ଛେଣ୍ଡିପଦ: ସୃଷ୍ଟିର ସବୁଠାରୁ ବଡ଼ ଓ ପବିତ୍ର ସମ୍ପର୍କ ହେଉଛି ଭାଇ-ଭଉଣୀଙ୍କ ସମ୍ପର୍କ । ଭାଇର ଦୀର୍ଘାୟୁ କାମନା କରିବା ସହିତ ତାକୁ (ଭଉଣୀ) ସାରା ଜୀବନ ସୁରକ୍ଷା ଦେବା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ । କିନ୍ତୁ ଛେଣ୍ଡିପଦା ଅଞ୍ଚଳର ଜଣେ ଭଉଣୀକୁ ତା’ର ସାନ ଭାଇ ଦଲାଲ ସହ ମିଶି ୧୫ ହଜାର ଟଙ୍କାରେ ଉତ୍ତର ପ୍ରଦେଶର ଝାନ୍ସୀ ଅଞ୍ଚଳରେ ବିକ୍ରି କରି ଦେଇଥିବା ଅଭିଯୋଗ ଆସିଛି ।
ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବତୀ ୧୨ ବର୍ଷ ତଳେ ସେହି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ବିବାହ କରିଥିଲେ । ପରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେବା ପରେ ସେ ତାଙ୍କ ବାପ ଘରେ ରହୁଥିଲେ । ଗତ ରଥଯାତ୍ର ସମୟରେ ଝାନସୀ ଅଞ୍ଚଳର ହରିରାମ ନାମକ ଜଣେ ଯୁବକ ଏବଂ ତାଙ୍କ ସହିତ ବାଗଡ଼ିଆ ଫାଣ୍ଡି ଅଞ୍ଚଳର ଜଣେ ଦଲାଲ ଯୁବତୀଙ୍କ ଘରେ ପହଞ୍ଚି ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେମାନେ ଯୁବତୀଙ୍କ ଭାଇକୁ ୧୫ ହଜାର ଟଙ୍କା ମଧ୍ୟ ଦେଇଥିଲେ । ଯୁବତୀଙ୍କ ଅନିଚ୍ଛା ସତ୍ତେ୍ୱ ଭାଇ ଜଣକ ତାଙ୍କ ଭଉଣୀକୁ ଗ୍ରାମରେ ଥିବା ଶିବ ମନ୍ଦିରରେ ହରିରାମ ସହିତ ବିବାହ କରାଇଦେଇ ଝାନସୀ ପଠାଇ ଦେଇଥିଲେ । ସେଠାକାର ଭାଷା, ପରିବେଶ, ଖାଦ୍ୟପେୟ ଓ ଚଳଣି ସହିତ ଯୁବତୀ ଖାପଖୁଆଇ ଚଳିପାରି ନଥିଲେ ।
ଦେଢ଼ମାସ ଝାନସୀରେ ରହିବା ପରେ ଭାଇକୁ ରାକ୍ଷୀ ପିନ୍ଧାଇବାର ବାହାନା ଦେଖାଇ ଯୁବତୀ ଜଣକ ତାଙ୍କ ସ୍ୱାମୀ ହରିରାମ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଘରକୁ ଆସିଥିଲେ । ଯୁବତୀ ଜଣକ ଘରେ ପହଞ୍ଚିବା ପରେ ସେଠିକାର ପରିବେଶ ସମ୍ପର୍କରେ ଭାଇକୁ କହିବାରୁ ଭାଇ କିଛି ନଶୁଣି ହରିରାମ ସହିତ ଝାନସୀ ଚାଲି ଯିବାକୁ କହିଥିଲା । ଏତିକି ବେଳେ ସଂପୃକ୍ତ ଯୁବତୀ ସେମାନଙ୍କ କଥାରେ ରାଜି ନହୋଇ ଘରୁ ଲୁଚି ଜଙ୍ଗଲକୁ ପଳାଇଥିଲେ । ସେ ଜଙ୍ଗଲରେ ନଖାଇପିଇ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗ୍ରାମକୁ ଫେରି ଏକ ପାଳଭାଡ଼ି ତଳେ ଶୋଉଥିଲେ । ଗତ ରବିବାର ଭୋରର ଯୁବତୀ ଜଣକ ବସ୍ ଯୋଗେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଚାଲିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ସାନ ଭାଇ ଧରିନେଇ ଘରକୁ ଆଣିବା ସହିତ ଏକ ଘରେ ବନ୍ଦ କରି ରଖିଥିଲେ । ଏ ସଂକ୍ରନ୍ତରେ ଗ୍ରାମର ଜଣେ ଅଙ୍ଗନୱାଡି କର୍ମୀଙ୍କଠାରୁ ଖବର ପାଇ ପୁଲିସ ଘର ଭିତରୁ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ତାଙ୍କ ସାନ ଭାଇକୁ ଛେଣ୍ଡିପଦା ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
