ଅରଷ୍ଟ୨ରୁ ନିଜସ୍ବ ଖାଦ୍ୟ ସୁରକ୍ଷା ଆଇନ ଆଣିବେ ସରକାର,ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ସରକାର ଅକ୍ଟୋବର ୨ରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଲାଗୁ କରିବେ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,“ ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ୨୦୧୧ ଜନ ଗଣନା ଆଧାରରେ କାର୍ଯ୍ୟକାରୀ ହେଉଛି। ପରବର୍ତ୍ତୀ ସମୟରେ ରାଜ୍ୟର ଜନସଂଖ୍ୟା ୧୪ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ ଲକ୍ଷ ଲକ୍ଷ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କୁ ବହୁବାର ଚିଠି ଲେଖି ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ସେଥିରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ମଧ୍ୟ ଏହି ଯୋଜନାର ସୁଫଳ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇ ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ୩୩ଲକ୍ଷ ୪୪ ହଜାର ଗରିବ ହିତାଧିକାରୀ ଉପକୃତ ହେବେ।”

କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡ଼ିଥିବା ଲୋକଙ୍କୁ ରାଜ୍ୟ ସରକାର ଦେବେ ଖାଇବାକୁ । ବାଦ ପଡ଼ିଥିବା ୩୪ ଲକ୍ଷ ୪୪ ହଜାର ଲୋକଙ୍କୁ ଆସନ୍ତା ଗାନ୍ଧି ଜୟନ୍ତୀରୁ  ମିଳିବ ଏକ ଟଙ୍କାରେ କିଲେ ଚାଉଳ । ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଯାହାକୁ ବିରୋଧୀ ୧୯ ନିର୍ବାଚନ ସହ ଯୋଡ଼ି ସରକାରଙ୍କୁ କରିଛନ୍ତି ସମାଲୋଚନା ।

କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ୩୪ଲକ୍ଷ ୪୪ ହଜାର ହିତାଧିକାରୀଙ୍କୁ ନିଜସ୍ବ ପାଣ୍ଠିରେ ଟଙ୍କିକିଆ ଚାଉଳ ଦେବେ ରାଜ୍ୟ ସରକାର । କେନ୍ଦ୍ରକୁ କହି କହି ବିଫଳ ହେବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୨୦୧୧ ଜନଗଣନ ଅନୁୟାୟୀ, କେନ୍ଦ୍ର ସରକାର, ରାଜ୍ୟକୁ ଚାଉଳ ଦେଉଛନ୍ତି । ୨୦୧୧ ପରଠାରୁ ରାଜ୍ୟର ଲୋକସଂଖ୍ୟା ଅନେକ ବଢ଼ିଛି । ତେଣୁ କେନ୍ଦ୍ର ଅଧିକ ଚାଉଳ ଦେବାକୁ ବାରମ୍ବାର ପତ୍ର ଲେଖିଥିଲେ ମୁଖ୍ୟମନ୍ତ୍ରୀ । ଏପରିକି ନୀତି ଆୟୋଗ ବୈଠକରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଦାବି ମଧ୍ୟ ଉଠାଇଥିଲେ । କିନ୍ତୁ କେନ୍ଦ୍ର, ରୋକ୍ ଠୋକ୍ ମନା କରିଦେବା ପରେ ରାଜ୍ୟ ସରକାର, ନିଜେ ଚାଉଳ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଯାହା ଆସନ୍ତା ଗାନ୍ଧି ଜୟନ୍ତୀରୁ କାର୍ଯ୍ୟକାରୀ ହେବ ।

ଲୋକଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କଲେ । କିନ୍ତୁ ତାହା ବିରୋଧୀଙ୍କ ଦେହରେ ଯାଇନି । ବିଜେପି, ରାଜ୍ୟ ସରକାରଙ୍କୁ ୩ଟି ପ୍ରଶ୍ନ ମାରିଛି । କେନ୍ଦ୍ର, ଇନ୍ଦ୍ର ଓ ଧର୍ମକୁ ଦୋଷ ଦଇ ରାଜ୍ୟ ସରକାର ଖସିବାକୁ ଉଦ୍ୟମ କରୁଥିବା କହିଛି ବିଜେପି । ସେପଟେ କଂଗ୍ରେସର କହିବା କଥା, ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀଙ୍କର ପୁରୁଣା ପ୍ରତିଶ୍ରୁତି ମନେ ପଡ଼େ । ୩୪ ଲକ୍ଷ ୪୪ ହଜାର ହିତାଧିକାରୀଙ୍କୁ ଚିହ୍ନଟ କରିବାର ଆଧାର ଜାଣିବାକୁ ଚାହିଁଛି କଂଗ୍ରେସ ।

ରାଜ୍ୟ ସରକାରଙ୍କ ଏହି ଘୋଷଣା ପଛରେ କେନ୍ଦ୍ର ଅବହେଳାର ନୂଆ ରୂପ ବାରି ହୋଇ ପଡ଼ିଛି । ତେବେ ବିରୋଧୀଙ୍କ ମୁହଁ ଚୁପ୍ କରିବାକୁ ରାଜ୍ୟ ସରକାର ଟିକେ ବୁଲାଇ ଦେଇଛନ୍ତି । ଆଉ ନାରା ରଖିଛନ୍ତି, ଆପଣଙ୍କ ଓଡ଼ିଶା ସରକାର, ଆପଣଙ୍କ ଟଙ୍କାରେ ଆପଣଙ୍କ ପାଇଁ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ତେବେ ବିଜେପି ଏହାକୁ ଋଣ ଟଙ୍କା ସହ ଯୋଡ଼ିଥିବା ବେଳେ କଂଗ୍ରେସ କହୁଛି, ଏହା ମୁଖ୍ୟମନ୍ତ୍ରୀଙ୍କ ନୂଆ ନିର୍ବାଚନୀ ଚାଲ ।

୨୦୧୪ରେ ବିଜେଡି ଦେଇଥିବା ପ୍ରତିଶ୍ରୁତି ୨୦୧୯ ପୂର୍ବରୁ ପୂରଣ କରୁଛି । ତେବେ ଏଠି ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ବାଦ୍ ପଡ଼ିଥିବା ପ୍ରକୃତ ହିତାଧିକାରୀ ଚାଉଳ ପାଇବେ ନା ପୂର୍ବ ଭଳି ଗୋଳମାଳିଆ ହୋଇଯିବ ।

Leave A Reply

Your email address will not be published.