ଭାଟିଆ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟଣା : ମୃତ୍ୟୁ ପୂର୍ବରୁ ୧୦ଟି ସିମ୍ କିଣିଥିଲେ ଲଳିତ, ପୋଲିସ ପାଇଁ ଚ୍ୟାଲେଞ୍ଚ ୫୧ ନମ୍ବର
ନୂଆଦିଲ୍ଲୀ : ଭାଟିଆ ପରିବାରରେ ୧୧ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ପୋଲିସ ତଦନ୍ତ ଯେତିକି ଆଗଉଛି,ଦିନକୁ ଦିନ ନୂଆ ନୂଆ ରହସ୍ୟ ସେତିକି ସାମ୍ମନାକୁ ଆସୁଛି । କାନ୍ଥରେ ୧୧ ପାଇପ ଓ ୧୧ ରଡ ରହସ୍ୟ ପରେ ଏବେ ଆସିଛି ୧୦ଟି ମୋବାଇଲ ସିମ କିଣା ରହସ୍ୟ । ସବୁଠୁ ବଡ କଥା ହେଲା ମୋବାଇଲ ସିମର ନମ୍ବର ମିଶାଇଲେ ଶେଷ ଅଙ୍କ ୫୧ ହେଉଛି । ମୃତ୍ୟୁ ପୂର୍ବରୁ ଭାଟିଆ ପରିବାରର ଲଳିତ, ଯେକି ପୁରା ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୋଲିସ କହୁଛି ସେ,୧୦ଟି ମୋବାଇଲ ସିମ କିଣିଥିବା ଏବେ ପୋଲିସ ତଦନ୍ତରୁ ଜଣା ପଡିଛି ।
ଦିଲ୍ଲୀର ବୁରାରି ଅଞ୍ଚଳରୁ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ହେବା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ପୁଲିସ୍ ହାତରେ ନୂଆ ତଥ୍ୟ ଲାଗିଛି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଭାଟିଆ ପରିବାରର ସାନ ପୁଅ ଲଳିତ ଯେ ଏଭଳି ଘଟଣା ଘଟାଇବାକୁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଥିଲା ଏବେ ସେକଥା ସ୍ପଷ୍ଟ ହୋଇଛି । ଲଳିତ ୧୦ ବର୍ଷ ତଳେ ପ୍ରାଣ ହରାଇଥିବା ତାଙ୍କ ବାପାଙ୍କ ସହ କଥା ହେଉଥିଲେ ଏବଂ ତାଙ୍କରି ନିର୍ଦ୍ଦେଶରେ ପରିବାର ଲୋକଙ୍କୁ ଆତ୍ମହତ୍ୟା ପାଇଁ କହିଥିଲେ । ଏବେ ଜଣେ ମୋବାଇଲ୍ ଦୋକାନୀ ଲଳିତଙ୍କୁ ମୃତ୍ୟୁ ପୂର୍ବରୁ ଭେଟିଥିଲେ ବୋଲି ଆଜି ପୁଲିସ୍କୁ କହିଛନ୍ତି । ସୁନୀଲ ନାମକ ଏହି ମୋବାଇଲ୍ ଦୋକାନୀ କହିଛନ୍ତି ଶନିବାର ମଧ୍ୟାହ୍ଣ ୧୨.୨୮ରେ ଲଳିତ ତାଙ୍କ ଦୋକାନକୁ ଆସିଥିଲେ । ଏହି ସମୟରେ ସେ ଏକ ଅସ୍ୱାଭାବିକ ଅନୁରୋଧ କରିଥିଲେ । ଲଳିତ ୧୦ଟି ସିମ୍ କିଣିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସବୁ ସିମ୍ର ନମ୍ବରକୁ ମିଶାଇଲେ ଯେମିତି ୫୧ ହେବ, ସେ ଦିଗରେ ଲଳିତ ଗୁରୁତ୍ୱ ଦେଇଥିଲେ । ପାଖାପାଖି ୨୦୦ ସିମ୍ ଖୋଜିବା ପରେ ଦୋକାନୀ ଜଣଙ୍କ ୫୧ ନମ୍ବର ବିଶିଷ୍ଟ ୧୦ଟି ସିମ୍ ଲଳିତଙ୍କୁ ଦେଇଥିଲେ । ଏଥିମଧ୍ୟରୁ ଲଳିତ ୨ଟି ସିମ୍ ଆକ୍ଟିଭ୍ କରି ମୋବାଇଲ୍ ୱାଲେଟ୍ ଜରିଆରେ ୨,୫୦୦ ଟଙ୍କା ଦେଇଥିଲେ । ପୂର୍ବରୁ ୧୧ଟି ପାଇପ୍ ଓ ୧୧ଟି ଲୁହା ରଡ୍କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ୫୧ ନମ୍ବରକୁ ନେଇ ପୁଲିସ୍ ଅଡ଼ୁଆରେ ପଡ଼ିଛି । ଅନ୍ୟପକ୍ଷରେ ଝିଅ ମାଙ୍ଗଳିକ ଦୋଷକୁ ନେଇ ଭାଟିଆ ପରିବାର ଚିନ୍ତାରେ ଥିଲେ ବୋଲି ଏବେ ଦିଲ୍ଲୀ କ୍ରାଇମବ୍ରାଞ୍ଚ କହିଛି । ୭୩ ବର୍ଷୀୟ ନାରାୟଣୀ ଦେବୀଙ୍କ ୩୩ ବର୍ଷୀୟା ନାତୁଣୀ ପ୍ରିୟଙ୍କାଙ୍କ ମାଙ୍ଗଳିକ ଦୋଷକୁ ନେଇ ଚିନ୍ତାରେ ଥିଲେ । ଗତ ମାସରେ ତାଙ୍କର ନିର୍ବନ୍ଧ ହୋଇଥିବା ବେଳେ ଏ ବର୍ଷ ଶେଷକୁ ବାହାଘର ହେବାକୁ ଥିଲା । ପୂର୍ବରୁ ପ୍ରିୟଙ୍କାଙ୍କ ପାଇଁ ଭଲ ବରପାତ୍ରଟିଏ ଖୋଜିବାକୁ ପରିବାର ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏଥିପାଇଁ ଲଳିତ ଘରେ ତନ୍ତ୍ରମନ୍ତ୍ର ପୂଜାପାଠ କରୁଥିଲେ । ଏହି ସମୟରେ ୧୦ ବର୍ଷ ତଳେ ପ୍ରାଣ ହରାଇଥିବା ଲଳିତଙ୍କ ବାପା ମଧ୍ୟ ଘରକୁ ଆସୁଥିଲେ । ପୂଜାପାଠ ଦ୍ୱାରା ପ୍ରିୟଙ୍କାଙ୍କ ପାଇଁ ଏକ ବରପାତ୍ର ଯୋଗାଡ଼ ହୋଇଥିଲା ଏବଂ ଜୁନ୍ ୧୭ରେ ନିର୍ବନ୍ଧ ହୋଇଥିଲା ବୋଲି କ୍ରାଇମବ୍ରାଞ୍ଚ କହିଛି ।
