ଭୁବନେଶ୍ୱର: ୨୦୧୪ ପୂର୍ବରୁ ଦେଶରେ ଏକ ଅବିଶ୍ୱାସ ଏବଂ ଭଷ୍ଟ୍ରାଚାରର ପରିବେଶ ଥିଲା । କଂଗ୍ରେସ ୨ଜି, ୩ଜି, ସ୍ପେଟ୍ରମ, କୋଲ ଗେଟ୍, କମନ ୱଲଥ୍ ଗେମ୍ ଭଳି ଅନେକ ଦୁର୍ନୀତିରେ କୋଟି କୋଟି ଟଙ୍କା ଦେଶର ସାଧାରଣଜନତାଙ୍କଠାରୁ ଲୁଟ୍ କରିଛି । କିନ୍ତୁ ଏବେ ଦେଶରେ ପରିବର୍ତନ ହୋଇଛି । ୪ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କୋଟି କୋଟି ଭାରତୀୟଙ୍କ ବିଶ୍ୱାସକୁ ଜିତିପାରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ବିଜେପି ମୁଖପାତ୍ର ଡ. ସମ୍ବିତ ପାତ୍ର କହିଛନ୍ତି ।
ଭାରତର ଜିଡିପି ୭.୪ ପ୍ରତିଶତ ବୃଦ୍ଧି ପାଇଛି । ଭାରତ ଅର୍ଥନତିକ ଦୃଷ୍ଟି ପୂରା ବିଶ୍ୱକୁ ଦେଖାଉଛି । ସ୍ୱାଧୀନତାର ୭୦ ବର୍ଷ ପରେ ବି ଭାରତର ୫୦ ପ୍ରତିଶତ ଲୋକଙ୍କର ବ୍ୟାଙ୍କ ଆକାଉଂଟ ନଥିଲା । କିନ୍ତୁ ମୋଦି ସରକାର ଜନଧନ ଯୋଜନା ମାଧ୍ୟମରେ ଦେଶର ୩୩ କୋଟି ଲୋକ ବ୍ୟାଙ୍କ ଆକାଉଂଟ ଖୋଲିଛନ୍ତି । ୱାଲଡ୍ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ବିଶ୍ୱରେ ଖୋଲା ହୋଇଥିବା ୫୫ ପ୍ରତିଶତ ନୂଆ ବ୍ୟାଙ୍କ ଆକାଉଂଟରୁ ସର୍ବଧୀକ ଭାରତରେ ଖୋଲା ହୋଇଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ କୋଟି ଲୋକଙ୍କୁ ସାମିଲ କରାଯାଇଛି । ଏଥି ସହ ମୋଦି ସରକାର ଆଗାମୀ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ପକ୍କା ଘର ନିର୍ମାଣର ଲକ୍ଷ୍ୟ ରଖିଛନ୍ତି । ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ପାଇଁ ମୋଦି ସରକାର ଦୃଢ ପ୍ରତିଶୃତି ବଦ୍ଧ । ୧୯୪୭ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦେଶରେ ୬.୨୫ କୋଟି ଶୌଚାଳୟ ଥିବାବେଳେ ୪ ବର୍ଷ ଭିତରେ ଏବେ ତାହା ୭.୨୫ କୋଟି ଶୌଚାଳୟରେ ପହଂଚିଛି ବୋଲି ଡ. ପାତ୍ର କହିଛନ୍ତି ।
ଉଜ୍ଜଳା ଯୋଜନା ମାଧ୍ୟମରେ ୩.୮ କୋଟି ପରିବାରକୁ ଇନ୍ଧନ ଗ୍ୟାସ ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ ୮ କୋଟି ଲୋକଙ୍କୁ ୨୦୧୯ ମଧ୍ୟରେ ଏଲପିଜି ସିଲିଣ୍ଡର ପହଂଚାଇବାର ଲକ୍ଷ୍ୟ ରହିଛି ବୋଲି ଡ. ପାତ୍ର କହିଛନ୍ତି ।
ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନା ମାଧ୍ୟମରେ ବର୍ଷକୁ ମାତ୍ର ୧୨ ଟଙ୍କା ପ୍ରିମିୟମରେ ୧୪ କୋଟି ଲୋକଙ୍କୁ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୯୦ ପଇସା ପ୍ରତିଦିନ ଆଧାରରେ ୫.୨୨ କୋଟି ପରିବାରକୁ ସାମିଲ କରାଯାଇଛି । ଏହା ସହ ଅଟଳ ପେନସନ ଯୋଜନା ଦ୍ୱାରା ୧ କୋଟି ଲୋକଙ୍କୁ ସାମିଲ କରାଯାଇଛି ବୋଲି ଡ. ପାତ୍ର କହିଛନ୍ତି ।
୨୦୧୪ ପୂର୍ବରୁ କଂଗ୍ରେସ ଶାସନ ସମୟରେ ମାତ୍ର ୧୧ଟି ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ ହୋଇଥିଲା । ଏବେ ଖାଦ୍ୟ ସୁରକ୍ଷା ଯୋଜନା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ପହଂଚିବା ସହ ଏହାର ଲାଭ ସମସ୍ତ ହିତାଧିକାରୀମାନେ ପାଉଛନ୍ତି ବୋଲି ଡ. ପାତ୍ର କହିଛନ୍ତି ।
୧୮ ବର୍ଷ ଶାସନର ରିପୋର୍ଟ କାର୍ଡ ନବୀନ ବାବୁ ଦିଅନ୍ତୁ
ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ଓଡିଶା ଆଜି ପଛରେ ପଡିଛି
ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦୋ ମୁହାଁ ନୀତି ଅବଲମ୍ବନ କରୁଛନ୍ତି
ମୋଦୀ ସରକାର ଗରୀବଙ୍କ ସରକାର
ଆଗାମୀ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ପକ୍କା ଘର ନିର୍ମାଣର ଲକ୍ଷ୍ୟ ରଖିଛି ବିଜେପି
ଦେଶର ୩ ଲକ୍ଷ ୬୫ ହଜାର ୯ଶହ ୯୬ କୋଟି ଟଙ୍କା ଡିବିଟି ଦ୍ୱାରା ଟ୍ରାନ୍ସଫର ହୋଇ ସଠିକ୍ ହିତାଧିକାରୀଙ୍କ ପାଖରେ ପହଂଚିଛି
ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ପାଇଁ ମୋଦୀ ସରକାର ଦୃଢ ପ୍ରତିଶୃତି ବଦ୍ଧ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ ଯେ, କେନ୍ଦ୍ର ୧ଶହ ଟଙ୍କା ପଠାଇଲେ ହିତାଧିକାରୀ ପାଖରେ ମାତ୍ର ୧୫ ପଇସା ପହଂଚେ । କିନ୍ତୁ ମୋଦି ସରକାର ଏହାକୁ ଭୃଲ ପ୍ରମାଣିତ କରି ଡିବିଟି ଅର୍ଥାତ୍ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ସବସିଡି ଅର୍ଥ ପହଂଚାଇପାରିଛନ୍ତି ।
ଦେଶର ୩ ଲକ୍ଷ ୬୫ ହଜାର ୯ଶହ ୯୬ କୋଟି ଟଙ୍କା ଡିବିଟି ଦ୍ୱାରା ଟ୍ରାନ୍ସଫର ହୋଇଛି । ୪୩୧ଟି କେନ୍ଦ୍ରୀୟ ସ୍କିମର ସବସିଡି ରାଶି ଡିବିଟି ମାଧ୍ୟମରେ ଟ୍ରାନ୍ସଫର ହୋଇଛି । ଏହା ଦ୍ୱାରା ୮୮ ହଜାର କୋଟି ଟଙ୍କା ମୋଦି ସରକାର ଦଲାଲ ମାନଙ୍କଠାରୁ ବଂଚାଇ ରଖିପାରିଛନ୍ତି ବୋଲି ଡ. ପାତ୍ର କହିଛନ୍ତି ।
