ଭୁବନେଶ୍ବର : ଟିଟୋର ଡାହାଣ ହାତ କୁହାଯାଉଥିବା ବାପୁ ପରିଡ଼ାକୁ ଆଜି ଗରିଫ କରିଛି ଏସଟିଏଫ ।ବାପୁ ନାଁରେ ୨୮ଟି ମାମଲା ରହିଛି । ପୂର୍ବରୁ ଏକାଧିକ ଥର ବାପୁ ପରିଡ଼ାକୁ ଜେରା କରିଥିଲା ଏସଟିଏଫ । ଆଜି ଗ୍ୟାଙ୍ଗଷ୍ଟର ଟିଟୋକୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ସେପଟେ ଟିଟୋର ବାଲି ଓ ମରମ କାରବାରରେ ସହାୟତା କରୁଥିବା ସରକାରୀ ଅଧିକାରୀଙ୍କ ନଥିପତ୍ରକୁ ଭିଜିଲାନ୍ସ୍ ଟିମ୍ ଯାଞ୍ଚ କରୁଥିବା ବେଳେ ଯାଯପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ତହସିଲରେ ଥିବା ଅସିହା ପାହାଡ଼ରୁ କେମିତି ବେଆଇନ୍ ଆଉ ବେଧଡ଼କ ଭାବେ ମରମ ଚାଲାଣ ଚାଲିଥିଲା ଦେଖନ୍ତୁ ଏଇ ରିପୋର୍ଟରେ । ….
ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ ବାପୁ ପରିଡ଼ା ଗିରଫ । ବାପୁ ନାଁରେ ବିଭିନ୍ନ ଥାନାରେ ରହିଛି ୨୮ଟି ମାମଲା । ପୂର୍ବରୁ ଏକାଧିକ ଥର ବାପୁ ପରିଡ଼ାକୁ ଜେରା କରିଥିଲା ଏସଟିଏଫ । ବାପୁ ନାଁରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ବ୍ୟବହାର କରିବା, ବନ୍ଧୁକ ଦେଖାଇ ଦାଦାବଟି ଆଦାୟ କରିବା ଭଳି ଅଭିଯୋଗ ରହିଛି । ବାପୁ ବିରୋଧରେ ୩୮୭, ୫୦୬, ୧୨୦(ବି), ୩୪, ୨୫, ୨୭ ଆର୍ମସ ଆକ୍ଟ ଲଗାଇଛି ଏସଟିଏଫ୍ । ବାପୁ ନାଁ କୁଜଙ୍ଗ ଥାନାରେ ୨ଟି ହତ୍ୟା ଓ ରାହାଜାନି ମାମଲା ଥିବା ବେଳେ କଟକ ଚାଉଳିଆଗଞ୍ଜରେ ଗୋଟିଏ ଏବଂ ପାରାଦୀପର ବିଭିନ୍ନ ଥାନାରେ ୨୫ ମାମଲା ରହିଛି । ଗଲା ୪ଦିନ ହେଲା ବାପୁକୁ ଜେରା କରୁଥିଲା ଏସଟିଏଫ । ତା’ ବିରୋଧରେ ସମସ୍ତ ପ୍ରମାଣ ହାତକୁ ଆସିବା ପରେ ଏବେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଗିରଫ ହୋଇଥିବା ଅବଦୁର ରେହମାନର ଭାଇ ନେଇଥିବା ଟେଣ୍ଡର କାମରେ ଟିଟୋ ଓ ତା’ର ଗ୍ୟାଙ୍ଗ ଗନ୍ ପଏଣ୍ଟରେ ଧମକ ଦେଇଥିବା ଅଭିଯୋଗରେ ଟିଟୋକୁ କମିଶନରେଟ୍ ପୋଲିସ ୫ଦିନ ରିମାଣ୍ଡରେ ନେବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଓ୍ବା.ବି.ଖୁରାନିଆ । ଏବେ ଟିଟୋର ବିଶାଳ ଅପରାଧିକ ଓ ଅର୍ଥନୈତିକ ସାମ୍ରାଜ୍ୟର ଖୋଳତାଡ଼ କରିବାକୁ କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଲାଗିଥିବା ବେଳେ ଏବେ ଅପରାଧର ଖିଅ ଖୋଲିବାକୁ ଚାହିଁଛି କମିଶନରେଟ୍ ପୋଲିସ । ଆଉ ଏଥିକି ବେଳେ ପଦାକୁ ଆସିଛି ଅବାଧ ବାଲି- ମରମ ଚାଲାଣର ଆଉ ଗୋଟେ ସାଂଘାତିକ ତଥ୍ୟ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅଧୀନରେ ଥିବା ଅସିହା ପର୍ବତମାଳାରୁ କେମିତି ସବୁ ନିୟମକୁ ଆଖିଠାର ମାରି ଟିଟୋ ଗ୍ରୁପ୍ ବାଲି ଓ ମରମ ଚାଲାଣ କରୁଥିଲେ ସେକଥା ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକେ ଅନେକ ଥର ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ଜଣାଇଥିଲେ ମଧ୍ୟ କେହି ଏଥି ପ୍ରତି ଧ୍ୟାନ ଦେଉନଥିଲେ ।
ମୁହଁ ଖୋଲିଲେ ମିଳୁଥିଲା ଧମକ । ଗନ୍ ପଏଣ୍ଟରେ ଚାଲିଥିଲା ସବୁ କାରବାର । ଆଉ ଗ୍ୟାଙ୍ଗଷ୍ଟରର ସବୁ ବେଆଇନ କାମରେ ସହଯୋଗ କରୁଥିଲେ ଜିଲ୍ଲାର ପ୍ରଶାସନିକ ଅଧିକାରୀ । ତହସିଲଦାରଙ୍କ ଠାରୁ ଆରମ୍ଭ କରି ପୋଲିସବାବୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସାମ୍ନାରେ ଆଉ ସମସ୍ତଙ୍କ ସହଯୋଗରେ ଗ୍ୟାଙ୍ଗଷ୍ଟର ବଢ଼ାଇଚାଲିଥିଲା ତା’ର ସାମ୍ରାଜ୍ୟ ।
