କରୋନା ନେଲା ଆଉ ୩ ଜଣଙ୍କ ମୁଣ୍ଡ

ଭୁବନେଶ୍ୱର: ବିଗତ ୪ ଦିନ ହେଲା ରାଜ୍ୟରେ କ୍ରମାଗତ ଭାବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ପରିଲକ୍ଷିତହେଉଛି । ଗତ ୪ଦିନ ମଧ୍ୟରେ କରୋନା ସଂକ୍ରମଣରେ ଜୀବନ ହାରିଲେଣି ୬ ଜଣ ଆକ୍ରାନ୍ତ । ଏଣେ ଆଜି ରାଜ୍ୟରେ ଆଉ ୩ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ତିନି ମୃତକ କଟକ ଜିଲ୍ଲାର ହୋଇଥିବା ବେଳେ ଏମାନେ କୋଭିଡ-୧୯ ଭୁତାଣୁରେ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତିନି ମୃତକଙ୍କ ମଧ୍ୟରୁ ଜଣେ ୮୦ ଓ ଜଣେ ୭୧ ବର୍ଷିୟ ବୃଦ୍ଧ ହୋଇଥିବା ବେଳେ ଅନ୍ୟ ଜଣେ ୫୩ ବର୍ଷୀୟ ବ୍ୟକ୍ତି ଅଛନ୍ତି ।


୮୦ ବର୍ଷିୟ ବ୍ୟକ୍ତିଜଣକ କରୋନରେ ଆକ୍ରାନ୍ତ ଥିଲେ। ତା’ଛଡ଼ା ତାଙ୍କର ଅନ୍ତନଳୀରେ ସମସ୍ୟା ହେତୁ ତାଙ୍କର ମୃତ୍ୟୁ ହୋଇଛି। ୭୧ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ କରୋନା ଜନିତ ଘଟିଥିବା ବେଳେ ସେ ମଧୁମେହ ଏବଂ କିଡନି ରୋଗରେ ପୀଡ଼ିତ ଥିଲେ । ସେହିପରି ଅନ୍ୟ ମୃତକ ଜଣକ ମଧ୍ୟ କରୋନାରେ ଆକ୍ରାନ୍ତ ହେବା ଛଡ଼ା ମଧୁମେହ ରୋଗରେ ପୀଡ଼ିତ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏଣେ କରୋନା ବ୍ୟତୀତ ଅନ୍ୟ ରୋଗରେ ୭ଜଣ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ ମୋଟ୍ ୩୮୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮୩ ରହିଛି।

Leave A Reply

Your email address will not be published.