ମୋଦିଙ୍କ ବିଜୟ ମନ୍ତ୍ର, ଶାହଙ୍କ ଦମ୍ଭୋକ୍ତି ଅବକି ବାର୍ ଫିର୍ ମୋଦି ସରକାର

ବିଜେପି ମାନସ ମନ୍ଥନ : ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ଶେଷ ରଷ୍ଟ୍ରୀୟ ଅଧିବେଶନ ସରିଲା

ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମୈଦାନେରେ ଚାଲିଥିବା ବିଜେପି ଜାତୀୟ ପରିଷଦ ବୈଠକରେ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅବକି ବାର୍ ଫିର୍ ମୋଦି ସରକାର ର ନାରା ଦେଇ ଏହି ଦମ୍ଭୋକ୍ତି ବାଢ଼ିଛନ୍ତି ମୋଦି । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ବିଜେପିର ଶେଷ ରାଷ୍ଟ୍ରୀୟ ଅଧିବେଶନରେ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭାରେ ଏକଦା ଦୁଇଟି ଆସନ ପାଇଥିବା ଦଳ ଆଜି ମହାଦ୍ରୁମରେ ପରିଣତ ହୋଇଛି ବୋଲି କହିଛନ୍ତି ମୋଦି। ବିଜେପି ପ୍ରତି ଦେଶର ଲୋକଙ୍କ ବିଶ୍ବାସ ଅତୁଟ ରହିଛି। ସରକାରଙ୍କ ବିରୋଧରେ ଦୁର୍ନୀତିର ଗୋଟିଏ ବି ଅଭିଯୋଗ ନାହିଁ। ସଂଗଠନର ଶକ୍ତି ଏଥିପ୍ରତି ଲୋକଙ୍କ ବିଶ୍ବାସ ବୋଲି ମୋଦି କହିଛନ୍ତି। ସର୍ଦାର ପଟେଲ ଯଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ଦେଶର ଚିତ୍ର ଆଜି କିଛି ଅଲଗା ହୋଇଥାନ୍ତା ବୋଲି ମୋଦି କହିଛନ୍ତି। ୟୁପିଏ ସରକାରକୁ ଟାର୍ଗେଟ କରିଛନ୍ତି ମୋଦି।
ସେ କହିଛନ୍ତି, ଏ କଥା ସତ କି ବିଜେପି ଯେଉଁ ବେଗରେ ଆଗକୁ ବଢୁଥିଲା ସେଥିରେ ଏବେ ବ୍ରେକ୍ ଲାଗିଛି । ତିନୋଟି ବିଜେପି ଶାସିତ ରାଜ୍ୟ ହାତରୁ ଖସିଛି। ମାତ୍ର ଏହା ଶେଷ ନୁହେଁ। ବିରୋଧୀଦଳଗୁଡ଼ିକୁ ଆକ୍ଷେପ କରି ମୋଦି କହିଛନ୍ତି, ସେମାନେ ଦେଶକୁ ଏକ ‘ମଜବୁର୍’ ସରକାର ଦେବାକୁ ଚାହୁଁଛନ୍ତି, ମାତ୍ର ଆମେ ଜନତା ଚାହୁଁଥିବା ଏକ ‘ମଜବୁତ୍’ ସରକାର ଦେଇପାରିବା।
୨୦୧୪ ବର୍ଷ ଠାରୁ ବିଜେପି କ୍ଷମତାକୁ ଆସିବା ପରେ ଦେଶର ବିକାଶ ହୋଉଛି । ଏହାକୁ କଂଗ୍ରେସ ସହ୍ୟ କରି ପାରୁନାହିଁ ବୋଲି କଟାକ୍ଷ କରିଛନ୍ତି ମୋଦି । ଗତ ସାଢ଼େ ଚାରି ବର୍ଷରେ କେନ୍ଦ୍ର ସରକାରଙ୍କ କରିଥିବା ବିଭିନ୍ନ ଜନ ହିତକାରି ଯୋଜନାକୁ ଭୋଟରଙ୍କ ପାଖରେ ପହଞ୍ଚାଇବାକୁ ତୃଣମୂଳ ସ୍ତରରେ ବିଜେପିକୁ କାମ କରିବାକୁ ପଡ଼ିବ ବୋଲି କହିଛନ୍ତି ମୋଦି ।


ବିଜେପି କର୍ମୀଙ୍କୁ ଉଦବୋଧନ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଛନ୍ତି। କୌଣସି ମେଣ୍ଟ ବିଜେପିକୁ ହରାଇପାରିବନି । ଦେଶର ୨୨କୋଟି ପରିବାରଙ୍କ ସମର୍ଥନ ବିଜେପି ପ୍ରତି ରହିଛି ବୋଲି କହିଛନ୍ତି ଅମିତ ଶାହ। ପ୍ରତ୍ୟେକ ଦଳ ସେମାନଙ୍କର ଭୋଟବ୍ୟାଙ୍କଙ୍କୁ ସନ୍ତୁଷ୍ଟ କରିବାପାଇଁ ରାଜନୀତି କରୁଛନ୍ତି।ତେବେ ବିଜେପି ସବକା ସାଥ ବିକାଶକୁ ମନ୍ତ୍ର କରିଛି ବୋଲି କହିଛନ୍ତି ଅମିତ ଶାହ।
ରାମ ମନ୍ଦିର ପ୍ରସଙ୍ଗରେ ଶାହା କହିଥିଲେ ଯେଉଁଠି ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିଲେ ସେହି ସ୍ଥାନରେ ହିଁ ଭବ୍ୟ ମନ୍ଦିର ନିର୍ମାଣ ହେବ । ବିଜେପି ଚାହୁଁଛି ରାମ ମନ୍ଦିର ଶୀଘ୍ର ହେଉ ମାତ୍ର ଏଥିରେ କଂଗ୍ରେସ ବାଧା ଦେଉଛି । ଅନ୍ୟପଟରେ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ପ୍ରକ୍ରିୟା ଆଗକୁ ବଢ଼ି ପାରୁ ନାହିଁ । ଉତ୍ତର ପ୍ରଦେଶ ସଂପର୍କରେ ଦୃଢ଼ୋକ୍ତି ପ୍ରକାଶ କରି ଶାହ କହିଛନ୍ତି ଯେ ବିଜେପି ୟୁପିରେ ୭୩ରୁ ୭୪ ଆସନରେ ବିଜୟୀ ହେବ । ୨୦୧୪ରେ ଆମେ ୭୨ ଆସନ ଦଖଲ କରିଥିଲୁ ଏବଂ ୨୦୧୯ରେ ଏହା ୭୪ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.