ଭୁବନେଶ୍ୱର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୦ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ । ବିଶେଷ କରି ୨୦ ତାରିଖ ରାତି ସାଢ଼େ ଆଠଟା ସୁଦ୍ଧା ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଏହି ଲଘୁଚାପ ୨୨ ତାରିଖରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ୨୧ ତାରିଖ ରାତି ସାଢ଼େ ଆଠଟାଠାରୁ ୨୨ ତାରିଖ ରାତି ପର୍ଯ୍ୟନ୍ତ ଉପକୂଳ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ କିମି ରହିବ । ତେବେ ପବନର ବେଗ ଅଧିକ ହେବ ନାହିଁ ଏବଂ ଚାପ ୯୯୬ ଏଚ୍ପିଏ କିମ୍ବା ତା’ଠାରୁ କମ୍ ରହିବ ବୋଲି ସୂଚନା ଦେଇଛନ୍ତି ସୋଆର ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ । ଘୂର୍ଣ୍ଣିବଳୟ ଏବଂ ପରବତ୍ତୀ ସମୟରେ ଲଘୁଚାପ ସୃଷ୍ଟି ହେବା ଫଳରେ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ଆସନ୍ତାକାଲି ଠାରୁ ୨୧ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ଲଘୁଚାପ ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେଉଁଝର, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୋଦ୍ଧ ଓ ସୋନ୍ପୁର ତଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଜୁଲାଇ ୨୧ରୁ ୨୩ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଛଡ଼ା ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏହି ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ ଓ ବୁଢ଼ାବଳଙ୍ଗ ଉପରମୁଣ୍ଡରେ ୨୧ ରୁ ୨୩ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ମହାନଦୀର ଉଭୟ ଉପର ଓ ତଳମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି ।
