କ୍ରାଇମବ୍ରାଂଚ ସାଜିଛି ବିଜେଡି ନେତାଙ୍କ ପାଇଁ ଢାଲ : ବିଜେପି

କ୍ରାଇମବ୍ରାଂଚ ତଦନ୍ତ ବାଟବଣା, ୯୦ ପ୍ରତିଶତ ଦୋଷୀ ଖସିଯିବା ପ୍ରସଙ୍ଗ

ଭୁବନେଶ୍ୱର : ଦୋଷୀଙ୍କୁ ଧରିବାରେ ବିଫଳ ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ସାଜିଛି ବିଜେଡି ନେତାଙ୍କ ପାଇଁ ଢାଲ । କ୍ରାଇମବ୍ରାଂଚର ରେକର୍ଡ କହୁଛି ତାର ପାରିବାପଣିଆ । ୧୦୦ ଜଣେ ଅଭିଯୁକ୍ତଙ୍କ ମଧ୍ୟରେ ୯୦ ଜଣ ଖସିଯିବାକୁ ସକ୍ଷମ ହେଉଛନ୍ତି । ଏପରି ସ୍ଥିତିରେ ପିପିଲି ଗଣଦୁଷ୍କର୍ମ ଓ ଋଷି ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଅଭିଯୋଗ ଆସିଥିବା ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ କି ପ୍ରକାର ନ୍ୟାୟ ଦେବ ବୋଲି ପ୍ରଶ୍ନ କରିଛି ରାଜ୍ୟ ବିଜେପି ।
ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଓଡିଶାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରହିଥିବା ଗୃହ ବିଭାଗ ଦୋଷୀଙ୍କୁ ଧରିବାରେ ବିଫଳ ହେଉଛି । ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ପାରିବା ପଣିଆ ଜଣାପଡୁଛି । ବାଡ ଖାଉଛି ଫସଲ, ରକ୍ଷକ ସାଜୁଛି ଭକ୍ଷକ । ତେଣୁ ନିଜକୁ ଶ୍ରେଷ୍ଠ ପ୍ରଶାସକ ବୋଲାଉଥିବା ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେବା ଦରକାର ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।


 କ୍ରାଇମବ୍ରାଂଚ ରେକର୍ଡ କହୁଛି ତାର ପାରିବାପଣିଆ, ୧୦୦ ଜଣେ ଅଭିଯୁକ୍ତଙ୍କ ମଧ୍ୟରେ ୯୦ ଜଣ ଖସିଯିବାକୁ ସକ୍ଷମ ହେଉଛନ୍ତି
 ପିପିଲି ଦୁଷ୍କର୍ମ ଓ ଋଷି ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ମିଳିବା ନେଇ ସନ୍ଦେହ
 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରହିଥିବା ଗୃହ ବିଭାଗ ଦୋଷୀଙ୍କୁ ଧରିବାରେ ବିଫଳ ହେଉଛି
 ବାଡ ଖାଉଛି ଫଷଲ, ରକ୍ଷକ ସାଜୁଛି ଭକ୍ଷକ
 ନିଜକୁ ଶ୍ରେଷ୍ଠ ପ୍ରଶାସକ ବୋଲାଉଥିବା ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେବା ଦରକାର

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଟ୍ରାକ୍ ରେକର୍ଡ କହୁଛି ରାଜ୍ୟରେ କ୍ରାଇମବ୍ରାଂଚ ତଦନ୍ତ କରୁଥିବା ମାମଲାର ଫଳ ଶୂନ ରହିଛି । କ୍ରାଇମବ୍ରାଂଚ ତଦନ୍ତ କରୁଥିବା ମାମଲାର ଦୋଷୀ ସାବ୍ୟସ୍ତ ହାର ୧୦ ପ୍ରତିଶତ ରହିଥିବା ବେଳେ ୯୦ ପ୍ରତିଶତ ଘଟଣାରେ ଅଭିଯୁକ୍ତ ଖସି ପଳାଇବାରେ ସଫଳ ହେଉଛନ୍ତି । ଯାହାକି ଜାତୀୟ ହାର ଠାରୁ ବହୁତ କମ୍ ରହିଛି ।
ପିିପିଲି ବେବିନା ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ କଣ ତାହା ସ୍ପଷ୍ଟ ବାରି ହୋଇପଡୁଛି । ରାଜ୍ୟରେ ବିଶେଷ କରି ମହିଳା ବିରୋଧୀ ହିସାଂ ମାମଲାରେ କ୍ରାଇମବ୍ରାଂଚ ତଦନ୍ତର ଫଳ ଶୂନ । ପ୍ରକୃତ ଅଭିଯୁକଙ୍କୁ ଧରିବାରେ କ୍ରାଇମବ୍ରାଂଚ ସକ୍ଷମ ହେଉନାହିଁ । ସେହିପରି ମେୟର ଅନନ୍ତ ନାରାୟଣ ଜେନାଙ୍କ ଋଷି ହତ୍ୟାକାଣ୍ଡରେ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା । ଘଟଣାର କ୍ରାଇମବ୍ରାଂଚ ତଦନ୍ତର ପ୍ରତିଫଳନ ସ୍ପଷ୍ଟ ବାରି ହୋଇପଡୁଛି । ରାଜ୍ୟରେ ଏପରି ସ୍ଥିତି କଣ ପାଇଁ ସୃଷ୍ଟି ହୋଇଛି ଏହାର ଜବାବ ମୁଖ୍ୟମନ୍ତ୍ରୀ ଦେବାକୁ ଦାବି କରିଛନ୍ତି ଶ୍ରୀ ମହାପାତ୍ର ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ରାଜ୍ୟ ସଂପାଦକ ଶ୍ରୀରଂଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍)

Leave A Reply

Your email address will not be published.