ଯୁକ୍ତ ଦୁଇ ପରୀକ୍ଷାର୍ଥୀ ପାଇଁ ଜାରି ହେଲା କଡା ନିୟମ

ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲକୁ ଦୃଷ୍ଟିରେ ରଖି ଏବେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ପାଇଁ ସରକାର କଡା ନିୟମ ଲାଗୁ କରାଇଛନ୍ତି । ଏଥର ପରୀକ୍ଷାର୍ଥୀ ହଲ୍କୁ ଯିବା ପାଇଁ କେତେକ କଡା ନିୟମ ଲାଗୁ କରାଯାଇଛି ।
ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍‌କୁ ଯିବା ସମୟରେ ହାତଘଣ୍ଟା ଓ ମୋବାଇଲ୍‌ ଆଦି ନେବାକୁ ବାରଣ କରାଯାଇଛି ବୋଲ ଆଜି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ମହାପାତ୍ର କହିଛନ୍ତି,“ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ ଓ ମାର୍ଚ୍ଚ ୩୦ ତାରିଖରେ ସରିବ। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି। ହାଇସ୍କୁଲ ପରୀକ୍ଷାରେ ୩୦୪ଟି ହବ୍‌ କରାଯାଇଥିଲା। ସେହିପରି ଯୁକ୍ତ ୨ ପରୀକ୍ଷା ପାଇଁ ୨୦୨ଟି ହବ୍‌ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ। ବର୍ତ୍ତମାନ ସୁଦ୍ଧା ୯୩୭ ସେଣ୍ଟରରେ ସିସି କ୍ୟାମେରା ଲଗାଯାଇ ସାରିଛି।”
ଚଳିତ ବର୍ଷ ୧୦୯୧ଟି କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ହେବ। ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ସେମାନଙ୍କର ରୋଲ ନମ୍ବର ଲେଖିବେ। ୩ ଲକ୍ଷ ୬୯ ହଜାର ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେବେ। ପ୍ରତିଦିନ ଗାଡ଼ିରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯିବ। ସେହି ଗାଡ଼ିଗୁଡ଼ିକ ପୁଲିସ୍ ସୁରକ୍ଷା ବଳୟ ମଧ୍ୟରେ ପଠାଇବାକୁ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ପୁଲିସ୍‌ ମୁତୟନ କରାଯିବ। ଆଜି ସଚିବାଳୟରେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଗଣଶିକ୍ଷା ସଚିବ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.