ମୋଦୀ ସରକାର ଗରୀବଙ୍କ ସରକାର । ଚାଷୀଙ୍କ ପାଇଁ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ୨୦୨୨ ସୁଦ୍ଧା ଆୟ କୃଷକର ଆୟ କିପରି ଦ୍ୱିଗୁଣିତ ହୋଇପାରିବ ସେଥି ପାଇଁ ମୋଦି ସରକାର ବିଭିନ୍ନ ଯୋଜନାର କାର୍ଯ୍ୟକାରୀ କରିଛନ୍ତି । କଂଗ୍ରେସ ସମୟରେ ୟୁରିଆକୁ ଶତପ୍ରତିଶତ ନିମ କୋଟେଡ କରାଯାଉନଥିଲା । ଏହାର ପ୍ରଭାବ ରାଜରାସ୍ତାରେ ଦେଖିବାକୁ ମିଳୁଥିଲା । ବିଜେପି ସରକାର ଶତ ପ୍ରତିଶତ ନିମ କୋଟେଡ ୟୁରିଆ ପାଇଁ କାର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀ ଫସଲ ଯୋଜନା ମାଧ୍ୟମରେ ଅନେକ ଚାଷୀ ଉପକୃତ ହୋଇଛନ୍ତି । ମୋଦି ସରକାର ଖରିଫ ଫସଲର ଉତ୍ପାଦନ ମୂଲ୍ୟରେ ଦେଢଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କୁ ଯୋଗାଇବା ଏକ ଏ÷÷୍ୟତିହାସିକ ପଦେକ୍ଷପ ବୋଲି ଡ.ପାତ୍ର କହିଛନ୍ତି ।
ନାରୀ ସମ୍ମାନ ପାଇଁ ମୋଦୀ ସରକାର ସର୍ବଦା କାର୍ଯ୍ୟରତ । ୧୨ ବର୍ଷ ପର୍ଯ୍ୟନ୍ତ ନାବଳିକାକୁ ଦୁଷ୍କର୍ମ କଲେ ଦୋଷୀ ପାଇଁ ଫାଶୀ ଦଣ୍ଡାଦେଶର ଆଇନ ଆଣିବା ଏକ ଏ÷÷୍ୟତିହାସିକ ପଦକ୍ଷେପ ।
ମୁଦ୍ରା ଓ ଷ୍ଟାଣ୍ଡ ଅପ ମାଧ୍ୟମରେ ଦେଶର ୯ କୋଟି ମହିଳା ସଶକ୍ତିକରଣ ହୋଇପାରିଛନ୍ତି । ୭୦ ପ୍ରତିଶତ ମହିଳା ମାନଙ୍କୁ ମୁଦ୍ରା ଯୋଜନାରେ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ମାଧ୍ୟମରେ ୧.୧୬ କୋଟି ମହିଳା ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଦ୍ୱାରା ୬ ହଜାର ଟଙ୍କାର ସହାୟତା ରାଶି ଗର୍ଭବତୀ ମହିଳାଙ୍କୁ ଯୋଗାଇ ଦିଆଯିବା ସହ ୫୦ ଲକ୍ଷ ମହିଳା ଏହି ଯୋଜନାରେ ଲାଭ ଉଠାଇଛନ୍ତି ବୋଲି ଡ. ପାତ୍ର କହିଛନ୍ତି ।
ମୋଦୀ ସରକାର ଦେଶର ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କ ଉଚ୍ଚଶିକ୍ଷା ପାଇଁ ୭ଟି ଆଇଆଇଟି, ୭ଟି ଆଇଆଇଏମ, ୧୪ଟି ଟ୍ରିପଲ ଆଇଟି, ୧ଟି ଏନଆଇଟି, ୧୦୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ୬୨ଟି ନବଦୋୟ ବିଦ୍ୟାଳୟ ଖୋଲି ଶିକ୍ଷା ପଦ୍ଧତିରେ ଏକ ନୂଆ ସଂସ୍କାର ଆଣିଛନ୍ତି ।
ମୁଦ୍ରା ଯୋଜନା ମାଧ୍ୟମରେ ସ୍ୱରୋଜଗାରକୁ ଆଗକୁ ବଢାଇବା ପାଇଁ ୧୨ କୋଟି ଯୁବକ ମାନଙ୍କୁ ଋଣ ମାଧ୍ୟମରେ ୩ ଲକ୍ଷ କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ କୌଶଲ ବିକାଶ ଯୋଜନାରେ ୧୩ ହଜାର ପ୍ରଶିକ୍ଷଣ କେନ୍ଦ୍ର ଖୋଲି ୩୭୫ଟି ବିଭାଗରେ ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଡ. ପାତ୍ର କହିଛନ୍ତି ।
