ବୁର୍ଲା : ବୁର୍ଲା ବଡ ଡାକ୍ତରଖାନାରେ ଚାକିରୀ ହେଲେ ଡ୍ୟୁଟି ଚାଲିଛି ଘରୋଇ ନର୍ସିଂ ହୋମରେ । ଏମିତ ଜଣେ ଠକ ରେଡିଓଲୋଜିଷ୍ଟ ଧରା ପଡିଛନ୍ତି କ୍ୟାମେରାରେ । ସବୁଠୁ ବଡ କଥା ଏହି ଡାକ୍ତରଙ୍କୁ ରେଡ୍ ହାଣ୍ଡେଡ୍ ଧରିଛନ୍ତି ନିଜେ ଭୀମସାର ନିର୍ଦ୍ଦେଶକ । ଏହି ଭିଜୁଆଲ୍ ଗଣମାଧ୍ୟମକୁ ଆସିବା ପରେ ଏବେ ବୁର୍ଲାର ଅନ୍ୟ ଡାକ୍ତର ଯେଉଁମାନେ କାମରେ ଖିଲାପି କରୁଛନ୍ତି ସେମାନଙ୍କ ଭିତରେ ବି ଛନକା ପଶି ଯାଇଛି । ଏପଟେ ଏହି ଠକ ରେଡିଓଲୋଜିଷ୍ଟଙ୍କୁ ଶୃଖଂଳା କମିଟି ଆଗରେ ହାଜର ହେବାକୁ କୈଫିୟତ ତଲବ କରାଯାଇଛି ।
କ୍ୟାମେରାରେ ଧରା ପଡିଛି ଡାକ୍ତରଙ୍କ କାମ ଖିଲାପି । କଡକ୍ ନିର୍ଦ୍ଦେଶକଙ୍କ ଜାଲରେ ଫଶିଛନ୍ତି ଠକ ଡାକ୍ତର । ବୁର୍ଲା ମେଡିକାଲର ଡ଼ାକ୍ତର ବ୍ରଜବିହାରୀ ପଣ୍ଡା, ଡ୍ୟୁଟି ଆୱାରରେ ବାହାରେ କାମ କରୁଥିଲେ । ବାରମ୍ବାର ତାଗିଦ ପରେ ବି ଶୁଣୁନଥିଲେ । ଶେଷରେ ଷ୍ଟିଙ୍ଗ ଅପରେସନରେ ଧରା ପଡିଛି ସତ । ସବୁଠୁ ବଡ କଥା ଏହି ଠକ ଡାକ୍ତରଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛନ୍ତି ନିଜେ ବୀର ସୁରେନ୍ଦ୍ର ସାଏ ମେଡିକାଲ୍ର ନିର୍ଦ୍ଦେଶକ । ଭଲ କରି ଦେଖନ୍ତୁ, କେମିତି ବୁର୍ଲା ମେଡିକାଲରେ ରୋଗୀ ସେବା ଛାଡି ରୋଡିଓଲୋଜିଷ୍ଟ ଡାକ୍ତର ବ୍ରଜବନ୍ଧୁ ପଣ୍ଡା ଘରୋଇ ନର୍ସିଂ ହୋମରେ ସେବା ଯୋଗାଉଛନ୍ତି । ଧରା ପଡିଯିବା ପରେ ନିର୍ଦ୍ଦେଶକଙ୍କ ଆଗରେ କାକୁତି ମିନତି ବି ହେଉଛନ୍ତି । ଏମିତି ଠକ ଡ଼ାକ୍ତରଙ୍କୁ ଧରିବାକୁ ନିର୍ଦ୍ଦେଶକ ବିଧିବଦ୍ଧ ଯୋଜନା କରିଥିଲେ । ରେଡିଓଲୋଜିଷ୍ଟଙ୍କ ଗତିମତି ବୁଝିଥିଲେ । ଏହା ପରେ ସାବାଡ କରିବାକୁ ଅଣ୍ଟା ଭିଡିଥିଲେ । ଗତକାଲି ଅପରାହ୍ନରେ ଡାକ୍ତର ବ୍ରଜବନ୍ଧୁ ମେଡିକାଲ ଡ୍ୟୁଟିରେ ଅନୁପସ୍ଥିତ ଥିଲେ । ନିର୍ଦ୍ଦେଶକ ଫୋନ କରିଥିଲେ, ହେଲେ ତାଙ୍କୁ ଡାକ୍ତର ବ୍ରଜବନ୍ଧୁ ଭୁଆଁ ବୁଲାଇ ଦେଇଥିଲେ । ତେବେ ଭୀମସାର ନିର୍ଦ୍ଦେଶକ, ପ୍ରଫେସର ଅଶ୍ୱିନୀ କୁମାର ପୂଜାରୀଙ୍କ ପାଖରେ ଥିଲା ସଠିକ ଖବର । ମୋବାଇଲ୍ କ୍ୟାମେରା ଅନ୍ କରି ନିଜେ ନିର୍ଦ୍ଦେଶକ, ନର୍ସିଂ ହୋମ ଭିତରକୁ ପଶି ଯାଇଥିଲେ । ତାଙ୍କୁ ଚିହ୍ନିନଥିବାରୁ ନର୍ସିଂ ହୋମ୍ କର୍ମଚାରୀ ବି ତାଙ୍କୁ ସିଧା ନେଇ ଯାଇଥିଲେ ସ୍କାନିଂ ରୁମ୍କୁ । ଆଉ ସେଇଠି ଧରା ପଡି ଯାଇଥିଲେ ରୋଡିଓଲୋଜିଷ୍ଟ ।
ଅଚାନକ ଧରା ପଡିବା ପରେ ରେଡିଓଲୋଜିଷ୍ଟ ହଡବଡେଇ ଯାଇଥିଲେ । ଅଚାନକ ଧରା ପଡି ଯାଇଥିବାରୁ ନିର୍ଦ୍ଦେଶକଙ୍କୁ ହାତ ଯୋଡି କାକୁତି ମିନତି ହୋଇଥିଲେ । ନିଜ ସପକ୍ଷରେ ସଫେଇ ବି ରଖିଥିଲେ । ଠକ ଡାକ୍ତର ଧରା ପଡିଯିବା ଗୁମର ଫିଟିଛି । ସରକାରୀ ଡାକ୍ତରଖାନାରେ ହାଜିରା ପକାଇ ଘରେଇ କ୍ଲିନିକରେ କାମ କରୁଥିବା ଡାକ୍ତରଙ୍କ ଭିତରେ ଛନକା ପଶିଛି । ଏପଟେ ସ୍ଥାନୀୟ ଲୋକେ ନିର୍ଦ୍ଦେଶକଙ୍କ ଏପରି ପଦକ୍ଷେପକୁ ସାବାସୀ ଦେଇଛନ୍ତି ।
