ରାଜ୍ୟ ସରକାର କେବଳ ପ୍ରଚାରରେ ବ୍ୟସ୍ତ: ବିଜେପି

ଭୁବନେଶ୍ୱର : ‘ମୁଁ ହିରୋ, ମୁଁ ଓଡ଼ିଶା’ ଅଭିଯାନକୁ ବିଜେପି ସମାଲୋଚନା କରିଛି । ୧୯ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାରରେ ୨୦୦୦ ମସିହାରେ ଜନ୍ମିତ ପିଲା ଏବେ ଯୁବକ । ମାତ୍ର ଓଡ଼ିଶାର ଯୁବପିଢ଼ି ସହ ଛଳନା, ପ୍ରତାରଣା, ପ୍ରତିଶ୍ରୁତି ଦେଇ ଏହାକୁ ପାଳନ ନ କରିବା ଓ ଯୁବ ସମାଜର ପ୍ରଗତି କ୍ଷେତ୍ରରେ ଅପାରଗତାକୁ ଲୁଚାଇବା ପାଇଁ ସରକାରୀ ଖର୍ଚ୍ଚରେ କେବଳ ନିର୍ବାଚନ ପ୍ରଚାର ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି, ‘ମୁଁ ହିରୋ, ମୁଁ ଓଡ଼ିଶା’ କାର୍ଯ୍ୟକ୍ରମରେ ୧୫ରୁ ୩୫ ବର୍ଷ ମଧ୍ୟରେ ସ୍ଥାନୀୟ ହିରୋମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ମାନିତ କରାଯିବାର ଯୋଜନା କ୍ରିୟାନ୍ୱୟନ କରିବା ପୂର୍ବରୁ ୧୯ ବର୍ଷ ଶାସନରେ ଓଡ଼ିଶାରେ ୩୫ ବର୍ଷ ବୟସ ସୀମାରେ ଥିବା ଯୁବକଯୁବତୀମାନଙ୍କୁ ସରକାରଙ୍କର ତାଙ୍କ ପ୍ରତି ପାଳନ କରିଥିବା ଦାୟିତ୍ୱର ପ୍ରଥମେ କଡ଼ା ଗଣ୍ଡା ହିସାବ ଦିଅନ୍ତୁ । ୩୫ ବର୍ଷ ବୟସ ସୀମାରେ ଥିବା ଓଡ଼ିଶାର ଯୁବପିଢ଼ି ନବୀନ ଶାସନର ପ୍ରତାରଣାର ଶିକାର ହୋଇଛନ୍ତି ।

୨୦୦୦ ମସିହାରେ ପ୍ରଥମ ଥର ପାଇଁ ଯିଏ ମତ ଦେଇଥିଲା ତା’ର ବୟସ ଏବେ ୩୨ରୁ ୩୬ ବର୍ଷ । ସେହିପରି ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଯିଏ ପ୍ରଥମ ଥର ପାଇଁ ଭୋଟ ଦେଇଥିଲା ତା’ର ବୟସ ଏବେ ୨୭ରୁ ୩୨ । ୨୦୧୯ ମସିହାରେ ଯେଉଁମାନେ ପ୍ରଥମେ ଭୋଟ ଦେବେ, ସେମାନଙ୍କର ବୟସ ୧୮ରୁ ୨୨ । ସେହିପରି ୧୮ରୁ ୩୬ ବର୍ଷ ଯୁବପିଢ଼ିଙ୍କୁ ସେମାନଙ୍କର ଭବିଷ୍ୟତ ପାଇଁ ‘ମୁଁ ଓଡ଼ିଶା, ମୁଁ ହିରୋ’ ପ୍ରଚାର ଏକ ସ୍ଲୋଗାନ ହୋଇପାରେ । ମାତ୍ର ଯୁବପିଢ଼ିର ଆଶା, ଆକାଂକ୍ଷା ଓ ଭରସା ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟକୁ ଉଲ୍ଲେଖ କରି ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ଗତ ଦଶ ବର୍ଷରେ ନିଜର ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ପ୍ରାୟ ମୋଟ ୩୨ ହଜାର ଯୁବକଙ୍କୁ ଚାକିରି ଦେଇଛନ୍ତି । ଏହା ମୋଟ ପଞ୍ଜୀକରଣର ମାତ୍ର ୩ ପ୍ରତିଶତ । ଗାଁ ସାଥୀ ଭାବେ ଯେଉଁମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲା ସେମାନେ କିପରି ଅବସ୍ଥାରେ ଜୀବନ କାଟୁଛନ୍ତି, ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏବେ ରାଜ୍ୟର ପ୍ରାଥମିକ ଶିକ୍ଷାରୁ କଲେଜ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷକ ଓ କର୍ମଚାରୀମାନେ ଭୁବନେଶ୍ୱର ରାଜରାସ୍ତାରେ ପଡ଼ି ରହିଛନ୍ତି । ଓଡ଼ିଶାରେ ଶିଳ୍ପାୟନର ଡିଣ୍ଡିମ ପିଟାଯାଉଥିଲେ ମଧ୍ୟ ଶିଳ୍ପାୟନ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି ।

ରାଜ୍ୟରେ ୯୨ଟି ବୃହତ ଶିଳ୍ପ ଏମ୍ଓୟୁ ମଧ୍ୟରୁ ମାତ୍ର ୪୬ଟି କାର୍ଯ୍ୟକ୍ଷମ ହୋଇଛି । ଏହି ସବୁଥିରେ ସର୍ବମୋଟ ୯୧ ହଜାର ୯୦୨ ଜଣ ଚାକିରି ପାଇଥିବା ରାଜ୍ୟ ସରକାର ବିଧାନସଭାରେ ଲିଖିତ ଉତ୍ତରରେ ମାନିଛନ୍ତି । ନିଯୁକ୍ତି ମେଳା ନାଁରେ ଠକେଇର ଦୋଷୀ ମାନଙ୍କୁ ଦଣ୍ଡ କାହିଁକି ଦିଆଗଲା ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଓଡ଼ିଶାର ଯୁବପିଢ଼ି ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ଓଡ଼ିଶାରେ ଜଳସେଚନ ଅଭାବରୁ କୃଷି, କୋଲ୍ଡ ଷ୍ଟୋରେଜ୍ ଓ ଯୋଜନା ଅଭାବରୁ କୃଷି ଶିଳ୍ପ, ପର୍ଯ୍ୟଟନ ଶିଳ୍ପ ଆଗକୁ ବଢ଼ି ପାରିନାହିଁ । ଓଡ଼ିଆ ଲୋକମାନଙ୍କର ପାରଙ୍ଗମତା ସତ୍ତେ୍ୱ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ‘ମୁଁ ହିରୋ, ମୁଁ ଓଡ଼ିଶା’ ସ୍ଲୋଗାନ ଦେବା ପୂର୍ବରୁ ଯୁବପିଢ଼ିକୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବନ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ପ୍ରଥମେ ଯୁବପିଢ଼ି ପାଖରେ ଉତ୍ତରଦାୟୀ ହେଉ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ମୁଖପାତ୍ର ଗୋଲକ ମହାପାତ୍ର ଓ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.