ଭୁବନେଶ୍ୱର : ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୃଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ଭିତରେ ଲଘୁ ଚାପ ରୂପ ନେବ । ଏହାର ପ୍ରଭାବରେ ୧୨ରୁ ୧୬ ତାରିଖଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ । ୧୫ ତାରିଖ ଯାଏ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ୧୨ ଓ ୧୩ ତାରିଖରେ ଦକ୍ଷିଣ ଓଡିଶା ମାଲକାନାଗିରି,କୋରାପୁଟ,ନବରଙ୍ଗପୁର,ନୂଆପଡା,କଳାହାଣ୍ଡି,କନ୍ଧମାଳ,ଗଜପତି,ଗଞ୍ଜାମ,ରାୟଗଡାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । କିନ୍ତୁ ୧୪ ଓ ୧୫ରେ ଉପକୂଳ ଓଡିଶା କଟକ,ଖୋର୍ଧା,ଯାଜପୁର ଓ ଉତର ଓଡିଶାର ଭଦ୍ରକ,ବାଲେଶ୍ୱର ଓ ମୟୁରଭଞ୍ଜରେ ପ୍ରବଳରୁ ଅଡି ପ୍ରବଳ ବର୍ଷିବ । ଏହା ସହ ପଶ୍ଚିମ ଓଡିଶାର ସୁନ୍ଦରଗଡ,ବଲାଙ୍ଗୀର ଓ ସୋନପୁରରେ ବି ବର୍ଷା ହେବ । ୧୬ ବେଳକୁ ପଶ୍ଚିମ ଓଡିଶାରେ ବର୍ଷା ବଢିବ । ସୁନ୍ଦରଗଡ,ଝାରସୁଗୁଡା,ବଲାଙ୍ଗୀର ଓ ବରଗଡ ଓ ନୂଆପଡାର କେତେକ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ) ସୂଚନା
ଦୁଇଦିନ ମଧ୍ୟରେ ଓଡ଼ିଶା ସମେତ ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା
ଆସନ୍ତା ଦୁଇଦିନ ମଧ୍ୟରେ ଓଡ଼ିଶା ସମେତ ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ବୁଲେଟିନ୍କୁ ଉଦ୍ଧାର କରି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ) ଏହି ସୂଚନା ଦେଇଛି । ଏନ୍ଡିଏମ୍ଏ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ସିକିମ୍, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଉପକୂଳ ଆନ୍ଧ୍ର ପ୍ରଦେଶ, ଉପକୂଳ କର୍ଣ୍ଣାଟକ, ତାମିଲନାଡ଼ୁ ଓ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । ଆସନ୍ତାକାଲି ଓ ସୋମବାର ଉତ୍ତରାଖଣ୍ଡରେ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କତା ଜାରି କରାଯାଇଛି । ପଶ୍ଚିମକେନ୍ଦ୍ରୀୟ ଆରବସାଗର ଉପରେ ପାଗ ଅତି ଖରାପ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏହାଛଡ଼ା ବଙ୍ଗୋପସାଗର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଚଳିତ ବର୍ଷାଋତୁରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ଯୋଗୁଁ ୭୧୮ ଜଣଙ୍କର ପ୍ରାଣହାନି ଘଟିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ମନ୍ତ୍ରଣାଳୟର ନ୍ୟାସନାଲ୍ ଏମର୍ଜେନ୍ସି ରେସ୍ପନ୍ସ ସେଣ୍ଟର ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶରେ ୧୭୧ ଜଣ ପ୍ରାଣ ହରାଇଛନ୍ତି । ପଶ୍ଚିମବଙ୍ଗରେ ୧୭୦, କେରଳରେ ୧୭୮ ଓ ମହାରାଷ୍ଟ୍ରରେ ୧୩୯ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ଓ ବନ୍ୟା ବିତ୍ପାତରେ ଗୁଜରାଟରେ ୫୨ ଜଣ, ଆସାମରେ ୪୪ ଓ ନାଗାଲ୍ୟାଣ୍ଡରେ ୮ ଜଣ ପ୍ରାଣ ହରାଇଛନ୍ତି । କେରଳରେ ୨୬ ଜଣ ପାଣିରେ ଭାସିଯାଇ ନିଖୋଜ ଥିଲାବେଳେ ପଶ୍ଚିମବଙ୍ଗରେ ୫ ନିଖୋଜ ଅଛନ୍ତି । ବର୍ଷାଜନିତ ଅଘଟଣରେ ୨୪୪ ଜଣ ଆହତ ହୋଇଛନ୍ତି । ବର୍ଷା ଓ ବନ୍ୟାରେ ମହାରାଷ୍ଟ୍ରର ୨୬ଟି ଜିଲ୍ଲା ପ୍ରଭାବିତ ହୋଇଥିଲାବେଳେ ପଶ୍ଚିମବଙ୍ଗର ୨୨, ଆସାମର ୨୩, କେରଳର ୧୪, ଉତ୍ତର ପ୍ରଦେଶର ୧୨, ନାଗାଲ୍ୟାଣ୍ଡର ୧୧ ଓ ଗୁଜରାଟର ୧୦ ଜିଲ୍ଲା ପ୍ରଭାବିତ ହୋଇଛି । ଆସାମରେ ୧୧.୪୫ ଲକ୍ଷ ଲୋକ ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ରାଜ୍ୟରେ ୨୭,୫୫୨ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ଆସାମରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍ଡିଆରଏଫ୍)ର ୧୫ଟି ଟିମ୍ ନିୟୋଜିତ ହୋଇଥିଲେ । ଉତ୍ତର ପ୍ରଦେଶରେ ଆଠଟି ଏନ୍ଡିଆରଏଫ୍ ମୁତୟନ ହୋଇଥିଲେ । ପଶ୍ଚିମବଙ୍ଗରେ ୮, ଗୁଜରାଟରେ ୭, କେରଳ ଓ ମହାରାଷ୍ଟ୍ରରେ ଚାରୋଟି ଲେଖାଏଁ ଏବଂ ନାଗାଲ୍ୟାଣ୍ଡରେ ଗୋଟିଏ ଏନ୍ଡିଆରଏଫ୍ ଟିମ୍ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।
