ଭୁବନେଶ୍ୱର : ଆଜି ଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲୋକସଭାର ବାଚସ୍ପତି ସୋମନାଥ ଚାଟାର୍ଜୀ ଓ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେବ । ଶୋକ ପ୍ରସ୍ତାବ ପରେ ଅଧିବେଶନର ପ୍ରଥମ ଦିନକୁ ମୁଲତବୀ ରଖାଯିବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ୫ ତାରିଖରେ ୨୦୧୮-୧୯ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବ । ସେହିପରି ୬ରେ ଓଡ଼ିଶା ବିଧାନପରିଷଦ ପାଇଁ ସଙ୍କଳ୍ପ ଆସିବ । ଏହି ସଙ୍କଳ୍ପକୁ ପାରିତ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେବେ ।
ଏହି ଅଧିବେଶନରେ ସମୁଦାୟ ୪ଟି ବିଲ୍ ଗୃହୀତ ହେବାର କାର୍ଯ୍ୟକ୍ରମ ରହିଛି । ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ୍ ସଂଶୋଧନ ବିଲ୍୨୦୧୮, ମନ୍ତ୍ରୀମାନଙ୍କ ଦରମା, ଭତ୍ତା ଓ ପେନସନ୍ ସଂଶୋଧନ ବିଲ୍- ୨୦୧୮, ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ୟୁନିଭର୍ସସିଟି ବିଲ୍୨୦୧୮ ଓ ଓଡ଼ିଶା ସମବାୟ ସମିତି ସଂଶୋଧନ ବିଲ୍-୨୦୧୮ ଇତ୍ୟାଦି ୪ଟି ବିଲ୍ ଆଗତ ହେବ । ଚଳିତ ମୌସୁମୀ ଅଧିବେଶନର ସମୁଦାୟ ୧୧ଟି କାର୍ଯ୍ୟ ଦିବସ ମଧ୍ୟରେ ୩ ଦିନ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ୧୦, ୧୧ ଓ ୧୨ ତାରିଖରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ୧୭ ତାରିଖରେ ୨୦୧୮- ୧୯ ମସିହା ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଆସିବ । ଏହି ଅଧିବେଶନ ୨୦ ତାରିଖ ଯାଏ ଚାଲିବ । ସୂଚନାଯୋଗ୍ୟ, ଆସନ୍ତାକାଲି ଅତିରିକ୍ତ ବଜେଟ୍ ଆଗତ ହେବାର ଥିଲା ବେଳେ ଶୋକ ପ୍ରସ୍ତାବ ଯୋଗୁ ଏହା ପରବର୍ତ୍ତୀ ଦିନ ୫ ତାରିଖରେ ଆଗତ ହେବାକୁ ଯାଉଛି । ଏହି ଅବସରରେ ସରକାରୀ ମୁଖ୍ୟ ସଚେତକ ଅମର ଶତପଥୀ ଉପସ୍ଥିତ ଥିଲେ ।
