ଗ୍ୟାଙ୍ଗ ଷ୍ଟର ଟିଟୋ ଲିଙ୍କ ପ୍ରସଙ୍ଗ : ଦାମଙ୍କୁ ଘେରିଲେ ବାପି,ଘିଅ ଢାଳିଲେ ବିଷ୍ଣୁ ,ଗର୍ଜିଲେ ଦାମ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ ବାପୁ ପରିଡ଼ା ଗିରଫ ହେବା ପରେ ଜୋର ଧରିଛି ପାରାଦୀପ ପଲିଟିକ୍ସ । ଚକ୍ରବ୍ୟୁହରେ ପଡ଼ିଛନ୍ତି ଡାକ୍ତର ଦାମୋଦର ରାଉତ । ଜଣକରେ ପରେ ଜଣେ ନେତା ଦାମଙ୍କୁ ଟିଟୋଙ୍କ ସହ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି । ବାପୁ ପରିଡ଼ାଙ୍କ ସହ ଦାମ ଓ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କର ରହିଛି ଘନିଷ୍ଠ ସମ୍ପର୍କ । ତେଣୁ ଉଭୟ ବାପ-ପୁଅଙ୍କୁ ଏସଟିଏଫ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ । ଦାମଙ୍କ ପାରମ୍ପରିକ ବିରୋଧୀ ବିଷ୍ଣୁଦାସ ମଧ୍ୟ ପଦାକୁ ଆସିଛନ୍ତି । ସେପଟେ ଦୁଇ ବିରୋଧୀଙ୍କ ଅଭିଯୋଗ ଶୁଣି ଦାମବାବୁ ଫାୟାର୍ ।

ଟିଟୋ ଲିଙ୍କରେ ବାପୁ ପରିଡ଼ା ଗିରଫ ହେବା ପରେ ବଢ଼ିଛି ଦାମଙ୍କ ଅଡୁଆ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତାଙ୍କୁ ଘେରିଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ । ବାପୁଙ୍କ ସହ କେବଳ ଦାମଙ୍କର ନୁହେଁ ତାଙ୍କ ପୁଅ ସମ୍ବିତଙ୍କର ଘନିଷ୍ଠ ସମ୍ପର୍କ ଅଛି । ତେଣୁ ଉଭୟ ବାପ-ପୁଅଙ୍କୁ ଏସଟିଏଫ ତଦନ୍ତ ପରିସରଭୁକ୍ତ କରିବାକୁ ବାପି ଦାବି କରିଛନ୍ତି । ପାରାଦ୍ବୀପ ଶିଳ୍ପ ସୁରକ୍ଷା ଓ ବିକାଶ ମଞ୍ଚ ନାଁରେ ଦାମ, ତାଙ୍କ ପୁଅ ସମ୍ବିତ ଓ ସାଂସଦ କୂଳମଣି ସାମଲ, ବିଭିନ୍ନ ଶିଳ୍ପ  ସଂସ୍ଥା ଠାରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ଆଣିଛନ୍ତି ବାପି । ଏଥି ସହିତ ମୁନା ପତି ଗୁଳିକାଣ୍ଡର କେସ୍ ରି-ଓପନ୍ କରିବାକୁ ଦାବି କରିଛନ୍ତି ସେ । ପ୍ରସଙ୍ଗ ଉପରେ ଦାମଙ୍କ ପାରମ୍ପରିକ ବିରୋଧୀ ତଥା ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ମଧ୍ୟ ମୁହଁ ଖୋଲିଛନ୍ତି । ଅଭିଯୋଗ ସତ ପ୍ରମାଣିତ ହେଲେ ଦାମଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଷ୍ଣୁ କହିଛନ୍ତି ।

ବାପି ଓ ବିଷ୍ଣୁଙ୍କ ମୁହଁରୁ ଏଭଳି ଶୁଣି ଦାମବାବୁ ଫାୟାର୍ । ଏସଟିଏଫ ତଦନ୍ତ ପରସରଭୁକ୍ତ ହେବାକୁ ସେ ଚ୍ୟାଲେଞ୍ଜ କରିଛନ୍ତି । ତାଙ୍କ କହିବା କଥା, ବାପୁର କ୍ରାଇମ୍ ରେକର୍ଡ ଥାଇପାରେ କିନ୍ତୁ ଟିଟୋ ସହ କୌଣସି ଲିଙ୍କ୍ ନାହିଁ । ତାଙ୍କୁ ଫସାଇବାକୁ ଏହା ଚକ୍ରାନ୍ତ ବୋଲି କହି ବିଷ୍ଣୁ ଦାସଙ୍କୁ ଛିଗୁଲେଇଛନ୍ତି ଦାମ ବାବୁ । ଟିଟୋ ଲିଙ୍କର ଖୋଳତାଡ଼ ଯେତେ ବ୍ୟାପକ ହେଉଛି, ସେହି ଅନୁପାତରେ ଜୋର୍ ଧରୁଛି ରାଜନୀତି ।

Leave A Reply

Your email address will not be published.