ସ୍ୱାସ୍ଥ୍ୟ ପାଇଁ ଆୟୁଷ୍ମାନ ଭାରତ ନମୋ କେୟାର ମାଧ୍ୟମରେ ୫ ଲକ୍ଷ ଟଙ୍କା ଲେଖାଏଁ ୧୦ କୋଟି ପରିବାର ତଥା ୫୦ କୋଟି ଲୋକଙ୍କ ପାଖରେ ପହଂଚାଯିବାର ଲକ୍ଷ୍ୟ ରହିଛି । ବିଗତ ବଜେଟରେ ୯୫ ହଜାର କୋଟି ଟଙ୍କା ଅନୁସୂଚିତ ଜାତି ଜନଜାତି ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟୟ ବରାଦ କରାଯାଇଛି ବୋଲି ଡ. ପାତ୍ର କହିଛନ୍ତି ।
ସ୍ୱାଧୀନତାର ୭୦ ବର୍ଷ ପରେବି କଂଗ୍ରେସ ପ୍ରତି ଗାଁରେ ବିଦ୍ୟୁତ ପହଂଚାଇ ପାରିନଥିଲା । ମୋଦି ସରକାର ୧୮ ହଜାର ରାଜସ୍ୱ ଗାଁରେ ବିଦ୍ୟୁତ ପହଂଚାଇ ପାରିଛି । ସୌଭାଗ୍ୟ ଯୋଜନା ଅନୁସାରେ ୬ ଲକ୍ଷ ପଡା ଗାଁ ଏବଂ ୧ କୋଟି ପରିବାରକୁ ବିଦ୍ୟୁତ ସଂଯୋଗ କରାଯାଇଛି । ଆଗାମୀ ଦିନରେ ଆହୁରି ୪ କୋଟି ଘରକୁ ବିଦ୍ୟୁତ ଯୋଗାଇବାର ଲକ୍ଷ୍ୟ ରହିଛି ବୋଲି ଡ. ପାତ୍ର କହିଛନ୍ତି ।
ଡ. ପାତ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ଓଡିଶା ଆଜି ପଛରେ ପଡିଛି । ଆମେ ମୁଦ୍ରା – ସିଏ ନିଦ୍ରା, ଆମେ ଷ୍ଟାଣ୍ଡ ଅପ- ସିଏ ସିଟ୍ ଡାଉନ , ଆମେ ଷ୍ଟାର୍ଟ ଅପ -ସିଏ ସର୍ଟ ଅଫ ବୋଲି ବୋଲି ଡ. ପାତ୍ର କହିଛନ୍ତି ।
କଂଗ୍ରେସ ସରକାର ସମୟରେ ଜାତୀୟ ରାଜପଥ ପ୍ରତିଦିନ ମାତ୍ର ୧୨ କିମି ନିର୍ମାଣ ହେଉଥିଲା । ଏବେ ମୋଦି ସରକାରରେ ୨୭ କିମି ସଡକ ନିର୍ମାଣ ହେଉଛି । ଜାତୀୟ ରାଜପଥ ୨୦୧୩-୧୪ ମସିହା ଯାଏଁ ୯୨ ହଜାର ୮ ଶହ ୫୧ କମି ତିଆରି ହୋଇଥିବାବେଳେ ୨୦୧୭-୧୮ ମସିହାରେ ୧ ଲକ୍ଷ ୨୦ ହଜାର ୫ ଶହ ୪୩ ଜାତୀୟ ରାଜପଥ ତିଆରି ହୋଇପାରିଛି ।
ଗ୍ରାମୀଣ ସଡକ ପରିଯୋଜନାରେ ୨୦୧୩-୧୪ମସିହାରେ ମାତ୍ର ୬୯ କିମି ସଡକ ନିର୍ମାଣ ହେଉଥିଲା ଏବେ ୨୦୧୭-୧୮ରେ ୧୩୪ କିମି ସଡକ ପ୍ରତିଦିନ ତିଆରି ହୋଇପାରୁଛି । ଚଳିତ ବର୍ଷ ରେଳ ଦୁର୍ଘଟଣା ୬୨ ପ୍ରତିଶତ କମ ହୋଇଛି । ଏଥି ସହ ୫୦ ପ୍ରତିଶତ ନୂଆ ରେଳପଥ ନିର୍ମାଣ ହୋଇଛି ବୋଲି ଡ. ପାତ୍ର କହିଛନ୍ତି ।
ଗୋପାଳପୁର ଦୀଘା ଉପକୂଳ ରାଜପଥ, ଉଜ୍ଜା ଗଙ୍ଗା, ପାରାଦୀପ ବନ୍ଦରର ନବୀକରଣ, ସମ୍ବଲପୁରରେ ନୂତନ ଆଇଆଇଏମ ସ୍ଥାପନ ହେବା ଏବଂ ଜାତୀୟ ରାଜପଥ ନିର୍ମାଣ ପାଇଁ ୩୬ ହଜାର କୋଟି ଟଙ୍କା ଓଡିଶାକୁ ପ୍ରଦାନ କରାଯାଇଛି । ଯେଉଁ ଦେଶର ସଡକ ଉନ୍ନତ ସେହି ଦେଶ ସେତିକି ପ୍ରଗତିଶୀଳ । ଅଟଳ ସରକାର ପୂର୍ବରୁ ୧୬ଶହ କିମି ଜାତୀୟ ରାଜପଥ ଥିଲା ପରେ ୩୨ ଶହ କିମି ଏବଂ ଏବେ ମୋଦି ସରକାର ସମୟରେ ୪୮ଶହ ଜାତୀୟ ରାଜପଥ ନିର୍ମାଣ ହୋଇଛି ବୋଲି ଡ. ପାତ୍ର କହିଛନ୍ତି ।
