ନୂଆଦିଲ୍ଲୀ: ଜୈବ ଇନ୍ଧନ ବ୍ୟବହାର ଫଳରେ ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ନୂଆ ଗତି ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କୃଷି ଉତ୍ପାଦରୁ ନିର୍ମିତ ଜୈବ ଇନ୍ଧନ ଫଳରେ ଗାଁ ଓ ସହର ଉଭୟ ସ୍ଥାନରେ ରହୁଥିବା ଲୋକମାନଙ୍କର ଜୀବନରେ ବଡ ପରିବର୍ତ୍ତନ ଅଣାଯାଇପାରିବ ବୋଲି ସେ କହିଛନ୍ତି । ବିଶ୍ୱ ଜୈବଇନ୍ଧନ ଦିବସ-୨୦୧୮ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଚାଷୀ, ବୈଜ୍ଞାନିକ, ଉଦ୍ୟମୀ, ସରକାରୀ ଅଧିକାରୀ ଓ ସାଂସଦମାନଙ୍କୁ ଉଦ୍ବୋଧନ ଦେବା ସହ ନ୍ୟାସ୍ନାଲ୍ ପଲିସି ଫର୍ ବାୟୋ ଫୁଏଲ୍-୨୦୧୮ ପୁସ୍ତିକାର ଉନ୍ମୋଚନ କରିଛନ୍ତି । ଏହା ବ୍ୟତୀତ ସେ ପ୍ରୋ- ଆକ୍ଟିଭ ଏଣ୍ଡ ରେସ୍ପୋନସିଭ ଫେସିଲିଟେସନ ବାଇ ଇଂଟରାକ୍ଟିଭ ଏଣ୍ଡ ଭର୍ଚ୍ୟୁଅସ ଏନଭାୟର୍ନମେଂଟାଲ ସିଂଗଲ ବିଣ୍ଡୋ ହବ( ପରିବେଶ)ର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଜୈବଇନ୍ଧନରୁ ଇଥାନୋଲ ନିର୍ମାଣ ପାଇଁ ପ୍ରୟାସ ପ୍ରଥମ ଥର ପାଇଁ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଆରମ୍ଭ ହୋଇଥିଲା । ଏହାଦ୍ୱାରା କେବଳ ଯେ ଚାଷୀମାନଙ୍କୁ ଲାଭ ହୋଇନାହିଁ ବରଂ ଗତ ବର୍ଷ ୪ ହଜାର କୋଟି ଟଙ୍କାର ବିଦେଶୀ ମୁଦ୍ରା ସଂଚୟ ହୋଇ ପାରିଛି । ଏହି ସଂଚୟକୁ ଆଗାମୀ ଚାରି ବର୍ଷ ମଧ୍ୟରେ ୧୨ ହଜାର କୋଟି ଟଙ୍କାକୁ ପହଂଚାଇବାକୁ ଲକ୍ଷ୍ୟ ଧ୍ୟାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି । ଦେଶରେ ୧୨ଟି ଆଧୁନିକ ରିଫାଇନାରୀ ନିର୍ମାଣର ଯୋଜନା ରହିଛି । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ୨୦୧୫ ମସିହାରୁ ଆଜିର ଦିନକୁ ବିଶ୍ୱ ଜୈବ ଇନ୍ଧନ ଦିବସ ଭାବେ ପାଳନ କରାଯାଉଛି । ପାରମ୍ପାରିକ ଜୀବାଶ୍ମ ଆଧାରିତ ଇନ୍ଧନର ବିକଳ୍ପ ଭାବେ ଜୈବ ଇନ୍ଧନକୁ ବ୍ୟବହାର କରିବାକୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରା ଯାଉଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ଲେଂଡିଂ କାର୍ଯ୍ୟକ୍ରମ ପାଇଁ ଇଥାନୋଲ ଯୋଗାଣରେ ସୁଧାର ପାଇଁ ଅନେକ ପଦକ୍ଷେପ ନିଆ ଯାଇଛି । ଏହା ଫଳରେ ୨୦୧୩-୧୪ରେ ଏହାର ଯୋଗାଣ ୩୮ କୋଟି ଲିଟର ଥିବା ବେଳେ ଏହା ଚଳିତ ବର୍ଷ ୧୪୧ କୋଟି ଲିଟରକୁ ପହଂଚିପାରିଛି । ସେ କହିଛନ୍ତି ଯେ ଜୈବ ଇନ୍ଧନ -୨୦୧୮ ନୂଆ ନ୍ୟାସନାଲ ପଲିସୀ ଅଧିସୂଚିତ କରାଯାଇଛି ଯେଉଁଥିରେ ୨୦୩୦ ସୁଦ୍ଧା ପେଟ୍ରୋଲରେ ଇଥାନୋଲର ବ୍ଲେଣ୍ଡିଂକୁ ୨୦ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖା ଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ, ରାଜପଥ, ଜାହାଜ ଚଳାଚଳ, ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ, ଉପଭୋକ୍ତା ମାମଲା ମନ୍ତ୍ରୀ ରାମବିଳାସ ପାସବାନ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧାମୋହନ ସିଂହ, ବିଜ୍ଞାନ , ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ପ୍ରମୁଖ ଉପସ୍ଥିତ ଥିଲେ ।
