ପୁରୀ ଶ୍ରୀମନ୍ଦିର ସୁପରିଚାଳନା ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ସୁପରିଚାଳନା ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି । ବିଚାରପତି ଆଦର୍ଶ କୁମାର ଗୋୟଲ୍ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିବା ବେଳେ ପୂର୍ବରୁ ଭକ୍ତଙ୍କ ଦାନ ସଂକ୍ରାନ୍ତ ଦେଇଥିବା ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ଦୋହରାଇଛନ୍ତି । ଶ୍ରୀମନ୍ଦିର ପରିଚାଳନାରେ ପୁରୀ ଜିଲ୍ଲା ଜଜ୍ ଦେଇଥିବା ସୁପାରିଶକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଅନ୍ୟ ଧର୍ମର ଲୋକେ ଯଦି ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଚାହାନ୍ତି, ତେବେ କି କି ପଦକ୍ଷେପ ନିଆଯିବା ଦରକାର, ସେନେଇ ବ୍ୟବସ୍ଥା କରିବାକୁ ସର୍ବୋଚ୍ଚ କୋର୍ଟ ପ୍ରସ୍ତାବ ଦେଇଛନ୍ତି ।

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିଚାଳନା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ଶୁଣାଣି । ଭକ୍ତମାନେ ସେମାନଙ୍କ ଦାନ, ସେବାୟତଙ୍କୁ ନଦେଇ, ହୁଣ୍ଡିରେ କିମ୍ବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦେବାକୁ କିଛି ଦିନ ତଳେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଯାହାକୁ କଡ଼ାକଡ଼ି ପାଳନ କରିବାକୁ ଆଜିର ଶୁଣାଣି ବେଳେ ପୁଣି ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ଆଦର୍ଶ କୁମାର ଗୋୟଲ ଏବଂ ଅଶୋକ ଭୂଷଣଙ୍କ ଦୁଇ ଜଣିଆ ଖଣ୍ଡପୀଠ । ଏଥି ସହିତ ଶ୍ରୀମନ୍ଦିର ପରିଚାଳନାରେ ସୁଧାର ନେଇ ମଧ୍ୟ କିଛି ପ୍ରସ୍ତାବ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଏକ ଜମସ୍ବାର୍ଥ ମାମଲାକୁ ଗ୍ରହଣ କରି ମାମଲାର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ ।

ଆଜିର ଶୁଣାଣି ବେଳେ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍, ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ୍ ଜେନେରାଲ୍ ସୂର୍ଯ୍ୟପ୍ରସାଦ ମିଶ୍ର ଏବଂ ସେବାୟତଙ୍କ ପ୍ରତିପକ୍ଷ ଓକିଲ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପରିଚାଳନା ନେଇ, ସୁପ୍ରିମକୋର୍ଟ, ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ଜଜଙ୍କୁ ରିପୋର୍ଟ ମାଗିଥିଲେ । ତେବେ ରଥଯାତ୍ରା ଥିବାରୁ ରାଜ୍ୟ ସରାକାର ରିପୋର୍ଟ ଦେଇପାରି ନଥିବା ବେଳେ ଶ୍ରୀମନ୍ଦିର ପରିଚାଳନାରେ ସୁଧାର ପାଇଁ ଏକାଧିକ ସୁପାରିଶ କରିଛନ୍ତି ଜିଲ୍ଲା ଜଜ୍ । ଯାହାକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ ତାରିଫ୍ ମଧ୍ୟ କରିଛନ୍ତି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଶ୍ରୀମନ୍ଦିରରେ ଅନ୍ୟ ଧର୍ମର ଲୋକଙ୍କ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ଏକ ପ୍ରସ୍ତାବ ଦେଇଛନ୍ତି । ଯଦି ଅନ୍ୟ ଧର୍ମର ଲୋକମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଚାହାନ୍ତି, ତେବେ ସେମାନଙ୍କ ପାଇଁ କଣ ପଦକ୍ଷେପ ନିଆଯିବା ଦରକାର, ତାହା ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି । ଅନ୍ୟ ଧର୍ମର ଲୋକମାନେ କି ପ୍ରକାର ପୋଷାକ ଧାରଣ କରିବା ଦରକାର, ମନ୍ଦିରର କେଉଁ ଯାଏଁ ସେମାନେ ଯାଇପାରିବେ, ସେନେଇ ଚିନ୍ତା କରିବାକୁ ପ୍ରସ୍ତାବ ଦେଇଛନ୍ତି କୋର୍ଟ ।

ଶ୍ରୀମନ୍ଦିରର ସୁପରିଚାଳନା ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ରାଜ୍ୟ ସରକାର, ରଥଯାତ୍ରା ପରେ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ । ଏଥି ସହିତ ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ସଂସ୍କୃତି ମନ୍ତ୍ରାଳୟ, ସୁପ୍ରିମକୋର୍ଟ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ୱେବସାଇଟରେ ଛଡ଼ାଯିବ । ରଥଯାତ୍ରା ପରେ ଆମିକସ୍ କ୍ୟୁରି, ପୁରୀ ଆସି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବେ । ସେପଟେ ଦଇତାପତି ନିଯୋଗ, ଆମିକସ୍ କ୍ୟୁରିଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ କରିବ ବୋଲି କହିଛି ।  ଉଭୟ ରାଜ୍ୟ ସରକାର ଓ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ପାଇବା ପରେ ସେପ୍ଟମ୍ବର ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.