ଭୁବନେଶ୍ୱର : ସେପ୍ଟେମ୍ବର ୪ରୁ -୨୦ ତାରିଖ ପର୍ଯ୍ୟନ୍ତ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ହେବାକୁ ଥିବା ଅଧିବେଶନରେ ମୋଟ ୧୧ଟି କାର୍ଯ୍ୟଦିବସ ରହିଛି । ଆଗକୁ ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ରହିଥିବା ବେଳେ ଏହି ଅଧିବେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ମୌସୁମୀ ଅଧିବେଶନରେ ପ୍ରଥମ ଦିବସ ସେପ୍ଟେମ୍ବର ୪ରେ ସରକାରୀ କାର୍ଯ୍ୟଦିବସ ରହିଥିବାବେଳେ ସେହିଦିନ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ ଉପସ୍ଥାପନା କରିବେ । ସେପ୍ଟେମ୍ବର ୫, ୬, ୧୮ ଓ ୧୯ରେ ସରକାରୀ ଏବଂ ୭ ଓ ୨୦ ତାରିଖରେ ବେସରକରୀ କାର୍ଯ୍ୟଦିବସ ରହିଥିବା ବେଳେ ବିଭିନ୍ନ ବିଲ୍ ଓ ପ୍ରସ୍ତାବ ଉପରେ ଆଲୋଚନା ହେବାର ରହିଛି । ସେପ୍ଟେମ୍ବର ୧୦ରୁ ୧୨ ପର୍ୟ୍ୟନ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା ହେବ । ସେହିପରି ୧୭ରେ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ଆଗତ ହେବା ନେଇ ମଧ୍ୟ ସୂଚନା ଦିଆଯାଇଛି । ସେପ୍ଟେମ୍ବର ୮, ୯, ୧୫ ଓ ୧୬ରେ ଶନିବାର ଏବଂ ରବିବାର ପାଇଁ ଛୁଟି ରହିଛି । ୧୩ରେ ଗଣେଶ ପୂଜା ଓ ୧୪ରେ ନୂଆଁ ଖାଇ ପାଇଁ ମଧ୍ୟ ବିଧାନସଭା ଛୁଟି ରହିବ ।
