ବିଧାନ ସଭାରେ ଚାଷୀ ତାତି : ବିରୋଧିଙ୍କ କଡା ସମାଲୋଚନା କାଉଣ୍ଟର କରିପାରିନି ବିଜେଡି

ଭୁବନେଶ୍ବର : ଚାଷୀ ଓ ଚାଷ ସମସ୍ୟାକୁ ନେଇ ସରକାରଙ୍କୁ କଣଠେସା କରିଛନ୍ତି ବିରୋଧୀ । ବିରୋଧିଙ୍କ କଡା ସମାଲୋଚନାକୁ କାଉଣ୍ଟର କରିପାରିନି ଶାସକ ସଦସ୍ୟ ଓ କୃଷିମନ୍ତ୍ରୀଙ୍କ ଉତ୍ତର । ବିଧାନସଭାରେ ଚାଷୀ ସମସ୍ୟା ଉପରେ ମୁଲତବୀ ଆଣି ସରକାରଙ୍କ ପ୍ରତିଶୃତି କିଭଳି ପାଣିର ଗାର ହୋଇଛି ତାର ଉଦାହରଣ ଦେଇଛନ୍ତି । କହିଛନ୍ତି ଚାଷୀଙ୍କୁ ସରକାର ଭଣ୍ଡାଇ ଚାଲିଛନ୍ତି ।

ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାରଙ୍କ ତଥ୍ୟ କହୁଛି, ଧାନ ଉତ୍ପାଦନ ବଢିଛି। ଚାଷିଙ୍କ ଆୟ ଦୁଇଗୁଣା ହୋଇଛି । ରାଜ୍ୟରେ ସାମଗ୍ରିକ ଆର୍ଥିକ ଅଭିବୃଦ୍ଧି ହୋଇଛି। କିନ୍ତୁ ଚାଷୀଙ୍କର କିଛି ବି ଉନ୍ନତି ହୋଇନି ଏମିତି କିଛି ଚିତ୍ର ବଖାଣିଛନ୍ତି ବିରୋଧୀ। ଗୋଟିଏ ତଥ୍ୟ ରଖି ବିଧାନସଭାରେ ଗର୍ଜିଛନ୍ତି । ଚାଷି ଓ ଚାଷ ସମସ୍ୟା ପ୍ରସଙ୍ଗରେ ବିରୋଧୀ ଆଣିଥିଲେ ମୁଲତବୀ ପ୍ରସ୍ତାବ। ଅଭିଯୋଗ କରିଛନ୍ତି ରାଜ୍ୟରେ କେତେ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି ସଠିକ ତଥ୍ୟ ଦେଉନାହାନ୍ତି ସରକାର।  ପ୍ରତି ବ୍ଲକରେ ୩୫ ପ୍ରତିଶତ ଜମି ଜଳସେଚିତ କରିବାକୁ ୨୦୦୬ ରେ ପ୍ରତିଶୃତି ଦେଇଥିଲେ । କିନ୍ତୁ ନିଜ ପ୍ରତିଶ୍ରୁତି ରଖିନାହାନ୍ତି ସରକାର । ପୁରୀ ଓ କଟକରେ ଯେତିକି ଚାଷ ଜମି ଅଛି ତାହାଠୁ ଅଧିକ ଜମିକୁ କେମିତି ସରକାର ଜଳସେଚିତ କରିଥିବା ଦର୍ଶାଇଲେ ବୋଲି ପ୍ରଶ୍ନ କରିଛନ୍ତି।

ବିରୋଧିଙ୍କ ଦାବି, କାହିଁକି ସରକାର ଚାଷୀ ଆତ୍ମହତ୍ୟା ମାନୁନାହାଁନ୍ତି । ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା ଘୋଷଣା ହୋଇଥିଲେ ବି କେନ୍ଦ୍ର ଶୁଣୁନି କି ଏନେଇ ବିଧାନସଭା ସବକମିଟି ବସୁନି । ଏପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧିଦଳ ନେତା । ତେବେ ସରକାର ଗୃହରେ ଉତ୍ତର ରଖି କହିଛନ୍ତି ସରକାର ଚାଷିଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ସେଇଥିପାଇଁ ଉତ୍ପାଦନ ବଢୁଛି ଏବଂ ସରକାର ପୁରସ୍କୃତ ହେଉଛନ୍ତି । କିନ୍ତୁ କେନ୍ଦ୍ର ସରକାର ତାଙ୍କ ଦାୟିତ୍ବ ନିଭାଉ ନାହାଁନ୍ତି ।

ବିଧାନସଭା ଆରମ୍ଭରୁ ଚାଷି ସମସ୍ୟା ଉପରେ ବିରୋଧି ସରକାରଙ୍କୁ ଘେରିବେ ବୋଲି ସଂଙ୍କେତ ଦେଇଥିଲେ । ଚାଷି ସମସ୍ୟା ଆଲୋଚନା ବେଳେ ଗୃହରେ ଉପସ୍ଥିତ ଥିଲେ ୧୭ ବିଧାୟକ । ଉପସ୍ଥାନ କହୁଥିଲା ବାସ୍ତବରେ ଚାଷୀଙ୍କ ଦୁଃଖ ବୁଝିବାକୁ ସରକାର ଓ ବିରୋଧୀ କେତେ ସିରିୟସ ।

Leave A Reply

Your email address will not be published.