ଧର୍ମ ଛଡା ଧରମ ପୁଅ: ମାଆଙ୍କୁ ଶିଳପୁଆରେ ଛେଚି ମାରିବା ପରେ ଝିଅକୁ କଲା ଦୁଷ୍କର୍ମ

ଭଦ୍ରକ : ଝିଅର ହାତ ଗୋଡ ବାନ୍ଧି ଦୁଷ୍କର୍ମ ଏହାପରେ ମାଆଙ୍କୁ ଶିଳପୁଆରେ ଛେଚି ବୀଭତ୍ସ ହତ୍ୟା । ଭଦ୍ରକ ଧାମନଗର ଥାନା ତାଳସିଠା ଗାଁର ଏହି ଘଟଣା ପୁରା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ଏସବୁ ଘଟଣା ଆଗରୁ ଘରର ମୁରବୀ ଘରୁ କୁଆଡେ ଚାଲି ଯାଇଥିଲେ । ହତ୍ୟା, ଦୁଷ୍କର୍ମ ଏବଂ ନିଖୋଜ ପଛର କାରଣ ବି ପୋଲିସକୁ ଅଡୁଆରେ ପକାଇ ଦେଇଛି ।

ଭଦ୍ରକ ଧାମନଗର ତାଳସିଠା ଗାଁରେ ବୀଭତ୍ସ ହତ୍ୟା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଏହି ଗାଁର ରବୀନ୍ଦ୍ରଙ୍କ ଘରେ ବୋହିଛି ରକ୍ତ । ପୁଣି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ହେଲେ ଏହା ଆଗରୁ ଘଟିଥିବା ଘଟଣା ଆହୁରି ରହସ୍ୟମୟ । କାଲି ସଂଧ୍ୟାରେ ଘରର ମୁରବୀ ଫୋନ ପାଇ ଧାମନଗର ଛକକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ବିଲମ୍ବିତ ରାତିରେ ତାଙ୍କ ମୋବାଇଲରୁ ଘରକୁ କଲ୍‌ ଆସିଥିଲା । କେହି କହିଥିଲା କବାଟ ଖୋଲା ରଖିବାକୁ । ଆଉ ଏହାପରେ ଘରକୁ ପଶି ଆସି ଗୋପୀନାଥ ମହାନ୍ତି ନାମରେ ଜଣେ ଦୁର୍ବୃତ୍ତ ଘଟାଇଥିଲା ନାରକୀୟ କାଣ୍ଡ ।

ଦୁର୍ବୃତ୍ତ ଜଣକ ଯିବା ପରେ ଝିଅ ତା ଭାଇକୁ ଫୋନ କରି କହିଥିଲା । କିଛି ସମୟ ପରେ ଗାଁ ଲୋକେ ପହଞ୍ଚି ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁରା ଘଟଣା ବର୍ଣ୍ଣନା କରିଥିଲେ ନାବାଳିକା ଜଣକ । ତାଙ୍କୁ ହାତ ଗୋଡ ବାନ୍ଧି  ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଗୋପୀନାଥ । ମାଆଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଥିଲା । ଆଉ ଘର ପଛପଟେ ରକ୍ତ ଜୁଡୁବୁଡୁ ଶରୀର ଫୋପାଡି ଦେଇଥିଲା ।

ଅଭିଯୁକ୍ତ ଜଣକ ମୃତ ମହିଳାଙ୍କ ଧରମ ପୁଅ ବୋଲି ପୁଲିସ ସୂଚନା ଦେଇଛି । ଫୋରେନସିକ ଟିମ ଘଟଣା ସ୍ଥଳରେ ତଦନ୍ତ କରିଛି । ଅଭିଯୁକ୍ତ ଗୋପୀନାଥକୁ ଗିରଫ ସହ ଘରର ମୁରବୀଙ୍କୁ ଖୋଜିବା ଲାଗି ପୋଲିସ ଚେଷ୍ଟା କରୁଛି ।

ଘଟଣା ସହ ଯୋଡି ହୋଇଥିବା ଅନେକ ପ୍ରଶ୍ନ ଉତ୍ତର ମିଳୁନି । କୁଆଡେ ଗଲେ ଘରର ମୁରବୀ । ଘଟଣା ପରେ ସାରା ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି । ଗାଁରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.