ଭୁବନେଶ୍ବର : ରାଜ୍ୟ ଖାଦ୍ୟ ସୁରକ୍ଷା ବିଲରେ ଲାଗିଲା କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ଯୋଜନାରେ ରାଜ୍ୟ ସରକାର, କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ଗରିବ ଲୋକଙ୍କୁ କିଲୋ ଟଙ୍କାକରେ ଚାଉଳ ଯୋଗାଇ ଦେବେ । ଆସନ୍ତା ଅକ୍ଟୋବର ୨, ଗାନ୍ଧି ଜୟନ୍ତୀରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଅକ୍ଟୋବର-ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମ ଅଟକଳ ଧାର୍ଯ୍ୟ ହୋଇଥିବା ବେଳେ ଏଥି ପାଇଁ ୨୨୦ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ । କେନ୍ଦ୍ର ସରକାର, ୨୦୧୧ ଜନଗଣନା ଅନୁସାରେ ଚାଉଳ ଯୋଗାଇ ଦେଉଥିବା ବେଳେ ବଞ୍ଚିତ ହୋଇଛନି ୩୪ ଲକ୍ଷ ୪୪ ହଜାର ହିତାଧିକାରୀ । ଅଧିକ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର, କେନ୍ଦ୍ରକୁ ପତ୍ର ଲେଖିଥିଲେ । ଖାଦ୍ୟ ଯୋଗାଣ ମନ୍ତ୍ରୀ ବି ଦିଲ୍ଲୀ ଯାଇ ଅନେକ ଥର ଦାବି କରିଥିଲେ । କିନ୍ତୁ କେନ୍ଦ୍ର ମନା କରିଦେବା ପରେ ନିକଟରେ ରାଜ୍ୟ ସରକାର, ନିଜସ୍ବ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ସଚିବାଳୟରେ ବୈଠକ ପରେ ଭିଡିଓ ମେସେଜରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ଆଉ ଏବେ ସେଥିରେ ଲାଗିଲା କ୍ୟାବିନେଟ୍ ମୋହର । ଚଳିତବର୍ଷ ୨୫ ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ କରାଯିବ । ୧୧ଟି ମାନଦଣ୍ଡରେ ହିତାଧିକାରୀ ଚୟନ କରାଯିବ ।
