ସମ୍ବଲପୁର ଓ ପୁରୀରେ ପୋଲିସ ଏନ୍‌କାଉଣ୍ଟର୍‌ରେ ୩ ଦୁର୍ଦ୍ଦାନ୍ତ ଗୁରୁତର

ସମ୍ବଲପୁର/ପୁରୀ:ରାଜ୍ୟରେ ଆତଙ୍କ ଖେଳାଇ ଚାଲିଥିବା ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଜବତ କରିବାକୁ ଓଡ଼ିଶା ପୋଲିସ ଏବେ ଜାଲ ବିଛାଇଛି । କିଛି ଦିନ ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଚାଲିଛି ଏନ୍‌କାଉଣ୍ଟର୍‌ । ଆଜି ଭୋରୁ ଭୋରୁ ପୁରୀରେ ଡବଲ୍‌ ଓ ସମ୍ବଲପୁରରେ ଗୋଟିଏ ଏନ୍‌କାଉଣ୍ଟର ହୋଇଛି । ଏଥିରେ ତିନି ଜଣ ଅପରାଧି ଗୁରୁତର ହୋଇଛନ୍ତି ।

ସମ୍ବଲପୁର  ଜିଲ୍ଲା  କୁଲୁଥକାନି-ଧନକଉଡ଼ା ରାସ୍ତାରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌ ଆହତ ହୋଇଛି । ତା’ର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତ୍ରିଦେବ ବାଗ୍‌ ଓ ତା’ର ସହଯୋଗୀମାନେ କୁଲୁଥକାନି-ଧନକଉଡ଼ା ରାସ୍ତାରେ ଡକାୟତି କରିବାକୁ ଏକାଠି ହୋଇଥିଲେ । ଏହାର ଗୁପ୍ତ ସୂଚନା ପାଇ ଭୋର ପ୍ରାୟ ସାଢେ ୫ଟା ବେଳେ ଧନୁପାଲ୍ଲୀ ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ଚଢ଼ଉ କରିଥିଲା । ଏହି ସେମାନେ ପୋଲିସ ଉପରକୁ ଗୁଳି କରି ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ । ଏହା ପରେ ପୋଲିସର ପାଲଟା ଗୁଳିରେ ତ୍ରିଦେବ ଗୁରୁତର ହୋଇପଡ଼ିଥିଲା । ଅନ୍ୟପକ୍ଷରେ ତ୍ରିଦେବର ଜଣେ ସହଯୋଗୀ ଦୀପକ ମଣ୍ଡଳକୁ ମଧ୍ୟ ଗିରଫ କରାଯାଇଛି । ଏହି ଗ୍ୟାଙ୍ଗରେ ଜଣେ ନାବାଳକ ଥିବା ଜଣାପଡ଼ିଛି । ପୋଲିସ ତାକୁ ଅଟକ ରଖିଛି । ଏହି ଏନ୍‌କାଉଣ୍ଟର ସମୟରେ ଜଣେ ପୁଲିସ୍‌ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି।

ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି, ଟଙ୍କା ଓ ୩ଟି ସୁନା ଚେନ୍ ଜବତ କରାଯାଇଛି । ତ୍ରିଦେବ ନାଁରେ ସମ୍ୱଲପୁର ଜିଲ୍ଲାରେ ୮ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ରହିଛି । ଏଥିସହ ଦେବଗଡ଼ ଜିଲ୍ଲାରେ ମଧ୍ୟ ତା’ ନାଁରେ ଅପରାଧିକ ମାମଲା ରହିଛି ।

ସେହିପରି ପୁରୀ ପୋଲିସ ଡବଲ୍‌ ଏନ୍‌କାଉଣ୍ଟର କରିଛି । ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧି ବିଶୁ ଓ ଟିକି ଖାନ୍‌ ଆହତ ହୋଇଛନ୍ତି । ବାସେଳିସାହି ଅଂଚଳରେ ଟିକିକୁ ଏନ୍‌କାଉଣ୍ଟର କରାଯାଇଛି । ସେ ଜଣେ ବାଲି ମାଫିଆ ଅଟେ । ତା‘ ନିକଟରୁ ପିସ୍ତଲ ଓ ଗୁଳି ଜବତ କରାଯାଇଛି । ଅନ୍ୟପକ୍ଷରେ ତାଳବଣିଆରେ ବିଶୁକୁ ଗୁଳି କରାଯାଇଛି । ବିଶୁ ବ୍ରାଉନସୁଗାର ଓ କୋରେକ୍ସ କାରବାରରେ ଲିପ୍ତ ଥିଲା । ତା’ ନିକଟରୁ ରିଭଲବର୍‌, ଗୁଳି ଓ ବାଇକ୍‌ ଜବତ କରାଯାଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

Leave A Reply

Your email address will not be published.