ବାପୁଜୀ ନଗର ରାସ୍ତାରେ ଲାଗୁ ହେଲା ୱାନ ୱେ ଟ୍ରାଫିକ୍‌; ନିୟମ ଭାଙ୍ଗିଲେ ଦେବେ ଜୋରିମାନା

ଭୁବନେଶ୍ୱର: ଆଜିଠୁ ବାପୁଜୀ ନଗର ରାସ୍ତାରେ ଲାଗୁ ହେଲା ୱାନ ୱେ ଟ୍ରାଫିକ୍ ବ୍ୟବସ୍ଥା । ତେବେ ଯଦି ଏବେ ନିୟମ କିଏ ଭାଙ୍ଗେ ତାକୁ ଜୋରିମାନା ଦେବାକୁ ପଡିବ । ବାପୁଜୀ ନଗରରେ ଅତ୍ୟଧିକ ଟ୍ରାଫିକ ଜାମ କାରଣରୁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି ।

ବାପୁଜୀ ନଗର ରାସ୍ତାରେ ୱାନ ୱେ  ଟ୍ରାଫିକ ବ୍ୟବସ୍ଥା ନେଇ ପ୍ରଥମେ ୧୫ ଦିନ ଧରି ଲୋକଙ୍କୁ ସଚେତନ କରାଯିବ । ଏହାପରେ ଟ୍ରାଫିକ ଉଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଅଦାୟ ହେବ ଫାଇନ । ଏହି ନୂଆ ନିୟମ ସମ୍ପର୍କରେ ୧୫ ଦିନ ସଚେତନ କରାଯିବା ପରେ ନିୟମ ଉଲଘଂନ କଲେ ୧୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ । ବାପୁଜୀ ନଗର, ରାଜମହଲ, , ଶିଶୁଭବନ, ଏଜି ଛକ ଯିବାପାଇଁ କମିଶନରେଟ ପୋଲିସ ଟ୍ରାଫିକର ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିଛି ।

ନିୟମାବଳୀ ଗୁଡିକ ହେଲା….

-କୌଣସି ଯାନବାହନ ରାଜମହଲର ଓଭରବ୍ରିଜ ନିକଟର ଦୁଇ ପାର୍ଶ୍ୱରେ ଗାଡି ପାର୍କିଂ କରିପାରିବେନାହିଁ ।

-ବାପୁଜୀ ନଗରକୁ ଗଲାବେଳେ ଗାଡ଼ି ଚାଳକ ଗୋଟିଏ ପଟେ ପ୍ରବେଶ ଓ ଅନ୍ୟ ରାସ୍ତା ଦେଇ ପ୍ରସ୍ଥାନ କରିବେ ।

-ବାପୁଜୀ ନଗର ମାର୍କେଟକୁ ଯିବାପାଇଁ ଗାଡ଼ିଗୁଡିକ ରାଜମହଲ ଶିଶୁଭବନ ସବ୍ ମେନ ରୋଡ଼ ୧ ଦେଇ ଯିବେ

-ସବ୍ ମେନ ରୋଡ଼ ୧ ଦେଇ ଆସିବା ପରେ ଆଉ ସେହି ରାସ୍ତାରେ ନ ବାହାରି ସବ୍ ମେନ ରୋଡ଼ ୨ ଦେଇ ସମସ୍ତ ଗାଡି ବାହାରିବେ ।

-ସବ୍ ମେନ ରୋଡ଼ ୧ ଓ ୨ ରାସ୍ତାର ଉଭୟ ପାର୍ଶ୍ୱରେ ସୋମବାର, ବୁଧବାର ଏବଂ ଶୁକ୍ରବାରରେ ବାମ ପାର୍ଶ୍ୱରେ ଯାନବାହନ ପାର୍କିଙ୍ଗ ହେବ ଏବଂ ମଙ୍ଗଳବାର , ଗୁରୁବାର , ଶନିବାର ଓ ରବିବାର ଡାହାଣ ପାର୍ଶ୍ୱରେ ଗାଡି ପାର୍କିଙ୍ଗ କରାଯିବ ।

-ଜନସାଧାରଣ ବାପୁଜୀ ନଗରର ତିନିଟି ସ୍ଥାନ ଜଗନ୍ନାଥ ସେବା ସଦନ , ରବିନ୍ଦ୍ର ମେଡ଼ିକାଲ ଏବଂ ବ୍ୟାଙ୍କ ଅଫ ବରଦା ସାମ୍ନାରେ ପାର୍କିଂ କରିପାରିବେ । ଏଥିଲାଗି ଅତିରିକ୍ତ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା କର୍ମୀଙ୍କୁ ଏସପିଓ ଦାୟିତ୍ଵ ଦିଆଯିବ। ଏହାକୁ ଲାଗୁ କରିବା ସହ ସମସ୍ତ ସ୍ଥାନରେ ସୂଚନା ଫଳକ ଲଗାଯିବା ସହ ୧୫ ଦିନ ସଚେତନ କରାଯିବ । ଏହାପରେ ନିୟମ ଉଲଘଂନ କଲେ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ।

ଏନେଇ ସୂଚନା ଦେଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ।

Leave A Reply

Your email address will not be published.