ନୂଆଦିଲ୍ଲୀ : ଓଡ଼ିଶାର ଚିଲିକା ସମେତ ଦେଶର ପାଞ୍ଚୋଟି ରାଜ୍ୟରେ ୱାଟର୍ ଏରୋଡ୍ରମ୍ ସ୍ଥାପନ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଆସାମ, ଗୁଜରାଟ୍, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ୱାଟର୍ ଏରୋଡ୍ରମ୍ ନିର୍ମାଣ କରି ଲୋକଙ୍କୁ ନିୟମିତ ସେବା ପ୍ରଦାନର ସୁବ୍ୟବସ୍ଥା କରାଯିବ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଚିଲିକା ହ୍ରଦ ଓ ଗୁଜରାଟର ସାବରମତୀ ନଦୀ ଓ ସର୍ଦ୍ଦାର ସରୋବର ଡ୍ୟାମ୍ରେ ୱାଟର୍ ଏରୋଡ୍ରମ୍ ନିର୍ମାଣ କାମ ଆରମ୍ଭ ହେବ । କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏ ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ ଏହି ପ୍ରକଳ୍ପ ହାତକୁ ନେଇ ସରକାର ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ଧାର୍ମିକ ପୀଠର ମହତ୍ତ୍ୱକୁ ଗୁରୁତ୍ୱ ଦେଇଛନ୍ତି । ଗତ ଜୁନ୍ ମାସରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ), ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଓ ସ୍ପାଇସ୍ଜେଟ୍ କର୍ତ୍ତୃପକ୍ଷ ଚିଲିକା ହ୍ରଦ ପରିଦର୍ଶନ କରି ୱାଟର୍ ଏରୋଡ୍ରମ୍ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ । ଚିଲିକା ହ୍ରଦରେ ୱାଟର୍ ଏରୋଡ୍ରମ୍ ପାଇଁ ଡିଜିସିଏ ଲାଇସେନ୍ସ ଦେବାକୁ ରାଜି ହୋଇଛି । ଲୋକଙ୍କୁ ସୁଲଭ ଦରରେ ସି-ପ୍ଲେନ୍ ସେବା ପ୍ରଦାନ ନିମିତ୍ତ ଆପାତତଃ ହାଲୁକା ବିମାନ କିଣିବାକୁ ସରକାର ଜାପାନ୍ର ସେଟୁଚି ହୋଲଡିଙ୍ଗ୍ସ ସହ ରାଜିନାମା କରିଛନ୍ତି । ଏହି ଏରୋଡ୍ରମ୍ କାର୍ଯ୍ୟକାରୀ ହେଲେ ପୂର୍ବ ଭାରତରେ ପର୍ଯ୍ୟଟନ ଶିଳ୍ପର ଗୁରୁତ୍ୱ ବଢ଼ିଯିବ ବୋଲି ସରକାର ଆଶା କରିଛନ୍ତି । ଗତବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାବରମତୀ ନଦୀରୁ ମେହସାନାର ଧାବିସେତୁ ପର୍ଯ୍ୟନ୍ତ ସି-ପ୍ଲେନରେ ଯାତ୍ରା କରିବା ପରେ ଦେଶରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା ।
Prev Post
