ଝାରସଗୁଡା ମେଗା ସୋ ରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ,ବିଜେଡିରେ ମିଶିଲେ ନବଦାସ

କେନ୍ଦ୍ର ଅବହେଳାକୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ: ନବୀନ

ଝାରସୁଗୁଡ଼ା : ଝାରସୁଗୁଡ଼ା ଅମଲିପାଲ୍ଲିରେ କେନ୍ଦ୍ର ଅବହେଳା କଥା ଉଠାଇଥିଲେ ନବୀନ୍‌ । ଶତାବ୍ଦୀ ଏକ୍ସପ୍ରେସ୍‌ ଓ କୋଇଲା ରୟାଲିଟି ପାଇଁ ରାଜ୍ୟ ସରକାର ଦାବି କରିଥିଲେ ମଧ୍ୟ କେନ୍ଦ୍ର ସରକାର ଶୁଣୁନାହାନ୍ତି କହି ନିଶାନା ସାଧିଥିଲେ । ଏଥି ସହ ଝାରସୁଗୁଡ଼ା ଜିଲ୍ଲା ପାଇଁ ୬୧୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି ନିକଟରେ  କଂଗ୍ରେସ ଛାଡ଼ିଥିବା  ନବ ଦାସ ।

ଝାରସୁଗୁଡ଼ା ଜିଲ୍ଲା ପାଇଁ ୬୧୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଝାରସୁଗୁଡ଼ା ଏବଂ ଲଖନପୁର ବ୍ଲକରେ ୩୨ଲକ୍ଷ ଟଙ୍କା ବ୍ୟୟରେ ନର୍ମିତ ୬ଟି ଉଠା ଜଳସେଚନ ପ୍ରକଳ୍ପ ଓ ଝାରସୁଗୁଡ଼ା ଓ କିରମିରା ବ୍ଲକରେ ୨ଟି ଗ୍ରିଡ୍‌ ସବଷ୍ଟେସନ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଝାରସୁଗୁଡ଼ା କ୍ୟାନସର କେୟାର ହସ୍ପିଟାଲ, ୪ଟି ମେଗା ଜଳସେଚନ ପ୍ରକଳ୍ପ, ଚୌକିପଡ଼ା ରେଳ ଓଭରବ୍ରିଜ୍‌, ଝାରସୁଗୁଡ଼ାରେ ନିଦାନ କେନ୍ଦ୍ର, ଅମାତି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ନବୀନ । ଏଥି ସହ ୩ହଜାର ୪୮୯ ଏସଏଚଜିଙ୍କୁ ଡିଜିଟାଲ ସଶକ୍ତିକରଣ ସହାୟତା ବାବଦରେ ୧କୋଟି ଟଙ୍କା ପ୍ରଦାନ କରିବା ସହ ୧୪ଶହ ୨୨ ନିର୍ମାଣ ଶ୍ରମିକଙ୍କୁ ସହାୟତା ଏବଂ ୧ ହଜାର ୨ ଭୂମିହୀନ ପରିବାରକୁ ଜମିପଟ୍ଟା ଆବଣ୍ଟନ କରିଛନ୍ତି । ଏସବୁ ଭିତରେ ଝାରସୁଗଡ଼ା ଅମଲିପାଲ୍ଲିରେ କେନ୍ଦ୍ର ଅବହେଳା କଥାକୁ ମଧ୍ୟ ଉଠାଇଛନ୍ତି ନବୀନ । ଶତାବ୍ଦୀ ଏକ୍ସପ୍ରେସ୍‌ ଓ କୋଇଲା ରୟାଲିଟି ପାଇଁ ରାଜ୍ୟ ସରକାର ଦାବି କରିଥିଲେ ମଧ୍ୟ କେନ୍ଦ୍ର ସରକାର ଶୁଣୁନାହାନ୍ତି କହି ନିଶାନା ସାଧିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଝାରସୁଗୁଡ଼ା ବିମାନବନ୍ଦର କଥା ଉଠାଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, କିଛି ଦିନ ତଳେ ଝାରସୁଗୁଡ଼ାରେ ବିମାନବନ୍ଦର ଉଦ୍‌ଘାଟିତ ହୋଇଥିଲା । ଏଥିପାଇଁ ବହୁତ ପ୍ରଚାର କରାଯାଇଥିଲା, ହେଲେ ବିମାନବନ୍ଦରରୁ ବିମାନ ଉଡ଼ିଲା ନାହିଁ ।  ଓଡ଼ିଶା ସରକାର ପାଣ୍ଠି ଦେବା ପାଇଁ ରାଜି ଥିଲେ ମଧ୍ୟ ଏଯାଏଁ ବିମାନ ଚଳାଚଳ ସମ୍ଭବ ହୋଇପାରୁନାହିଁ ।

ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି ନିକଟରେ କଂଗ୍ରେସ ଛାଡ଼ିଥିବା ନବ ଦାସ । ତାଙ୍କ ସହ ୫ବ୍ଲକ ଚେୟାରମ୍ୟାନ୍‌ ଏବଂ ୮ ଜିଲ୍ଲା ପରିଷଦ ସଭ୍ୟ ତାଙ୍କର ଶତାଧିକ ସମର୍ଥକ ମଧ୍ୟ ଶଙ୍ଖଦଳରେ ସାମିଲ ହୋଇଛନ୍ତି । ଏଥି ସହ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

୧୯ ନିର୍ବାଚନକୁ ନଜରରେ ରଖି ଏବେ ପଶ୍ଚିମ ଓଡ଼ିଶାକୁ ଫୋକସ କରିଛି ବିଜେଡି । ଖାସ୍‌ କରି କଂଗ୍ରେସର ଗଡ଼ କୁ୍ହାଯାଉଥିବା ପଶ୍ଚିମ ଓଡ଼ିଶାରେ ଏଥର କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ ।

ଭୁବନେଶ୍ୱର : କଂଗ୍ରେସ ଛାଡ଼ିଥିବା ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତା, ନିର୍ବାଚିତ ପ୍ରତିନିଧି ଓ କର୍ମୀ ଆଜି ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ଏହି ଅବସରରେ ଝାରସୁଗୁଡ଼ାରେ ଆୟୋଜିତ ଯୋଗଦାନ ସମାରୋହକୁ ସମ୍ବୋଧିତ କରି ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ଯେ କିଛି ସମୟ ଆଗରୁ ଆପଣମାନେ ଗୋଟିଏ ଭିଡିଓ ଦେଖୁଥିଲେ । ସେଥିରେ ଓଡ଼ିଶାକୁ କେନ୍ଦ୍ରର ଅବହେଳା ବିଷୟରେ ମୁଁ ୯ଟି ପଏଣ୍ଟ ଉଠାଇଥିଲି । ଆପଣ କୁହନ୍ତୁ, ମୁଁ କିଛି ଭୁଲ କହିଛି? ଏ ଅବହେଳାକୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ ।
ଆଜି ମୁଁ ଆପଣମାନଙ୍କୁ ୩ଟି ବିଷୟରେ କହିବି । ଗତ ୧୮ବର୍ଷ ଭିତରେ ଝାରସୁଗୁଡ଼ା ବହୁତ ବଦଳିଛି । ମୁଁ ଠିକ୍‍ କହୁଛି ନା ନାହିଁ? ଆଗକୁ ଝାରସୁଗୁଡ଼ାର ଆହୁରି ଉନ୍ନତି ହେବ । ଆପଣମାନଙ୍କୁ ସାଥୀରେ ନେଇ ମୁଁ ଝାରସୁଗୁଡ଼ାର ଉନ୍ନତିକୁ ଆଗେଇ ନେବି ।


=ନବ ଦାସଙ୍କ ଯୋଗଦାନ ଦଳ ମଜଭୁତ ହେବ
=ସମସ୍ତଙ୍କ ସହଯୋଗରେ ଝାରସୁଗୁଡ଼ା ଆଗକୁ ଆହୁରି ଉନ୍ନତି କରିବ
=ବହୁ ପ୍ରଚାରିତ ଝାରସୁଗୁଡ଼ା ବିମାନ ବନ୍ଦର ଆଜି ବିମାନ ଶୂନ୍ୟ
=୨୦୧୫ରୁ କୋଇଲା ରୟାଲିଟି ରିଭିଜନ୍‍ ହେଉନାହିଁ, ଓଡ଼ିଶା ହରାଉଛି ହଜାର ହଜାର କୋଟି ଟଙ୍କାର ରାଜସ୍ୱ । ଏ କ୍ଷତିଭରଣା କରିବ କିଏ? ଆମ ପାଇଁ କ’ଣ କେବଳ ପ୍ରଦୂଷଣ?


