ନବରଙ୍ଗପୁର : ଅମାବାସ୍ୟାର ଅନ୍ଧ ବିଶ୍ବାସ । ଅମାବାସ୍ୟାର ଅନ୍ଧାର ଆଗରୁ ଛଟ ପଟ ହେଉଛନ୍ତି ଶିଶୁ । ଜଣେ କି ଦୁଇ ଜଣ ନୁହେଁ ୨୦ରୁ ଅଧିକ ଶିଶୁଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା ପୁରା ପରିବେଶ । ତଥାପି ବାପା ମା ମାନେ ଶିଶୁଙ୍କୁ ଚେଙ୍କ ଦେବାକୁ ଧାଡିରେ ଅପେକ୍ଷା କରିଥିଲେ ଦିଶାରୀ ଆଗରେ । ଚିତାଲାଗି ଅମାବାସ୍ୟାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ପାପଡାହାଣ୍ଡିରେ । ଚିତାଲାଗି ଅମାବାସ୍ୟାରେ ଚେଙ୍କଦେଲେ ଶିଶୁ ସୁସ୍ଥ ରହନ୍ତି ବୋଲି ଲୋକଙ୍କ ବିଶ୍ବାସ ରହିଛି । ଲୋକେ ଏପେକ୍ଷା କରିଥାନ୍ତି ଚିତା ଲାଗି ଅମାବାସ୍ୟାକୁ । ଆଉ ଅନ୍ଧ ବିଶ୍ବାସକୁ ବିଶ୍ବାସ କରି ନିଜ ପିଲାଙ୍କୁ ଅଜଣାତରେ ମରଣ ମୁଖକୁ ଛେଲିଦେଉଛନ୍ତି ବାପା ମା ।
ପୁଣି ଚେଙ୍କ ଚିକିତ୍ସା । ଜଣେ କି ଦିଜଣଙ୍କୁ ନୁହେଁ ଏକାଥରେ ୨୨ରୁ ଅଧିକ କୋମଳମତି ଶିଶୁଙ୍କୁ ଚେଙ୍କ ଦିଆଯାଇଛି । ଏମିତି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ପାପଡାହାଣ୍ଡିରେ । ଭୀମା ସାହି ଓ କଣ୍ଡା ସାହିର ୨୨ରୁ ଅଧିକ ଶିଶୁଙ୍କୁ ଚେଙ୍କ ଦିଆଯାଇଛି । ପରିବାର ଲୋକେ ଦିଶାରୀଙ୍କ ନିକଟକୁ ନେଇ ଏହି ଶିଶୁ ମାନଙ୍କୁ ଚେଙ୍କ ଦେଇଛନ୍ତି । ଚେଙ୍କ ଦିଆଯାଇଥିବା ସବୁ ଶିଶୁଙ୍କ ବୟସ ୨ ବର୍ଷରୁ ୧୦ ବର୍ଷ ଭିତରେ । ଦିଶାରୀ ନିଆଁରେ ଦାଆକୁ ଗରମ କରି ଶିଶୁମାନଙ୍କ ପେଟରେ ଚେଙ୍କ ଦେଇଛି । ପରିବାର ଲୋକଙ୍କ କହିବା କଥା ପ୍ରତିବର୍ଷ ଚିତାଲାଗି ଅମାବାସ୍ୟାରେ ଶିଶୁମାନଙ୍କୁ ଚେଙ୍କ ଦିଆଯାଇଥାଏ । ଏପରି କଲେ ପିଲାଙ୍କୁ କୌଣସି ପ୍ରକାର ରୋଗ ହୋଇନଥାଏ । ଏଭଳି ପ୍ରଥା ବହୁ ଦିନରୁ ଚାଲିଆସୁଥିବା ସେମାନେ କହିଛନ୍ତି । ଚେଙ୍କ ଚିକିତ୍ସା ଯୋଗୁ ଅନେକ ସମୟରେ ଶିଶୁମାନେ ଗୁରୁତର ହୋଇ ପଡିଥାନ୍ତି । ତେଣୁ ଚେଙ୍କ ଚିକିତ୍ସା ନ କରିବାକୁ ଲୋକଙ୍କୁ ଜ୍ୟୋତି ରଥ ମାଧ୍ୟମରେ ଜିଲ୍ଲା ପ୍ରଶାସନ ସଚେତନ କରିଥିଲା । ଏଥିପାଇଁ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଶ୍ରୀମତି ରଶ୍ମିତା ପଣ୍ଡା ରାଜ୍ୟସ୍ତରରେ ପୁରସ୍କାର ପାଇଥିଲେ । ହେଲେ ନବରଙ୍ଗପୁରରେ ଏହି କୁପ୍ରଥା ବନ୍ଦ ହୋଇପାରିନି ।
(ଫାଇଲ ଫଟୋ)
