ସଟଲ ଟ୍ରେନ ଉପରେ ଛିଣ୍ଡି ପଡିଥିଲା ୩୩କେଭି ବିଦ୍ୟୁତ ତାର, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟ୍ରେନ ଯାତ୍ରୀ

ଭୁବନେଶ୍ୱର : ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପ୍ରାୟ ଦୁଇ ହଜାର ଟ୍ରେନ ଯାତ୍ରୀ । ପୁରୀରୁ ଆସୁଥିବା ସଟଲ ଟ୍ରେନ ଉପରେ ଛିଣ୍ଡି ପଡିଥିଲା ୩୩କେଭି ବିଦ୍ୟୁତ ତାର । ଲିଙ୍ଗରାଜ ଷ୍ଟେସନଠାରୁ ଦୁଇ କିଲୋମିଟର ଦୂରରେ ଘଟିଥିଲା ଅଘଟଣ । ବିକଟାଳ ଶବ୍ଦ କରି ଅଟକି ଯାଇଥିଲା ଟ୍ରେନ୍ ରେ ଥିବା ଆଉ ଯାତ୍ରୀମାନେ ଛାନିଆରେ ଚିତ୍କାର କରିଥିଲେ । କିଏ କାନ୍ଦୁଥିଲା , ଆଉ କିଏ ବଞ୍ଚାଅ ବଞ୍ଚାଅ ପାଟି କରୁଥିଲା ।

ସକାଳ ୯.୪୫ । ପୁରୀ କଟକ ଭଦ୍ରକ ପାସେଞ୍ଜର ଟ୍ରେନ ଚାଲିଥାଏ ଦ୍ରୁତ ଗତିରେ । ବାହାରେ ପ୍ରବଳ ବର୍ଷା ଚାଲିଥିଲା, ବିଜୁଳି ଚମକୁଥିଲା । ଭୁବନେଶ୍ବରଠାରୁ ଅଳ୍ପ କିଛି ଦୂର ସରକନ୍ତରାଠାରେ ହଠାତ ଟ୍ରେନ ଅଟକି ଯାଇଥିଲା ବିକଟାଳ ଶବ୍ଦ କରି । କାନଫଟା ଶବ୍ଦ ସହ ବିଦ୍ୟୁତ ସ୍ପାର୍କରୁ ନିଆଁ ଝୁଲ ଅଜାଡି ହୋଇପଡିଲା । ବିଜୁଳି ମାଡ଼ରେ ଛିଣ୍ଡି ପଡିଗଲା ୩୩ ହଜାର ହାଇଭୋଲଟେଜ୍ ତାର । ଗଳି ପଡ଼ିଥିଲା ୨୫ହଜାର ଭୋଲଟେଜ୍‌ର ରେଲୱେ ବିଦ୍ୟୁତ ତାର ଉପରେ । ଅଫିସ ଟାଇମ୍‌ । ବର୍ଷା ଯୋଗୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ନେଇ ଯାତ୍ରୀଙ୍କ ମନରେ ଆଶଙ୍କା ଥାଏ । ଠିକ ଏତିକି ବେଳେ ଏମିତି ଅଘଟଣ । ଯାତ୍ରୀ ଅସ୍ତବ୍ୟସ୍ତ ହୋଇ ପଡିଥିଲେ । ପୁରା ଟ୍ରେନର ଝରକା କବାଟ ବନ୍ଦ ହୋଇ ଯାଇଥିବାରୁ ବାହାର ଦେଖା ଯାଉନଥାଏ । ଏତିକି ବେଳେ ବିକଟାଳ ଶବ୍ଦ ଯୋଗୁ ମନରେ ଛନକା ପଶି ଯାଇଥିଲା । ଯାତ୍ରୀ ଚିତ୍କାର କରିଥିଲେ, କନ୍ଦାକଟା କରିଥିଲେ । ଭୟରେ ବଞ୍ଚାଅ ବଞ୍ଚାଅ ଚିତ୍କାର କରିଥିଲେ । ଟ୍ରେନ୍ ବହୁ ସମୟ ଧରି ଅଟକି ରହିବା ପରେ ଯାତ୍ରୀମାନେ ବାଧ୍ୟ ହେ।ଇ ୨କିଲୋମିଟର ଦୂର ଭୁବନେଶ୍ବର ଲିଙ୍ଗରାଜ ​ଷ୍ଟେସନକୁ ଚାଲି ଚାଲି ଆସିଥିଲେ ।

ଦୁର୍ଘଟଣା ପରେ ଦିନ ୧୦ ଟା ୨୦ ବେଳକୁ ପୂର୍ବତଟ ରେଳ ବିଭାଗର ଦୁଇଟି ଗାଡି ପହଞ୍ଚିଥିଲା । ଇଞ୍ଜିନିୟର ଓ ଇଲେକ୍ଟିସିଆନ  ପହଞ୍ଚି ମରାମତି କରିଥିଲେ । ଦେଢ ଘଣ୍ଟା ପରେ ଟ୍ରେନ୍ ଛାଡ଼ିଥିଲା ।

ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ୩୩କେଭି ପାୱାରଲାଇନ୍‌ର ଆର୍ଥିଙ୍ଗ ତାର ଛିଣ୍ଡି ପଡିଥିଲା ଏବଂ ରେଲୱେ ପାୱାର ଲାଇନରୁ ତୁରନ୍ତ କରେଣ୍ଟ ଚାଲି ଯାଇଥିବାରୁ ବଡ ଅଘଟଣ ଟଳି ଯାଇଥିଲା ।

 

Leave A Reply

Your email address will not be published.