ଅତିବଡୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନିତ ହେବେ ପ୍ରଖ୍ୟାତ କଥାଶିଳ୍ପୀ ବୀଣାପାଣି ମହାନ୍ତି

ଭୁବନେଶ୍ୱର: ପ୍ରଖ୍ୟାତ କଥାଶିଳ୍ପୀ ବୀଣାପାଣି ମହାନ୍ତି ଓଡ଼ିଆ ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଛନ୍ତି । ଆଜି ଏ ନେଇ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଘୋଷଣା କରାଯାଇଛି ।ନିକଟରେ ‘ପଦ୍ମଶ୍ରୀ’ ସମ୍ମାନ ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା।

ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, ବହ୍ନିବଳୟ, ଉତ୍ତରାୟଣ ଭଳି ୩୪ଟି ଗଳ୍ପ ସଂକଳନ, ସୀତାର ଶୋଣିତ, ମନସ୍ବିନୀ ଓ କୁନ୍ତି କୁନ୍ତଳା ଶକୁନ୍ତଳା ଭଳି ୩ଟି ଉପନ୍ୟାସର ସ୍ରଷ୍ଟା ବୀଣାପାଣି ମହାନ୍ତି ନିଜର ସାହିତ୍ୟ ସାଧନା ଲାଗି  ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମି, ବିଷୁବ ସମ୍ମାନ, ସାରଳା ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ଭଳି ଅନେକ ସମ୍ମାନ ଓ ପୁରସ୍କାର ପାଇ ସାରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳର ମୂଳ ବାସିନ୍ଦା ବୀଣାପାଣି ଏବେ କଟକର ବାଦାମବାଡ଼ିରେ ରହୁଛନ୍ତି। ଅର୍ଥନୀତିରେ ପ୍ରାଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିବା ସାହିତ୍ୟ ସାଧିକା ବୀଣାପାଣିଙ୍କୁ ଏବେ ୮୪ ବର୍ଷ ବୟସ।

‘ପଦ୍ମଶ୍ରୀ’ ସମ୍ମାନ ଲାଗି ମନୋନୀତ ହେବା ପରେ ସେ ନିଜ ପ୍ରତିକ୍ରିୟାରେ କହିଥି‌େଲେ, ‘ବର୍ତମାନ ଯେତେ ପରିମାଣରେ ବହି ପ୍ରକାଶ ପାଉଛି, ସେତେ ପରିମାଣରେ ପାଠକମାନେ ପଢ଼ୁନାହାନ୍ତି। ଟେଲିଭିଜନ, ମୋବାଇଲରେ ସେମାନେ ସମୟ କାଟୁଛନ୍ତି। ଲେଖା ଅନେକ ସମୟରେ ହୃଦୟକୁ ସ୍ପର୍ଶ କରୁନାହିଁ। ଉଠପଡ଼ ଦେଇ ଓଡ଼ିଶା ସାହିତ୍ୟ ଏବେ ଚାଲିଛି। ମୋର ବିଶ୍ବାସ ଯେ ନିଶ୍ଚୟ ଆମ ପଛରେ ଯେଉଁମାନେ ଆସୁଛନ୍ତି, ଅଧିକ ପଢ଼ାପଢ଼ି କରିବେ। ଭଲ ଲେଖିବେ।’

Leave A Reply

Your email address will not be published.