ପାଣି ଚିନ୍ତା : ଜଳ ସଂରକ୍ଷଣ ପାଇଁ ୧୧୧୫ କୋଟି,ଜଳସମ୍ପଦ ବିଭାଗ ସହ ନାବାର୍ଡର ଚୁକ୍ତି

ଭୁବନେଶ୍ୱର : ଚିନ୍ତା ବଢ଼ାଉଛି ପାଣି । ଓଡ଼ିଶାର ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପକୁ ଦେଶରେ ପ୍ରଥମ ଥର ସହାୟତା ପାଇଁ ଗ୍ରୀନ୍ କ୍ଲାଇମେଟ୍ (ଜିସିଏଫ୍) ପାଣ୍ଠି ମଞ୍ଜୁର କରିଛି । ନାବାର୍ଡ ମାଧ୍ୟମରେ ଏହି ସଂସ୍ଥା ରାଜ୍ୟ ସରକାରଙ୍କୁ ୨୩୨ କୋଟି ଟଙ୍କା ଯୋଗାଇଦେବ । ଏଥିପାଇଁ ରାଜ୍ୟ ସରକାରଙ୍କ ସହ ନାବାର୍ଡର ଚୁକ୍ତି ସ୍ୱାକ୍ଷର ହୋଇଛି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜଳସମ୍ପଦ ବିଭାଗ ସହ ନାବାର୍ଡ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଜଳ ସଂରକ୍ଷଣ ପାଇଁ ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ସମୁଦାୟ ୧୧୧୫ କୋଟି ଟଙ୍କାର ବଜେଟ୍ ରଖାଯାଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅର୍ଥରେ ୧ ହଜାର ସ୍ଥାନରେ ସୌରଶକ୍ତି ଚାଳିତ ପମ୍ପ୍ରେ ଜଳ ଉତ୍ତୋଳନ କରି ଅଣୁ ଜଳସେଚନ (ମାଇକ୍ରୋ ଇରିଗେସନ୍) ପାଇଁ ବ୍ୟବହାର କରାଯିବା ସହ ୧୦ ହଜାର ପୋଖରୀକୁ ପୁନରୁଦ୍ଧାର କରାଯିବା ଯୋଜନା ରଖାଯାଇଛି । ଆଜି ଏହି ଚୁକ୍ତି ସ୍ୱାକ୍ଷରିତ ହେବାର ମୂଳ ଉଦ୍ଦେଶ୍ୟ ହେଉଛି ଗଚ୍ଛିତ ଜଳକୁ ସଂରକ୍ଷଣ କରି ଜଳସେଚନରେ ବ୍ୟବହାର କରିବା । ବର୍ଷା ଋତୁରେ ଉପଲବ୍ଧ ହେଉଥିବା ବଳକା ଜଳକୁ ରାଜ୍ୟରେ ଥିବା ୧୦ ହଜାର ପୋଖରୀ ପୁନରୁଦ୍ଧାର ସହ ରିଚାର୍ଜ ଷ୍ଟ୍ରକଚର କରାଯାଇ ଜଳକୁ ସଂରକ୍ଷଣ କରାଯିବ । ରାଜ୍ୟ ସରକାର ପଠାଇଥିବା ଯୋଜନାକୁ ଭାରତର ପ୍ରଥମ ପ୍ରକଳ୍ପ ଭାବେ ଜିସିଏଫ୍ ମଞ୍ଜୁର କରିଛି । ଏହି ଯୋଜନା ରାଜ୍ୟର ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି, କଳାହାଣ୍ଡି, କନ୍ଧମାଳ କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଜଳବାୟୁ ପରିବର୍ତ୍ତନ ରାଜ୍ୟର ଜଳସମ୍ପଦ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଥିବା ବେଳେ ଏହାର ନିରାକରଣ ପାଇଁ ରାଜ୍ୟ ସରକାର ଏକ ଯୋଜନା ପ୍ରସ୍ତୁତ କରି ଆର୍ନ୍ତଜାତିକସ୍ତରରେ ସ୍ଥାପନା ହୋଇଥିବା ଜିସିଏଫ୍ ଫଣ୍ଡ୍ରୁ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ । ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଓ ନାବାର୍ଡର ସିଜିଏମ୍ଙ୍କ ମଧ୍ୟରେ ଆଜି ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଶଶିଭୂଷଣ ବେହେରା, ପ୍ରଦୀପ ମହାରଥୀ ଓ ବଦ୍ରି ନାରାୟଣ ପାତ୍ର ଏବଂ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.