ବଜେଟ ଅଧିବେଶନ ଆରମ୍ଭ: ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଗୋଲାପୀ ଚିତ୍ର, କକ୍ଷ ତ୍ୟାଗ କଲା କଂଗ୍ରେସ

ଭୁବନେଶ୍ୱର: ଆରମ୍ଭ ହୋଇଛି ଓଡିଶା ବିଧାନସଭାର ବଜେଟ୍‌ ଅଧିବେଶନ। ମେ ମାସ ୫ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ବଜେଟ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି। ରାଜ୍ୟପାଳ ଡ.ଏସ.ସି. ଜମୀରଙ୍କ ଅଭିଭାଷଣରୁ ପଞ୍ଚଦଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମେ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଥିଲା । ଏହା ପରେ ଅଧିବେଶନ ଆରମ୍ଭ ହୋଇଥିଲା । ରାଜ୍ୟପାଳ ଦିବଙ୍ଗତ ଯବାନ ଓ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଅନ୍ୟପକ୍ଷରେ ବିରୋଧୀ ଦଳ କଂଗ୍ରେସ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଛି । ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାର ଗୋଲାପୀ ଚିତ୍ର ଦେଇଥିବା କହିଛି କଂଗ୍ରେସ ।
ରାଜ୍ୟପାଳ କହିଛନ୍ତି, ଆନ୍ତରାଜ୍ୟ ନଦୀ ବିବାଦ ଅଧିନିୟମ, ୧୯୫୬ ଅନୁସାରେ ବର୍ତମାନ କେନ୍ଦ୍ର କ୍ୟାବିନେଟ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିଛନ୍ତି, ଯାହା ଦ୍ୱାରା ଓଡିଶାବାସୀ ନ୍ୟାୟସଙ୍ଗତ ଭାବେ ମହାନଦୀରୁ ସେମାନଙ୍କର ଜଳର ନ୍ୟାର୍ଯ୍ୟ ଭାଗ ପାଇବା ଦିଗରେ ଆଶ୍ୱସ୍ତ ହୋଇଛନ୍ତି । ଦୁର୍ନୀତି ମୁକ୍ତ ଶାସନ ବ୍ୟବସ୍ଥା ଦେବା ପାଇଁ ଥ୍ରୀ ଟି ଯଥା ଟିମ ୱାର୍କ, ଟେକ୍ନୋଲୋଜି ଓ ଟ୍ରାନସପାରେନ୍ସି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଓଡିଆ ଭାଷାର ସୁରକ୍ଷା ପ୍ରଚାର, ପ୍ରସାର ଏବଂ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଭାଷା ଆୟୋଗ ଗଠନ ହୋଇଛି । ଅବମାନନା ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ ହୋଇଛି । ମୋ ସ୍କୁଲ ଯୋଜନା ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି । ମୋ ଗାଁ – ମୋ ବିକାଶ ଯୋଜନାରେ ଗ୍ରାମାଂଚଳ ବିକାଶରେ ରହିଥିବା ବ୍ୟବଧାନକୁ ହ୍ରାସ କରାଯାଇ ପାରିବ । ୯୦ ଦିନ ମଧ୍ୟରେ ବିଶ୍ୱ ସ୍ତରୀୟ ଭିତିଭୂମି ସୃଷ୍ଟି କରି ୨୨ ତମ ଏସିଆନ ଆଥଲେଟିକ୍ସ ଚମ୍ପିଆନସିପ ଭଳି ଏକ ବୃହତ ଉପଲବ୍ଧି ହାସଲ କରାଯାଇଛି । ରାଷ୍ଟ୍ରପତି ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ସରକାର କୃଷିର ଉନ୍ନତି ଓ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ଏକାଧିକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ୨୦୧୭-୧୮ରେ ଖାଦ୍ୟ ଶସ୍ୟ ଉତ୍ପାଦନ ୧୦୭ ଲକ୍ଷ ମେଟ୍ରିକ ଟନରେ ପହଂଚିବାର ଆକଳନ କରାଯାଇଛି ଏବଂ ୨୦୧୮-୧୯ ବର୍ଷରେ ଏହା ୧୨୨ ଲକ୍ଷ ମେଟ୍ରିକ ଟନରେ ପହଂଚାଇବାର ଯୋଜନା କରାଯାଇଥିବା ସେ କହିଛନ୍ତି । ୨୦୧୮-୧୯ ବର୍ଷରେ ୨ ହଜାର ଆଡିବନ୍ଧ ନିର୍ମାଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଆଦିବାସୀଙ୍କ ପାଇଁ ମୋ ସରକାର ୯ ଟି ଜିଲ୍ଲାରେ ସ୍ୱତନ୍ତ୍ର ଜନଜାତି ବିକାଶ ପରିଷଦ ଗଠନ କରିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବା ପରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ୨୩ ତାରିଖ ଦିନ ଚିଠା ବଜେଟ୍‌ ଆଗତ କରିବେ।

Leave A Reply

Your email address will not be published.