ପୁରୀ : ପ୍ରବଳ ବର୍ଷା ଓ ମେଘୁଆ ପାଗ ସତ୍ତ୍ବେ ଆଜି ପୁରୀରରେ ବାହୁଡ଼ା ସମ୍ପନ୍ନ ହୋଇଛି। ସବୁଠାରୁ ବଡ଼ କଥା ହେଲା ଆଜି ନିର୍ଦ୍ଧାରିତ ସମୟର ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଛି। ତିନି ରଥ ସିଂହଦ୍ବାର ନିକଟରେ ପହଞ୍ଚିଛନ୍ତି। ବର୍ଷାକୁ ଖାତିର ନକରି ଲକ୍ଷ ଲକ୍ଷ ଭକ୍ତ ଉତ୍ସାହର ସହିତ ରଥ ଟାଣିନେଇଥିଲେ।
ବାହୁଡ଼଼ି ଆସିଲେ ମହାବାହୁ । ପୂର୍ବ ସବୁବର୍ଷର ରେକର୍ଡ ସମୟକୁ ଟପି ସିଂହଦ୍ବାର ନିକଟକୁ ଫେରିଆସିଲା ତିନି ରଥ। ଆଡ଼ପ ମଣ୍ଡପର ଲୀଳା ଶେଷ କରି ପୁଣି ବାହାରିଆସିଲେ କାଳିଆ ସାଆନ୍ତ । ଭଉଣୀ ଭାଇ ଓ ଆୟୁଧ ସୁଦର୍ଶନକୁ ସାଙ୍ଗରେ ଧରି ଯେମିତି ଯେମିତି ଯାଇଥିଲେ ସଅଳ ସଅଳ ଫେରିଆସିଲେ। ଗତକାଲିର ପ୍ରବଳ ବର୍ଷାର ପ୍ରଭାବ ଆଜି କମିନଥିଲା। ଝିପ୍ ଝିପ୍ ବର୍ଷା ସହିତ ମେଘୁଆ ପାଗ ଥିଲା। ଏହାକୁ କିନ୍ତୁ ତିଳେମାତ୍ର ଭୃକ୍ଷେପ କରିନଥିଲେ ଭକ୍ତମାନେ । ଲକ୍ଷ ଲକ୍ଷ ଭକ୍ତ ପହଞ୍ଚିଥିଲେ ବଡ଼ଦାଣ୍ଡରେ ଆଉ ନିର୍ଦ୍ଧାରିତ ସମୟର ବହୁ ଆଗରୁ ଦିଅଁଙ୍କ ନୀତିକାନ୍ତି ଶେଷ ହୋଇଥିଲା । ସକାଳ ୮-୪୦ରେ ମଙ୍ଗଳାର୍ପଣ ହୋଇଥିଲା। ପହଣ୍ଡି ୯ଟାରେ ଆରମ୍ଭ ହୋଇ ୧୧ଟା ୩୫ରେ ଶେଷ ହୋଇଥିଲା। ଆଉ ଗଜପତି ମହାରାଜ ଦିବ୍ୟସିଂହ ଦେବ, ୧୨ଟା ୨୦ରେ ଆସି ଛେରା ପହଁରା କରିଥିଲେ । ଠିକ୍ ଦିନ ଗୋଟାଏ ୨୦ ମିନିଟରେ ଗଡ଼ିଥିଲା ତାଳଧ୍ବଜ । ସୁଭଦ୍ରାଙ୍କ ଦେବଦଳନ ୨ ଟା ବେଳେ ଏବଂ ଏହାର ୧୧ ମିନିଟ ପରେ ଗଡ଼ିଥିଲା ନନ୍ଦିଘୋଷ।
ଭକ୍ତ ଯେତିକି ଉତ୍ସାହର ସହିତ ରଥ ଟାଣୁଥିଲେ , ହଟିଆ ଠାକୁର ବି ସେତିକି ମନ କରିଥିଲେ ବେଳ ଥାଉ ଥାଉ ଫେରି ଆସିବା ପାଇଁ । ବାଟରେ ମାଉସୀ ମାଙ୍କ ପୋଡ଼ପିଠା ଭୁଲିନଥିଲେ ଶ୍ରୀଜଗନ୍ନାଥ। ରାଜ ଉଆସ ନିକଟରେ ବି ଅଟକିଥିଲା ନନ୍ଦିଘୋଷ। ଲକ୍ଷ୍ନୀ ନାରାୟଣ ଭେଟ ବି ହୋଇଥିଲା। ତାପରେ ରଥ ପୁଣି ରଥ ଗଡ଼ିଥିଲା ଆଗକୁ ।
ଗତକାଲି ପୁରୀରେ ଯେଉଁଭଳି ଭାବେ ବର୍ଷା ହୋଇଥିଲା ଆଉ ଆଗାଶରେ ଲଘୁଚାପ ମେଘ ଯେମିତି ବାରମ୍ବାର ଧମକାଉଥିଲା ପ୍ରଶାସନ ଚିନ୍ତାରେ ଥିଲା। କେମିତି ସବୁକିଛି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେନେଇ ସମସ୍ତ ଯତ୍ନ ନିଆଯାଇଥିଲା। ପୂର୍ବରୁ କାଁ ଭାଁ ଛୋଟ ମୋଟ ଘଟଣା ଘଟିବାର ନଜିର ଥିବାରୁ ସେଦୃଷ୍ଟିରୁ ସୁରକ୍ଷା ବାହିନୀ ବିଲ୍କୁଲ ଜାଗତିଆର ଥିଲା।
ଅପରାହ୍ନ ୩ଟା ୩୨ରେ ତାଳଧ୍ବଜ ସିଂହଦ୍ବାର ନିକଟରେ ପହଞ୍ଚିଥିବା ବେଳେ ୩ଟା ୫୦ରେ ପହଞ୍ଚିଥିଲା ଦେବଦଳନ।
କାଲି ସିଂହଦ୍ବାର ଆଗରେ ତିନି ରଥ ଉପରେ ସୂନାବେଶ ଅନୁଷ୍ଠିତ ହେବ । ତାପର ଦିନ ଅଧରପଣା ଓ ବୁଧବାର ରତ୍ନ ସିଂହାସନ ବିଜେ କରିବେ ତିନି ଠାକୁର ।
