ଭୁବନେଶ୍ୱର : କୋଲକାତାରୁ ଓଡ଼ିଶା ଚାଲାଣ ହେଉଥିବା ଏତେ ପରିମାଣର କଏନ୍ ଦେଖି ତାଜୁବ ହୋଇଯାଇଛନ୍ତି ଖୋଦ୍ ତଦନ୍ତକାରୀ ଟିମ୍ । ରାଜ୍ୟ ପୋଲିସ ବିଭାଗ ମଧ୍ୟ ଏହି କଏନ୍ କାରବାରର ରହସ୍ୟ ଖୋଜିବାକୁ ଚେଷ୍ଟା କରୁଛି । ତେବେ ଏହି କଏନରୁ ବ୍ଲେଡ୍ ଏବଂ ଛୁଞ୍ଚି ତିଆରି କରି ମାଲେମାଲ ହେଉଥିବା କିଛି ଲୋକ ଏଭଳି କଏନ କାରବାରରେ ସାମିଲ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଗୋଟିଏ ଟଙ୍କିକିଆ କଏନ୍ ତରଳାଇ ସେଥିରୁ ୨ଟି ବ୍ଲେଡ୍ ଓ ୫ଟି ଛୁଞ୍ଚି ତିଆରି କରାଯାଇ ପାରୁଛି । ଫଳରେ ମାତ୍ର ୧ଟଙ୍କାରୁ ୧୦ରୁ ୧୪ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବା ସମ୍ଭବ ହୋଇପାରୁଛି । ଆଉ ସେଇଥିପାଇଁ ହୁଏତ ଏଭଳି କଏନ୍ କାରବାର ଚାଲିଛି । କୋଲକାତାରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସରୁ ବସ୍ତାବସ୍ତା କଏନ ଜବତ୍ ହେବା ପରେ ଏମିତି କିଛି ଆଶଙ୍କା କରାଯାଉଛି । ଦୁଇଟି ବସରୁ ୪୫ବସ୍ତା କଏନ୍ ଜବତ କରିବା ପରେ ଏନେଇ ଆରମ୍ଭ ହୋଇଛି ତନାଘନା । ଜବତ ହୋଇଥିବା ବସ୍ତାଗୁଡ଼ିକରେ ପ୍ରାୟ ୭୦ରୁ ୮୦କେଜି କଏନ୍ ଥିବା ବେଳେ ଏହାକୁ ଆରବିଆଇକୁ ହସ୍ତାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ଜିଏସଟି ବିଭାଗ । ସାରା ଦେଶରେ ପ୍ରଥମ ଥର ପାଇଁ ଏତେ ପରିମାଣର କଏନ ଚାଲାଣ ଦେଖିବାକୁ ମିଳିଛି ବୋଲି କହିଛନ୍ତି ଜିଏସଟି ଅତିରିକ୍ତ କମିଶନର ସନ୍ତୋଷ କୁମାର ମହାନ୍ତି ।
ସେପଟେ ରାଜ୍ୟ ପୋଲିସ ମଧ୍ୟ ଏଭଳି ଏକ ଘଟଣାକୁ ନେଇ ଚିନ୍ତାରେ ପଡ଼ିଛି । ଘଟଣାରେ ଯଦି କିଛି ଅପରାଧିକ ଦିଗ ବାହାରେ ତାହେଲେ ରାଜ୍ୟ ପୋଲିସ ବିଭାଗ ଏହାର ତଦନ୍ତ କରିବା ବୋଲି କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ଶର୍ମା । କୋଲାକାତାରୁ ଭୁବନେଶ୍ବର ଆସୁଥିବା ଏତେ ପରିମାଣର କଏନ୍ କେବଳ ଭୁବନେଶ୍ବରକୁ ଆସୁଥିଲା ନା’ ଅନ୍ୟ କୌଣସି ରାଜ୍ୟକୁ ଚାଲାଣ ହେଉଥିଲା ତାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ।
ବସ୍ କର୍ମଚାରୀଙ୍କ କଥାକୁ ଆମେ ଯଦି ନଜରକୁ ନେବା ତାହେଲେ ଗଲା ୪-୬ ମାସ ଧରି ଏଭଳି କଏନ ଚାଲାଣ ଚାଲିଥିଲା । ତେବେ ଏତେ ଦିନ ଯାଏ ଏହା କିଭଳି ରାଜ୍ୟ ପୋଲିସ କିମ୍ବା ମାଲ ପରିବହନ ଯାଂଚ ଟିମ୍ ନଜରରେ ପଡ଼ିନଥିଲା ତାକୁ ନେଇ ଉଠିଛି ପ୍ରଶ୍ନ ।
