ବାଲେଶ୍ୱର: ବାଲେଶ୍ୱରଠାରେ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁସ୍ଥ ଓ ସୁଖୀ ଓଡ଼ିଶା ଆମର ଲକ୍ଷ୍ୟ । ଏହି ମେଡିକାଲ୍ କଲେଜ ଦ୍ୱାରା ବାଲେଶ୍ୱରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହୋଇଛି । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିବ । ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଫକୀରମୋହନ ଓଡ଼ିଆ ଭାଷା ଓ ସାହିତ୍ୟର ତ୍ରାଣକର୍ତ୍ତା ଥିଲେ । ସଙ୍କଟ ସମୟରେ ସେ ତାଙ୍କ ବଳିଷ୍ଠ ଲେଖନୀ ମାଧ୍ୟମରେ ଓଡ଼ିଆ ଭାଷା ଓ ସାହିତ୍ୟର ଗୌରବକୁ ପୁନରୁଦ୍ଧାର କରିଥିଲେ । ସେ ଥିଲେ ଶିକ୍ଷା ଓ ବ୍ୟକ୍ତି ସ୍ୱତନ୍ତ୍ରତାର ବାର୍ତ୍ତାବହ । ତାଙ୍କ ନାମରେ ଏହି ଶିକ୍ଷାନୁଷ୍ଠାନକୁ ଲୋକାର୍ପିତ କରି ସେ ବହୁତ ଖୁସି ।
ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଓ ଯୋଜନା କରିଛନ୍ତି । ଏହା ସହିତ ଅଗଷ୍ଟ ୧୫ ତାରିଖରେ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ରାଜ୍ୟବାସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ମିଳିପାରିବ । ୨୦୦୦ ମସିହାରେ ରାଜ୍ୟର ସମୁଦାୟ ଏମ୍ବିବିଏସ୍ ସିଟ୍ ସଂଖ୍ୟା ୩୨୧ ଥିବାବେଳେ, ବର୍ତ୍ତମାନ ରାଜ୍ୟର ଏହି ସଂଖ୍ୟା ୧୦୫୦କୁ ଟପିଛି । ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ଏକ ନୂଆ ଯୁଗର ସୃଷ୍ଟି ହୋଇଛି । ଏହି ଅବସରରେ ନିଜ ବୃତ୍ତିର ଉଚ୍ଚ ଆଦର୍ଶକୁ ବଜାୟ ରଖି ଗରିବ ଲୋକମାନଙ୍କୁ ଶ୍ରଦ୍ଧା ଓ ଅନୁକମ୍ପାର ସହିତ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରଥମ ମହିଳା କବି ତଥା ଡାକ୍ତର କୁନ୍ତଳା କୁମାରୀ ସାବତଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏଥିରେ ଯୋଗଦେଇ କହିଥିଲେ ଯେ, ଓଡ଼ିଶାବାସୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ପାଇଁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ସେ ରାଜ୍ୟକୁ ଅନୁରୋଧ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟରେ ରାଜ୍ୟକୁ ଆହୁରୀ ତିନୋଟି ମେଡିକାଲ କଲେଜ ଓ ହସ୍ପିଟାଲମ ମିଳିବ ବୋଲି ଘୋ,ଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହା ସହ ପୁରୀ ଓ ଯାଜପରରେ ମେଡିକାଲ କଲେଜ କାମକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟ ସରକାର ତାଙ୍କ ଅନୁରୋଧ ରକ୍ଷା କରିବେ ବୋଲି ତାଙ୍କର ବିଶ୍ୱାସ ରହିଛି । ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ଶିଳ୍ପ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦସ, ସାଂସଦ ଅର୍ଜୁନ ଚରଣ ସେଠୀ, ସାଂସଦ ରବୀନ୍ଦ୍ର ଜେନା, ରେମୁଣା ବିଧାୟକ ଗୋବିନ୍ଦ ଦାସ, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ର ଡିନ୍ ପ୍ରତାପ ରଥ ପରିଚାଳନା କରିଥିଲେ । ମେଡିକାଲ ଅଧ୍ୟକ୍ଷ ଡା. ସୁଧୀର ଘୋଷ ଧନ୍ୟବାଦ ଦେଇଥିଲେ । ସୂଚନାଯୋଗ୍ୟ ଯେ ଫକୀରମୋହନ ମେଡିକାଲ କଲେଜ ନିର୍ମାଣ ପାଇଁ ୧୯୮.୫୧ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ରାଜ୍ୟ ସରକାର ଏଥିପାଇଁ ୧୩୩.୨୬ କୋଟି ଟଙ୍କା ଓ କେନ୍ଦ୍ର ସରକାର ୬୫.୨୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।
ସେହିପରି ହସ୍ପିଟାଲ ନିର୍ମାଣ ପାଇଁ ୧୧୫ କୋଟି ଟଙ୍କା ବିନିଯୋଗ ହେବାର ଥିବାବେଳେ ରାଜ୍ୟ ସରକାର ୯୭ କୋଟି ଓ କେନ୍ଦ୍ର ସରକାର ୧୮ କୋଟି ଟଙ୍କା ଖର୍ଚ୍ଚ କରିବେ । ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୨.୬୮ ଏକର ଜମି ମଧ୍ୟ ଯୋଗାଇ ଦେଇଛନ୍ତି । ୧୦୦ ସିଟ୍ ବିଶିଷ୍ଟ ଏହି ମେଡିକାଲ୍ କଲେଜର ପ୍ରଥମବର୍ଷରେ ୯୯ ଛାତ୍ରଛାତ୍ରୀ ଆଡ୍ମିସନ୍ ନେଇଛନ୍ତି । ଆସନ୍ତା ୨୦ ତାରିଖ ପରେ ଏଠାରେ ପାଠପଢ଼ା ଆରମ୍ଭ ହେବ । ମେଡିକାଲ୍ କଲେଜ୍ରେ ନନ୍ କ୍ଲିନିକାଲ୍ ଓ ପାରା କ୍ଲିନିକାଲ୍ ବିଭାଗ ରହିଥିବା ବେଳେ ଆଗାମୀ ଦିନରେ ଏହାକୁ ଲେଭଲ୍ ୱାନ୍ ଟ୍ରମା ସେଣ୍ଟର ନିର୍ମାଣ ଲାଗି ସରକାର ଯୋଜନା କରିଛନ୍ତି ।
