ଅଭିନେତ୍ରୀ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ


କଟକ : ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କର ଶନିବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଅଭିନେତ୍ରୀ ନିକିତା ମହାନଦୀ ବିହାରରେ ନିଜ ବାପଘରେ ରହୁଥିଲେ । ଶୁକ୍ରବାର ରାତିରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଘରର ଛାତ ଉପରୁ ପଡ଼ିଯିବାରୁ ତାଙ୍କର ମୁଣ୍ଡରେ ଆଘାତ ଲାଗିଥିଲା ବୋଲି କୁହାଯାଉଛି । କିନ୍ତୁ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆଘାତ ଲାଗିବାରୁ ନିକିତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଚକିତ୍ସିତ ହେଉଥିବା ନର୍ସିଂହୋମ ପକ୍ଷରୁ ସୂଚନା ଦିଆଯାଇଛି ।

ଏ ସମ୍ପର୍କରେ ମର୍କତନଗର ଥାନାରେ ୨/୧୯ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡମେଡିକାଲ ପଠାଇଛି । ତିରିଶି ବର୍ଷିୟା ନିକିତା ୨୦୧୭ ମସିହାରେ ଅଭିନେତା ଲିପନଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ୪ମାସର ଏକ ଶିଶୁପୁତ୍ର ରହିଥିବା ଜଣାପଡ଼ିଛି । ଏହି ମୃତ୍ୟୁକୁ ନେଇ କଳାକାରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷ ଦର୍ଶନ ପାଇଁ ସିନେମା ଜଗତ ତଥା ଟେଲିଜଗତର କଳାକାରଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ୨୦୧୧ ମସିହାରେ ଓଲିଉଡ୍ର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ତୁ ମୋ ଆଖିର ତାରା’ରେ ନିକିତାଙ୍କୁ ପ୍ରଥମେ ଅଭିନୟର ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଭୂମିକା ସଂକ୍ଷିପ୍ତ ରହିଥିଲା ।

ଏହାପରେ ତାଙ୍କୁ ସଂଜୟଙ୍କର ଅନ୍ୟତମ ଚଳଚ୍ଚିତ୍ର ‘ମିତ ମୁଁ ବସିଛି ଭୂତ ସାଥିରେ’ ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଚୋରି ଚୋରି’ ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମଥାରେ ଦେଇ ପାଟ ଓଢ଼ଣୀ’ ଓ ଶୁଭାଶିଷ ପତିଙ୍କ ନିର୍ଦ୍ଦେଶିତ ‘ଗୁଣ୍ଡା’ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ । ଟିଭି ଦୁନିଆର ଚର୍ଚ୍ଚିତ ଚେହେରା ଥିଲେ ନିକିତା । ତରଙ୍ଗ ଚାଲେନ୍ରେ ‘ଏସିପି ନିକିତା’, ‘ତପସ୍ୟା’ ଧାରାବାହିକ ଲୋକପ୍ରିୟିତା ହୋଇଥିଲା । ଏଥିସହିତ ନିକିତା ଟିଭି ଧାରାବାହିକ ‘ମା’ର ପଣତ କାନି’,‘ଆଖି ଖୋଲିବାକୁ ଡର ଲାଗୁଛି’ରେ ବଳିଷ୍ଠ ଅଭିନୟ କରିଥିଲେ ।

Leave A Reply

Your email address will not be published.