମହମ୍ମଦ ଅବୁଲ, ତାଙ୍କ ପତ୍ନୀ ରହିମା ବିବି ଓ ନବମ ଶ୍ରେଣୀରେ ପଢୁଥିବା ସାନ ଝିଅ ନଜମା ପରୱିନ୍ । ହଠାତ ଘର ଜଳିଉଠିଥିଲା। ଚିତ୍କାର କରିଥିଲେ ସମସ୍ତେ । ଏମାନଙ୍କ ପାଟିଶୁଣି ପଡିଶା ଓ ସ୍ଥାନୀୟ ଲୋକେ ଘର କବାଟ ଖୋଲି ଏମାନଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ପିପିଲି ଓ ପରେ କ୍ୟାପିଟାଲ୍ ହସ୍ପିଟାଲରେ ଏମାନଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ମହମ୍ମଦ ଓ ଝିଅ ନଜମାଙ୍କ ମୃତ୍ୟୁ ହୋଇଛି । ସଂକଟାପନ୍ନ ଅବସ୍ଥାରେ ମା ରହିମାଙ୍କୁ କଟକ ଏସ୍ସିବି ସ୍ଥାନନ୍ତର କରାଯାଇଛି ।
ନିଆଁ ଲାଗିବା ବେଳେ ବାହାରପଟ କବାଟ ବନ୍ଦ ଥିଲା । ଯୋଜନାବଦ୍ଧ ଭାବେ ଅବୁଲ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର କରାଯାଇଛି। ଘର ଭିତରକୁ ପେଟ୍ରୋଲ ଫୋପାଡି ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଅବୁଲ ପରିବାରକୁ ହତ୍ୟା କରିବାକୁ କିଏ ଷଡ଼ଯନ୍ତ୍ର କରିଥିବ? ଅଭିଯୁକ୍ତଙ୍କ ଗିରଫ କର, ମୃତକଙ୍କ ପରିବାରକୁ କ୍ଷତିପୁରଣ ଦିଅ, ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତୁ, ଏମିତି କିଛି ଦାବି କରି ସ୍ଥାନୀୟ ଲୋକେ ପିପିଲି-ଜଟଣୀ ରାସ୍ତା ଅବରୋଧ କରିଥିଲେ । ସେପଟେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ଖିଅ ଖୋଜିବାକୁ ଚେଷ୍ଟା ଚଳାଇଛି ।
ଶୋଇଥିବା ଅବସ୍ଥାରେ ନିଆଁ ଲଗାଇ ପୋଡି ମାରିବା ଭଳି ନୃଶଂସ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Leave A Reply

Your email address will not be published.