ବିଜେଡି ଫଣ୍ଡରେ ଆର୍ଥିକ କାରବାର ପ୍ରସଂଗ: ନବୀନ କହିଲେ ଏହା ମିଥ୍ୟା, ଅପପ୍ରଚାର

ଭୁବନେଶ୍ବର: ବିଜେଡି ଫଣ୍ଡରେ ଆର୍ଥିକ କାରବାର ଓ ନିର୍ବାଚନ ଖର୍ଚ୍ଚକୁ ନେଇ ଏକ ଇଂରାଜୀ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହାକୁ ନେଇ ଯୋର ଧରିଛି ରାଜ୍ୟ ରାଜନୀତି । ବିଜେଡି ଆର୍ଥିକ କାରବାରକୁ ହାଓ୍ବଲା ସହ ଯୋଡିଛନ୍ତି ବିରୋଧୀ । ବିଜେଡିର ଆରଟିଜିଏସ ମାଧ୍ୟମରେ ପ୍ରାର୍ଥୀଙ୍କୁ ଅର୍ଥ ଦେବା ଓ ପ୍ରାର୍ଥୀ ନିର୍ବାଚନ କମିଶନଙ୍କ ପାଖରେ ରଖିଥିବା ହିସାବରେ ଏହି ତଥ୍ୟର ତାଳ ମେଳ ନଥିବା ଆରୋପ ଆଣିଛି ବିଜେପି । ସେପଟେ ଏନେଇ ମୁହଁ ଖୋଲିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବିଜେଡି ଆକାଉଣ୍ଟ ଅର୍ଥ କାରବାର ନେଇ ଦିଲ୍ଲୀରୁ ଭୁବନେଶ୍ବର ବହୁଛି ଝଡ଼। ଏପଟେ ଦଳ କହିଛି ଏହା ପଛରେ ରହିଛି ଷଡ଼ଯନ୍ତ୍ର । ଏନେଇ ମୁହଁ ଖୋଲିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ମିଥ୍ୟା ଓ ଅପପ୍ରଚାର । ଆବଶ୍ୟକ ହେଲେ ଏହା ବିରୋଧରେ ଆଇନର ଆଶ୍ରୟ ନେବ ଦଳ ବୋଲି ନବୀନ କହିଛନ୍ତି। । ୫ ଦିନିଆ ଦିଲ୍ଲୀ ଗସ୍ତରୁ ଫେରିଥିବା ନବୀନ ଏ ପୂରା ଝଡ଼ ପାଇଁ ବିରୋଧୀଙ୍କ ଆକ୍ଷେପ କରିଛନ୍ତି । ଏହା ପଛରେ ରାଜନୈତିକ ଷଡଯନ୍ତ୍ରର ଗନ୍ଧ ବାରିଛନ୍ତି ନବୀନ ।
ପୂର୍ବରୁ ମାମଲା କୋର୍ଟରେ ପହଞ୍ଚିଛି, ପୁଣି କଣ କୋର୍ଟ? ଏମିତି ପରିହାସ କରିଛି ବିଜେପି। ବିଜେପି କହିଛି- ବିଜେଡି ତାର ଦଳୀୟ ପାଣ୍ଠିରୁ ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କୁ ଦେଇଥିବା ଅର୍ଥ ହିସାବରେ ତାଳମେଳ ନାହିଁ। ପ୍ରାର୍ଥୀ ନିର୍ବାଚନ କମିଶନଙ୍କ ପାଖରେ ଯେଉଁ ତଥ୍ୟ ରଖିଛନ୍ତି ସେ ତଥ୍ୟ ଦଳର ହିସାବ ସହିତ ମେଳ ଖାଉନି। ଏହାର ପ୍ରତିବାଦରେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଆଉ କଂଗ୍ରେସ ବି ସରକାରୀ ଦଳକୁ ଆଟାକ କରିଛି । ଆଇନକୁ ନାଲିଆଖି ଦେଖାଇବା ବିଜେଡିର ପୁରୁଣା ଅଭ୍ୟାସ । ଯଦି ବିଜେଡି ଏତେ ସ୍ବଶ୍ଥ ତେବେ ସିବିଆଇ ତଦନ୍ତ କରାନ୍ତୁ ସରକାର । ବେଳେ ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ତଥା ମନ୍ତ୍ରୀ ଶଶୀ ଭୂଷଣ ବେହେରା କହିଛନ୍ତି । ବିଜେଡିକୁ ବଦନାମ କରିବାକ ଅୁଚେଷ୍ଟା କରାଯାଉଛି ।ଏହା ସଫଳ ହେବନି ।
ବିଜେଡି ୨୦୧୪ ନିର୍ବାଚନ ଖର୍ଚ୍ଚର ଆର୍ଥିକ କାରବାରକୁ ନେଇ ଦାଖଲ ହୋଇଥିବା ସତ୍ୟପାଠକୁ ଯାଞ୍ଚକରିବାକୁ ଓଡିଶା ହାଇକୋର୍ଟ ରାଜ୍ୟ ନିର୍ବାଚନ କମିଶନଙ୍କୁ ଏକ ମାସ ସମୟ ଦେଇଛନ୍ତି । ଆଉ ଏତିକି ବେଳକୁ ଏକ ଇଂରାଜୀ ଗଣମାଧ୍ୟମରେ ଏସଂପର୍କୀତ ଖବର ପ୍ରସାରଣ ପରେ ବିରୋଧୀ ଏହାକୁ ଗଣ୍ଠି ପକାଇଛନ୍ତି।

Leave A Reply

Your email address will not be published.