୯ଟି ପ୍ରକଳ୍ପର ୧୧୭୭ କୋଟିର ନିବେଶକୁ ମଞ୍ଜୁରି

ଯାଜପୁରରେ ହେବ ଇଲେକ୍ଟ୍ରିକ୍ ଯାନ କାରଖାନା, ସାତପଡ଼ାରେ ହେବ ଗଲ୍‌ଫ ରିସୋର୍ଟ

ଭୁବନେଶ୍ବର: ସିଙ୍ଗଲ୍‌ ୱିଣ୍ଡୋ ଜରିଆରେ ଆଜି ରାଜ୍ୟ ସରକାର ୧୧୭୭ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ସବୁ ପ୍ରକଳ୍ପ କାର‌୍ୟ୍ୟକାରୀ ହେଲେ ୬୦୩୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସାନିଟାରି ଓୟାର, ‌ସୌର ଶକ୍ତି ପ୍ଲାଣ୍ଟ୍‌, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌, ଆତିଥେୟତା, ଇଲେକ୍‌ଟ୍ରୋନିକ୍ସ ମାନୁଫାକ୍‌ଚରିଂ ଓ ଆଇଟି ସେବା କ୍ଷେତ୍ରରେ ଏହି ନିବେଶ ପ୍ରସ୍ତାବଗୁଡ଼ିକ ଆସିଛି। ରାଜ୍ୟର ଏକ କଂପାନି କଟକର ରାମଦାସପୁରରେ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ। ସେଠାରେ ୧୫୬୦ ଜଣ ଲୋକଙ୍କୁ ନିଯୁକ୍ତି ମିଳିବ। ଏହି କାରଖାନାରେ ମସଲା, ପାସ୍ତା, ନୁଡୁଲ୍ସ, ଫଳ ରସ ଓ ରେଡି ଟୁ ଇଟ୍ ଉତ୍ପାଦ ଉତ୍ପାଦନ କରାଯିବ। ସେହିପରି, ରାଜ୍ୟର ଏକ ଅଗ୍ରଣୀ ଅଟୋମୋବାଇଲ୍ ଡିଲର୍‌ସିପ୍ ଶୃଙ୍ଖଳା ପକ୍ଷରୁ ଯାଜପୁରରେ ୫୨.୪୧ କୋଟି ଟଙ୍କା ବିନିଯୋଗରେ ଏକ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କାରଖାନା ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏକ ଘରୋଇ ଆଲୁମିନିୟମ କଂପାନି ସମ୍ବଲପୁରର ହୀରାକୁଦରେ ୬୦ କୋଟି ଟଙ୍କା ବିନିଯୋଗରେ କୋଲ୍ ଗ୍ୟାସିଫିକେସନ୍ କାରଖାନା ସ୍ଥାପନ କରିବାର ପ୍ରସ୍ତାବ ଦେଇଛି। ଏକ ‌ହୋଟେଲ୍‌ ସଂସ୍ଥା ପୁରୀର ସାତପଡ଼ା ଠାରେ ୧୨୫ କୋଟି ଟଙ୍କା ଖର୍ଚ କରି ଗଲଫ୍‌ ରିସୋର୍ଟ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ଏହି ପ୍ରକଳ୍ପ କାର‌୍ୟ୍ୟକାରୀ ହେଲେ ୫୫୦ ନିଯୁକ୍ତି ସୁଯୋଗ ସୃ୍ଷ୍ଟି ହେବ। ଜୟପୁରର ଏକ ମୋବାଇଲ୍ ହ୍ୟାଣ୍ଡସେଟ୍ ଓ ଆକ୍‌ସେସୋରିଜ୍ ନିର୍ମାତା ଭୁବନେଶ୍ବରର ଇନ୍‌ଫୋଭାଲିରେ ୭୫ କୋଟି ଟଙ୍କା ନିବେଶ କରିବାର ପ୍ରସ୍ତାବ ଦେଇଛି। କଂପାନି ଏଠା‌ରେ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ, ବ୍ୟାଟେରି, ଚାର୍ଜର ଓ ପାୱାର ବ୍ୟାଙ୍କ ଉତ୍ପାଦନ କରିବାକୁ ଚାହୁଁଛି। ସେହିପରି ହାଇଦ୍ରାବାଦର ଏକ ସଫ୍ଟଓୟାର କଂପାନି ଇନ୍‌ଫୋଭାଲିରେ ଏକ ସଫ୍ଟଓୟାର ‌ଡେଭେଲପ୍‌ମେଣ୍ଟ୍‌ ସେଣ୍ଟର୍‌ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। କଂପାନି ଏବାବଦରେ ୬୦ କୋଟି ଟଙ୍କା ନିବେଶ କରିବ। ଦୁଇଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିପିସିଏଲ୍‌ ବରଗଡ଼ ଇଥାନଲ୍ ବାୟୋ ରିଫାଇନାରି କାରଖାନାରେ ୨୫୦ କୋଟି ଟଙ୍କା ଓ ଏଚ୍‌ଆଇଏଲ୍‌ ଗଞ୍ଜାମର ଛତ୍ରପୁରରେ ୧୦୦ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଇଛି। ଇସ୍ପାତ କ୍ଷେତ୍ର ପାଇଁ ଆସିଥିବା ୩୫୨୬ କୋଟି ଟଙ୍କାର ଦୁଇଟି ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ମଞ୍ଜୁରି କତୃର୍ପକ୍ଷ ନିକଟକୁ ପଠାଇ ଦିଆଯାଇଛି। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରି କତୃର୍ପକ୍ଷଙ୍କ ୮୨ତମ ବୈଠକରେ ଏହି ସବୁ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ଅବସରରେ ଶିଳ୍ପ ସଚିବ ସଞ୍ଜୀବ ‌ଚୋପ୍ରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.