ଭୁବନେଶ୍ବର : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ତିନି ଟିକିଆ ଟି ଟ୍ବେଣ୍ଟି ସିରିଜ ଆରମ୍ଭ। ଦିନିକିଆ ସିରିଜକୁ ୫-୧ରେ ଜିତିବାପରେ ବିରାଟ ବାହିନୀଙ୍କ ମନୋବଳ ଦୃଢ ରହିଛି। ବିରାଟଙ୍କ କରିସ୍ମା ଯୋଗୁ ଭାରତ ଘରୋଇ ଦଳକୁ ମାତ୍ ଦେବା ସହିତ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ଦିନିକିଆ ସିରିଜକୁ ହାତେଇଛି। ଏବେ ଟି ଟ୍ବେଣ୍ଟି ସିରିଜକୁ ହାତେଇବାକୁ ଲକ୍ଷ୍ୟ ରଖିଛି ବିରାଟ ବାହିନୀ। ସେପଟେ ଭ୍ରମଣକାରୀଙ୍କ ଦଳଠୁ ଦିନିକିଆ ସିରିଜରେ ଶୋଚନୀୟ ପରାଜୟ ପରେ ଘରୋଇଦଳର ଆତ୍ମବିଶ୍ବାସକୁ ଧକ୍କା ଲାଗିଛି। ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ପାଇଁ ଆଜି ମଇଦାନକୁ ଓହ୍ଲାଇବ ଦକ୍ଷିଣ ଆଫ୍ରିକା। ଫଟାଫଟ ଫର୍ମାଟରେ ଦଳର ବହୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଦଳର ପ୍ରଦର୍ଶନକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଜେ ପି ଡୁମିନିଙ୍କ ନେତୃତ୍ବରେ ଗଠିତ ଯୁବ ଦଳ ବିରାଟ ଆଣ୍ଡ କମ୍ପାନୀଙ୍କୁ କଡା ଟକ୍କର ଦେବାକୁ ପୁରା ତୟାର। ତେବେ ବର୍ଷକ ପରେ ଜାତୀୟ ଦଳକୁ ଫେରିଥିବା ମିଡିଲ ଅର୍ଡର ବ୍ୟାଟସମ୍ୟାନ ସୁରେଶ ରାଇନାଙ୍କ ଉପରେ ରହିବ ସମସ୍ତଙ୍କ ନଜର। ଦିନିକିଆ ସିରିଜରେ ନାକେଦମ କରିଥିବା ଭାରତୀୟ ରିଷ୍ଟ ସ୍ପିନର ଯୋଡିକୁ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସମ୍ୟାନ କେମିତି ମୁକାବିଲା କରିବେ ତାକୁ ଦେଖିବାକୁ ବେଶ୍ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ। ଉଭୟ ଦଳ ମଧ୍ୟରେ ଏଯାଏ ୮ଟି ମ୍ୟାଚ ଖେଳାଯାଇଛି। ଭାରତ ୬ଟି ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ଦୁଇ ଥର ବିଜୟର ସ୍ବାଦ ଚାଖିଛି।
