ବିଜେଡିର କୁପରିଚାଳନାରେ ଯୁବଗୋଷ୍ଠୀ ‘ହିରୋ’ ନୁହେଁ, ‘ଜିରୋ’ ପାଲଟିବେ : ନିରଞ୍ଜନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୮ ବର୍ଷର ବିଜେଡି ସରକାର ସମୟରେ ରାଜ୍ୟରେ ଯୁବଗୋଷ୍ଠୀ ସବୁଠାରୁ ଅବହେଳିତ ଏବଂ ପ୍ରତାରିତ ହୋଇଛନ୍ତି । ରାଜ୍ୟର ଜନସଂଖ୍ୟା ପ୍ରାୟ ୪.୫ କୋଟି ଥିବାବେଳେ ୨୦୧୮ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୮୫ ଲକ୍ଷ ଯୁବକ ଯୁବତୀ ବେକାର ରହିଥିଲେ । ସେମାନଙ୍କ ମଧ୍ୟରେ ପ୍ରାୟ ୩ ଲକ୍ଷ ସ୍ନାତକ ଡିଗ୍ରୀ ହାସଲ କରିଥିବା ଯୁବକ ଯୁବତୀ ଅଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରୀ ସଂଖ୍ୟା ହ୍ରାସ କରାଯାଇଥିବାବେଳେ ବହୁ ପଦବୀ ମଧ୍ୟ ଉଚ୍ଛେଦ କରାଯାଇଛି । ଘରୋଇ କ୍ଷେତ୍ରରେ ରାଜ୍ୟର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ନାହିଁ । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ନାମରେ ରାଜ୍ୟର ଯୁବକ ଯୁବତୀଙ୍କୁ ଭୂଆଁ ବୁଲାଇବା ଆରମ୍ଭ କରିଛନ୍ତି । ୧୮ବର୍ଷ ଧରି ଶୋଇଥିବା ସରକାର ନିର୍ବାଚନ ପୂର୍ବରୁ ଯୁବକ ଯୁବତୀଙ୍କ ଭବିଷ୍ୟତକୁ ନେଇ ଯେଉଁଭଳି ଖେଳ ଖେଳିବା ଆରମ୍ଭ କରିଛନ୍ତି ତାହା ତାଙ୍କୁ ମହଙ୍ଗା ପଡିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ (ପିସିସି) କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଏକ ବିବୃତ୍ତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ୨୦୧୭ ଅକ୍ଟୋବର ସୁଦ୍ଧା ରାଜ୍ୟରେ ମୋଟ ୧.୮ ଲକ୍ଷ ସରକାରୀ ଚାକିରୀ ଖାଲି ପଡ଼ିଥିଲା । ସେଥିମଧ୍ୟରେ ଗ୍ରୁପ୍ ‘ସି’ରେ ସର୍ବାଧିକ ପ୍ରାୟ ୭୭ ହଜାର, ଗ୍ରୁପ୍ ‘ଡି’ରେ ୨୩ ହଜାର ପଦବୀ ରହିଥିଲା । ସରକାରୀ ସେହି ପଦବୀଗୁଡ଼ିକ ପୂରଣ କରିବା ଦିଗରେ କୋ÷ଣସି ପଦକ୍ଷେପ ନେଉନାହାନ୍ତି । ଅନ୍ୟପକ୍ଷରେ ପାଞ୍ଚବର୍ଷ ଧରି ଖାଲିପଡ଼ିଥିବା ପଦବୀଗୁଡ଼ିକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିକଟରେ କଟକ ବଡ଼ ଡାକ୍ତରଖାନାରେ ଗ୍ରୁପ୍ ‘ଡି’ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଥିଲା । ସେଥିପାଇଁ ଇଞ୍ଜିନିୟରିଂ ସ୍ନାତକ, ଏମ୍ଡିଏ ଡିଗ୍ରୀଧାରୀ, ସ୍ନାତକ ଓ ସ୍ନାତକୋତର ଯୁବକଯୁବତୀ ମଧ୍ୟ ଆବେଦନ କରିଥିଲେ । ଏଥିରୁ ରାଜ୍ୟର ବେକାରୀ ସମସ୍ୟା କିଭଳି ଉକ୍ରଟ ଅବସ୍ଥାରେ ପହଞ୍ଚିଛି ତାହା ଅନୁମେୟ । ପିସିସି ସଭାପତି କହିଛନ୍ତି, ରାଜ୍ୟର ବିଜେଡି ସରକାର ବିଭିନ୍ନ ସରକାରୀ ବିଭାଗରେ ଅଧିକାଂଶ କାମ ଘରୋଇ ସଂସ୍ଥାଗୁଡ଼ିକୁ ଠିକାରେ ପ୍ରଦାନ କରିଛନ୍ତି । ଫଳରେ ସେଠାରେ ରାଜ୍ୟର ଯୁବକ ଯୁବତୀ ସିଧାସଳଖ ନିଯକ୍ତି ପାଇବା ଆଶା ମଉଳି ଯାଇଛି । ପ୍ରତିମାସରେ କେହି ନା କେହି ରାଜରାସ୍ତାକୁ ଓହ୍ନାଇ ସେମାନଙ୍କ ହକ୍ ପାଇବାକୁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏଥିରୁ ସରକାରଙ୍କର ଚେତା ପଶୁନାହିଁ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଜେଡି ସରକାର ‘ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି ଯୋଜନା’ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ । ଏହି ଯୋଜନାରେ ପ୍ରତି ଗ୍ରାମପଞ୍ଚାୟତରେ ଅନ୍ୟୂନ ୧୫୦ ଜଣ ଯୁବକ ଯୁବତୀଙ୍କୁ ଆବଶ୍ୟକ କୁଶଳତା ବିକାଶ ତାଲିମ ପ୍ରଦାନ କରାଯିବ ଏବଂ ପରେ ଋଣ ଯୋଗାଣ ସହିତ ସବ୍ସିଡି ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ସେହି ଯୋଜନା କୁଆଡ଼େ ଗଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଓଡ଼ିଶାର ପାଖାପାଖି ୬୦ ଲକ୍ଷ ଲୋକ ଅନ୍ୟ ରାଜ୍ୟରେ ଏବଂ ଦେଶ ବାହାରେ ଦାଦନ ଖଟୁଥିବାବେଳେ ରାଜ୍ୟ ସରକାର କ’ଣ କରୁଛନ୍ତି ବୋଲି ପିସିସି ମୁଖ୍ୟ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୧୭ ବର୍ଷର ଶେଷ ତିନିମାସରେ ରାଜ୍ୟରେ ବେକାରୀ ସଂଖ୍ୟା ମୋଟ ଜନସଂଖ୍ୟାର ୪.୭ ପ୍ରତିଶତ ଥିବାବେଳେ ୨୦୧୮ ପ୍ରଥମ ତିନିମସେର ୬.୭୭ ପ୍ରତିଶତକୁ ବୃଦ୍ଧିପାଇଥିଲା । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପାରାଦ୍ୱୀପ ତୈଳ ବିଶୋଧନାଗାର ଉଦଘାଟନ ସମୟରେ ଓଡ଼ିଶାର ୧ ଲକ୍ଷ ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ସୁଯୋଗ ଯୋଗାଇଦେବାକୁ ଘୋଷଣା କରିଥିଲେ । କିନ୍ତୁ ତାହା ‘ଆକାଶ କଇଁଆ, ଚିଲିକା ମାଛ’ ଭଳି ହୋଇଛି । ୨୦୧୮ ବର୍ଷର ପ୍ରଥମ ତିନିମାସରେ ସର୍ବାଧିକ ବେକାର ଥିବା ଦେଶର ପ୍ରମୁଖ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ୭ମ ସ୍ଥାନରେ ରହିଥିଲା । ରାଜ୍ୟ ସରକାର ଗଠନ କରିଥିବା ବିଜୁ ଯୁବ ବାହିନୀରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ କୌଣସି ସଂରକ୍ଷଣ ବ୍ୟବସ୍ଥା ରଖିନାହାନ୍ତି । ଫଳରେ ଏହି ବର୍ଗର ଯୁବକ ଯୁବତୀ ବିଜୁ ଯୁବବାହିନୀରେ ଉପଯୁକ୍ତ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଉନାହାନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟର ଲକ୍ଷ ଲକ୍ଷ ଯୁବଗୋଷ୍ଠୀଙ୍କ କାନ୍ଧରେ ପାଦ ରଖି ବିଜେଡ଼ି ଆଗାମୀ ନିର୍ବାଚନ ବୈତରଣୀ ପାର ହେବାକୁ ଯେଉଁ ଯୋଜନା କରିଛି, ତାହା ସାକାର ହେବନାହିଁ ଏବଂ ବିଜେଡିର କୁପରିଚାଳନାରେ ଯୁବଗୋଷ୍ଠୀ ‘ହିରୋ’ ନୁହେଁ, ‘ଜିରୋ’ ପାଲଟିବେ ବୋଲି ନିରଞ୍ଜନ ସତର୍କ କରାଇ ଦେଇଛନ୍ତି ।

Leave A Reply

Your email address will not be published.