କାଲିଠୁ କମ୍ପିବ ବରଗଡ : ୧୧ ଦିନ ଚାଲିବ କଂସର ରାଜୁତି

ବରଗଡ଼ :  କାଲିଠୁ ଆରମ୍ଭ ହେବ ବରଗଡ଼ର ୭୦ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆୟୋଜନ ପାଇଁ ଚାଲିଛି ପ୍ରସ୍ତୁତି। କିଏ ରଙ୍ଗୀନ କପଡ଼ାକୁ ସିଲେଇ କରିବାରେ ବ୍ୟସ୍ତ ତ, କିଏ କାଠରେ ଫ୍ରେମ୍‌ ତିଆରି କରିବାରେ ବ୍ୟସ୍ତ। ଆଉ କିଏ କାଠ ଫ୍ରେମ୍‌ରେ କପଡ଼ା ଲଗାଇ ବାନ୍ଧିବାରେ ବ୍ୟସ୍ତ। ସମସ୍ତ ପ୍ରସ୍ତୁତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ବରଗଡ଼ ସହର ପାଲଟିଛି ମଥୁରା ନଗରୀ ଆଉ, ଅମ୍ବାପାଲି ପାଲଟିଯାଇଛି ଗୋପପୁର। ମଥୁରା ନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି। ହାଟପଦା ପଡିଆ ରାଜ ଦରବାର ଲୋକ ମଣ୍ଡପ ପଡିଆକୁ ରଙ୍ଗମହଲ ଭଳି ତିଆରି କରାଯାଇଛି। ରାଜ ଦରବାରର ଓସାର ୧୦୦ ଫୁଟ ଓ ଉଚ୍ଚତା ୬୦ଫୁଟ , ରଙ୍ଗମହଲର ଉଚ୍ଚତା ୬୦ଫୁଟ ଓ ଓସାର ୧୦୦ ଫୁଟ ରହିଛି।

ବରଗଡ ସହର ଏବଂ ଅମ୍ବାପାଲିଠାରେ ୧୮ଟି ମଞ୍ଚ ତିଆରି ହୋଇଥିବା ବେଳେ, ୧୦ କିଲୋମିଟର ପରିଧୀରେ ଚାଲିବ ଧନୁଯାତ୍ରା। ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ୧୩୦ଟି ସାଂସ୍କୃତିକ ଦଳ ଭାଗ ନେବେ। ଧନୁଯାତ୍ରାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ସମସ୍ତ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ଧନୁଯାତ୍ରା କମିଟିର ଆବାହକ କହିଛନ୍ତି।

Leave A Reply

Your email address will not be published.