ଜାତୀୟ ରାଜପଥଗୁଡିକର ଅବସ୍ଥା ଆପଣମାନେ ଜାଣନ୍ତି । ବିଜୁ ଏକ୍ସପ୍ରେସ୍‍ ୱେ ଝାରସୁଗୁଡ଼ା ଦେଇ ଯାଇଛି । ଜାତୀୟ ରାଜପଥ-୨୦୦ ମଧ୍ୟ ଝାରସୁଗୁଡ଼ା ଦେଇ ଯାଇଛି । ଆପଣ କୁହନ୍ତୁ, ଆପଣ କେଉଁ ରାସ୍ତାକୁ ପସନ୍ଦ କରିବେ?
ଝାରସୁଗୁଡ଼ାରେ କିଛିଦିନ ତଳେ ନୂଆ ବିମାନ ବନ୍ଦର ଉଦ୍‍ଘାଟିତ ହେଲା । ବହୁତ ପ୍ରଚାର ହେଲା । କିନ୍ତୁ ବିମାନ ବନ୍ଦର ଖାଲି । ବିମାନ ଉଡ଼ିଲା ନାହିଁ । ମୁଁ କହିଥିଲି ଓଡ଼ିଶା ସରକାର ପାଣ୍ଠି ଦେବେ, ଆପଣ ବିମାନ ଚଳାନ୍ତୁ । କିନ୍ତୁ କିଛି ହେଲା ନାହିଁ । ବିମାନ କଥା ନହେଲେ ନାହିଁ, ଝାରସୁଗୁଡ଼ା ପାଇଁ ଗୋଟିଏ ଶତାବ୍ଦୀ ଏକ୍ସପ୍ରେସ୍‍ ହେଲେ ଦିଅନ୍ତୁ । ଝାରସୁଗୁଡ଼ା-ଭୁବନେଶ୍ୱର ମଧ୍ୟରେ ଶତାବ୍ଦୀ ଏକ୍ସପ୍ରେସ୍‍ ଚଳାଇବା ପାଇଁ ମୁଁ କେନ୍ଦ୍ର ନିକଟରେ ଦାବି କରିଛି, ଦେଖିବା କ’ଣ ହେଉଛି ।
ଆମର ଏ ଅଞ୍ଚଳରେ ବହୁତ କୋଇଲା ଖଣି ଅଛି । କୋଇଲା ରୟାଲିଟି ରିଭିଜନ୍‍ ପାଇଁ ମୁଁ ବହୁବାର ଦାବି କରିଆସିଛି । ୫ ମିନିଟ୍‍ରେ ନିଷ୍ପତ୍ତି ହେବ । କିନ୍ତୁ ୨୦୧୫ରୁ ଏ ପର୍ଯ୍ୟନ୍ତ କିଛି ହେଉନାହିଁ । ଓଡ଼ିଶା ହଜାର ହଜାର କୋଟି ଟଙ୍କା ହରାଉଛି । ଏ କ୍ଷତିଭରଣା କରିବ କିଏ? ଆମ ପାଇଁ କ’ଣ କେବଳ ପ୍ରଦୂଷଣ? ଆପଣମାନେ ବିଚାର କରନ୍ତୁ ।
ଖୁସିର କଥା, ଆଜି ଆପଣମାନଙ୍କ ପ୍ରିୟ ନେତା ନବ ଦାସ ବିଜୁ ଜନତା ଦଳରେ ଯୋଗ ଦେଲେ । ମୁଁ ନବବାବୁ ଓ ତାଙ୍କର ସହଯୋଗୀ ବନ୍ଧୁମାନଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରୁଛି । ନବବାବୁ ଜଣେ ଭଲ ସଂଗଠକ । ଝାରସୁଗୁଡ଼ାରେ ବିଜୁ ଜନତା ଦଳ ଆହୁରି ମଜଭୁତ ହେବ । ସମସ୍ତଙ୍କ ସହଯୋଗରେ ଝାରସୁଗୁଡ଼ା ଆଗକୁ ଆହୁରି ଉନ୍ନତି କରିବ, ଏ ବିଶ୍ୱାସ ମୋର ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଏହି ଯୋଗଦାନ ସମାରୋହରେ ପୂର୍ବତନ ବିଧାୟକ ତଥା ଝାରସୁଗୁଡ଼ା ଜିଲ୍ଲା ସଭାପତି କିଶୋର ମହାନ୍ତି, ପୂର୍ବତନ ବିଧାୟକ ଅନୁପ ସାଏ, ଜିଲ୍ଲା ପର୍ଯ୍ୟବେକ୍ଷକ ରବି ପାଣି, ବିଧାୟକ ମଙ୍ଗଳା କିଷାନ, ପ୍ରଣବ ପ୍ରକାଶ ଦାସ, ସଂଜୟ କୁମାର ଦାସବର୍ମା, ଦେବାଶିଷ ସାମନ୍ତରାୟ, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ସାଂସଦ ପ୍ରଭାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.