ବିଳାସପୁର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଦେଇ ୫୦ କୋଟି ଟଙ୍କା ଦାବି କରିଥିବା ବ୍ୟକ୍ତି ଜଣକ ଛତିଶିଗଡ଼ର ବିଳାସପୁର ଜିଲ୍ଲା ଜେଲ୍ର ଜଣେ କଏଦୀ ବୋଲି ଜଣାପଡ଼ିଛି । ପୁଷ୍ପେନ୍ଦ୍ର ନାଥ ଚୌହାନ (୪୦) ନାମକ ଏହି କଏଦୀ ଜଣକ ଡକାୟତି ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୯ରୁ ଜେଲ୍ରେ ଅଛି । ଏହି କଏଦୀର ଘର ଛତିଶିଗଡ଼ର ଜାଞ୍ଜଗିର୍-ଚମ୍ପା ଜିଲ୍ଲାରେ । ବିଳାସପୁର ଏସ୍ପି ଆରିଫ୍ ଶେଖ୍ ଚିଠି ସମ୍ପର୍କରେ ଅଧିକ କିଛି ପ୍ରକାଶ ନ କରି ତଦନ୍ତ ଜାରି ରହିଛି ବୋଲି କହିଛନ୍ତି । ସେ କହିଛନ୍ତି, ଡାକ ଯୋଗେ ଏହି ଚିଠି ପଠାଯାଇ ଥିଲା ଓ ଅଗଷ୍ଟ ୨୫ରେ ଓଡ଼ିଶା ପୁଲିସ ଚିଠି ପାଇଥିଲା । ଚୌହାନଙ୍କୁ ଜେରା ବେଳେ ସେ ସାଧାରଣରେ ଦୃଷ୍ଟିଆକର୍ଷଣ କରିବା ପାଇଁ ଏପରି କରିଥିଲା ବୋଲି ପୁଲିସ ଆଗରେ ସ୍ୱୀକାର କରିଛି । ତେବେ ତା’ର ମାନସିକ ସ୍ଥିତି ଭଲ ନଥିବା ବିଳାସପୁର ଏସ୍ପି କହିଛନ୍ତି । ଗତକାଲି ଛତିଶିଗଡ଼ ପୁଲିସ ମହାନିର୍ଦ୍ଦେଶକ (ଜେଲ୍) ଗିରିଧାରୀ ନାୟକ ବିଳାସପୁର ଜେଲ୍ ପରିଦର୍ଶନରେ ଆସି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
