ଭୁବନେଶ୍ୱର : ଉତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ରାତିରୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତାକାଲି ଘୂର୍ଣ୍ଣିବଳୟ କ୍ରମଶଃ ଅଧିକ ଘନୀଭୂତ ହୋଇ ୧୨ ତାରିଖ ରାତି ସୁଦ୍ଧା ଲଘୁଚାପରେ ପରିଣତ ହେବ ଓ ଏହାର ପ୍ରଭାବରେ ସେହି ରାତିରୁ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସତର୍କ କରିଛି ପାଣିପାଗ କାର୍ଯ୍ୟାଳୟ । ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରଖ, କଟକ ଓ ପୁରୀ । ୧୨ ତାରିଖ ରାତିରୁ ୧୩ କିମ୍ବା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଥିବା ପାଣିପାଗ କାର୍ଯ୍ୟାଳୟସୂତ୍ରରୁ ଜଣାପଡ଼ିଛି ।
