ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ଓ ବିଜେପି
ଭୁବନେଶ୍ୱର : କନ୍ଧମାଳ ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଇଥିବା ଶିଶୁର ମୃତ୍ୟୁ ଘଟଣାକୁ ନେଇ ବିରୋଧୀ କିନ୍ତୁ ସନ୍ତୁଷ୍ଟ ନୁହନ୍ତି ।ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀ ଘଟଣାର ନୈତିକ ଦାୟିତ୍ବ ନିଜ ମୁଣ୍ଡକୁ ନିଅନ୍ତୁ ବୋଲି ପିସିସି ସଭାପତି କହିଛନ୍ତି । ଏପରିକି ମହିଳା କଂଗ୍ରେସର ୫ଜଣିଆ ଟିମ୍ ଗକଉଏରେ ପହଞ୍ଚି ନାବାଳିକା ମାଆର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ପ୍ରସଙ୍ଗକୁ ନେଇ ମହାମହିମ ରାଜ୍ୟପାଳଙ୍କୁ ଭେଟିଛି ବିଜେପି ।
ରାଜ୍ୟ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ଶ୍ରୀ ରବି ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟପାଳଙ୍କୁ ଭେଟି ଘଟଣା ସମ୍ବନ୍ଧରେ ଅବଗତ କରାଇବା ସହ ଘଟଣାର ତଦନ୍ତ ଖୁବ ଶୀଘ୍ର କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛି ।
୨୪ ମାର୍ଚ୍ଚ ୨୦୧୭ରେ ବିଧାନସଭାରେ ତତ୍କାଳିନ ଆଦିବାସୀ ମନ୍ତ୍ରୀ ଏକ ଲିଖିତ ଉତର ମାଧ୍ୟମରେ ଜଣାଇଥିଲେ କି ରାଜ୍ୟ ସରକାର ଅନୂସୁଚିତ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ସେବାଶ୍ରମ ଓ ଛାତ୍ରୀନିବାସରେ ମାସକୁ ଥରେ ଏ.ଏନ.ଏମଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏ ସର୍ମ୍ପକରେ ଏକ ନିର୍ଦ୍ଦେଶନାମା ବିଭାଗର ପତ୍ର ସଂଖ୍ୟା ୭୧୬୮ ତାରିଖ ୩୦ମାର୍ଚ୍ଚ୨୦୧୫ରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଦିଆଯାଇଛି । ସେହି ଚିଠିରେ ଲେଖାଯାଇଛି ନାବାଳିକା ମାନଙ୍କ ଗର୍ଭବତି ସମ୍ବଦ୍ଧରେ ବିଶେଷ ମନିଟରିଙ୍ଗ ପାଇଁ ନିର୍ଦ୍ଦେଶ ଥିବାବେଳେ ନିୟମ ପାଳନ କରାଯାଉନାହିଁ ।
ଅନୂସୁଚିତ ଜାତି ଓ ଜନଜାତି ବିଭାଗର କମିଶନର କମ ସଚିବ ପଦରେ ଜଣେ ଆଏଫଏସ ଅଫିସର ( ଆର ରଘୁ ପ୍ରସାଦ ) ଅଛନ୍ତି ଯେଉଁଟା ଜଣେ ଆଇଏଏସ ରହିବା ଦରକାର । ରାଜ୍ୟର ସମୁଦାୟ ୩୮% ଲୋକ ହେଉଛନ୍ତି ଅନୂସୁଚିତ ଜାତି ଓ ଜନଜାତି ବର୍ଗର । ୧ କୋଟି ୬୦ ଲକ୍ଷ ଲୋକଙ୍କ କଥା ବୁଝିବା ପାଇଁ ଥିବା ବିଭାଗର ଦାୟୀତ୍ୱରେ ଜଣେ ଆଇଏଏସ ଅଧିକାରିଙ୍କୁ ନରଖିବା ସରକାରଙ୍କ ଆଦିବାସୀ ବିରୋଧୀ ମାନସିକତାକୁ ଦେଖାଉଛି । ୟୁଏନଏଫପି ବୋଲି ଯେଉଁ ସଂସ୍ଥାକୁ ରାଜ୍ୟ ସରକାର ଆଶ୍ରମ ସ୍କୁଲରେ ସଚେତନତା ଏବଂ ଆଦିବାସୀ ବାଳିକାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣର ମନିଟରିଙ୍ଗର ଦାୟୀତ୍ୱ ଦେଇଛନ୍ତି ତାହାର ମୁଖ୍ୟ କିଏ ? ଡ. ଦୀପା ପ୍ରସାଦ ଯିଏ ୟୁଏନଏଫପର କନସଲଟାଂଟ ଅଛନ୍ତି ସେ କିଏ ? ଅନୂସୁଚିତ ଜାତି ଓ ଜନଜାତି ବିଭାଗର କମିଶନର ପଦରେ ଥିବା ଆର ରଘୁ ପ୍ରସାଦଙ୍କ ସର୍ମ୍ପକୀୟ ବୋଲି ତାଙ୍କୁ ସେହି ପଦରେ ରଖାଯାଇଛି କି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।
କେବଳ ସୁପରିଟେଣ୍ଡଙ୍କୁ ବହିଷ୍କାର କରି ଦାୟିତ୍ୱ ଖସାଇଲେ ଚଳିବ ନାହିଁ । ବେପରୁଆ ଏବଂ ଦାୟୀତ୍ୱହୀନତା ପାଇଁ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ ଇସ୍ତଫା ଦିଅନ୍ତୁ ଏବଂ କମିଶନରଙ୍କୁ ତୁରନ୍ତ ନିଲମ୍ବନ କରାଯାଉ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ସୁକେଶୀ ଓରାମ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ ଓ ନିୟତିଗିରି, ଏସଟି ମୋର୍ଚ୍ଚା ସଂପାଦକ ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