ଅପାର ସମ୍ଭାବନାର ରାଜ୍ୟ ହେଉଛି ଓଡିଶା । ଏହା ସତ୍ୱେ ଓଡିଶା ଆଜି ପଛରେ ରହିଛି । ଦୀର୍ଘ ୧୮ ବର୍ଷ ଶାସନର ରିପୋର୍ଟ କାର୍ଡ ନବୀନ ବାବୁ ଦିଅନ୍ତୁ । ୪ବର୍ଷ ଶାସନ କରି ପ୍ରତି ବର୍ଷ ମୋଦି ସରକାର ଦେଶବାସୀଙ୍କୁ ରିପୋର୍ଟ କାର୍ଡ ଦେଉଛନ୍ତି । ଏତେ ବର୍ଷ ଶାସନ ଭିତରେ ନବୀନ ବାବୁ ଗୋଟିଏ ବର୍ଷ ତାଙ୍କ ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛନ୍ତି କି ବୋଲି ଡ. ପାତ୍ର ପ୍ରଶ୍ନ ଉଠାଇଛନ୍ତି ।
ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦୋ ମୁହାଁ ନୀତି ଅବଲମ୍ବନ କରୁଛନ୍ତି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ହୋଇ ଗୋଟିଏ ବକ୍ତବ୍ୟ ରଖିବା ଏବଂ ଅନ୍ୟପଟେ ଦଳର ସଭାପତି ଭାବେ ଅନ୍ୟ ଏକ ବୟାନ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡ. ପାତ୍ର କହିଛନ୍ତି ।
ମହାନଦୀ ଜଳ ବିବାଦ ପ୍ରସଙ୍ଗର ସମାଧାନ ଖୁବ ଶ୍ୀଘ୍ର ହେବା ଦରକାର । କେନ୍ଦ୍ର ସରକାର ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିବାକୁ ଚାହୁଁଥିଲେ । ଆପୋଷ ବୁଝାମଣାରେ ଏହି ପ୍ରସଙ୍ଗ ସମାଧାନ ହୋଇପାରିଥାନ୍ତା । କିନ୍ତୁ ନବୀନ ସରକାର ଏହାର ସମାଧାନ ନକରି ସାଧାରଣ ଲୋକଙ୍କୁ ବିଭ୍ରାନ୍ତି କରି ରାଜନୀତି ଆରମ୍ଭ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଡ. ପାତ୍ର କହିଛନ୍ତି ।
ଗତଗର୍ଷ ଡିସେମ୍ବର ମାସରେ ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ କହିଥିଲେ କି ଉଚିତ୍ ମାତ୍ରାରେ ପାଣି ଓଡିଶାକୁ ମିଳୁଛି । ମହାନଦୀର ୫୩ ପ୍ରତିଶତ ଜଳ ସମୁଦ୍ରକୁ ଚାଲିଯାଉଛି ବୋଲି ମୁଖ୍ୟମନ୍ତ୍ରୀ ବୟାନ ଦେଇଥିଲେ । ୨୦୫୧ ସୁଦ୍ଧା ଜଳ ସଂରକ୍ଷଣ କରିବେ ବୋଲି କହିବା ଏବଂ ଅନ୍ୟପଟେ ଦଳର ଅଧ୍ୟକ୍ଷ ଭାବେ ମୋଦୀ ଏ ବିଷୟରେ ଚିନ୍ତା କରୁନାହାଁନ୍ତି କହି ଅନ୍ୟ ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗାମୀ ଦିନରେ ଓଡିଶାବାସୀ ଏହାର ଉତର ଦେବେ ବୋଲି ଡ. ପାତ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
