ସର୍ଭେ : ୨୦୧୯ରେ କାହାକୁ ମିଳିବନି ବହୁମତ, ଓଡିଶାରେ ବିଜେପିକୁ ୧୨,ବିଜେଡିକୁ ମିଳିବ ୯ ଲୋକସଭା ସିଟ

ନୂଆଦିଲ୍ଲୀ : ୨୦୧୯ରେ ସରକାର କରିବାକୁ ନୂଆ ନୂଆ ରଣକୈଶଳ ଆପଣାଉଛି ବିଜେପି । କେନ୍ଦ୍ରରେ ପୁଣି ସରକାର ଗଢିବା ସହ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଯୋଜନା ଆରମ୍ଭ କରିଛି ଦଳ । ସେପଟେ କ୍ଷମତାକୁ ଫେରିବାକୁ କଂଗ୍ରେସବି ଅଙ୍କ କଷିବା ଆରମ୍ଭ କରିଛି । ରାହୁଲଙ୍କ ଚେହେରା କାମ କରୁନଥିବାରୁ ପ୍ରିୟଙ୍କାଙ୍କୁ ରାଜନୀତି ମଇଦାନକୁ ଛାଡିଛି କଂଗ୍ରେସ । ହେଲେ ଏତେ ସବୁ ସତ୍ୱେ ଦେଶରେ ଝୁଲା ସରକାର ହେବ ବୋଲି ଆକଳନ କରିଛି ଟିଭି ଜନମତ ସର୍ଭେ ।
ରିପବ୍ଲିକ ଟିଭି ପକ୍ଷରୁ କରାଯାଇଥିବା ସର୍ଭେରେ ଝୁଲା ଲୋକସଭା ପୂର୍ବାନୁମାନ କରାଯାଇଛି । ଏହି ସର୍ଭେ ଅନୁସାର ଏନଡିଏ ୨୩୩ଟି ଆସନ ପାଇବ , ୟୁପିଏ ୧୬୭ଟି ଆସନ ପାଇବ ଓ ମହାଗଠବନ୍ଧନ ୫୭ଟି ଆସନ ପାଇବ । ଓଡ଼ିଶାରେ ବିଜେପି ୧୨ଟି ଓ ବିଜେଡି ୯ଟି ଆସନ ପାଇବ ବୋଲି ଏଥିରେ କୁହାଯାଇଛି ।
ସେହିପରି ଆଜତକର ମୁଡ୍ ଅଫ୍ ଦ ନେସନ ସର୍ଭେରେ ୨୦୧୯ ନିର୍ବାଚନରେ କୌଣସି ଦଳ କିମ୍ବା ମହାମେଣ୍ଟକୁ ଏକାକୀ ବହୁମତ ମିଳିବ ନାହିଁ ବୋଲି କୁହାଯାଇଛି । ଖାସକରି ୨୦୧୯ ନିବାର୍ଚନ ମୋଦି ତଥା ବିଜେପି ପାଇଁ ଏସିଡ ଟେଷ୍ଟ ହେବାକୁ ଯାଉଛି । କାରଣ ଆଗାମୀ ନିର୍ବାଚନରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନଡିଏ । ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ୯୯ଟି ଆସନ ହରାଇପାରେ ଏନଡିଏ । ୨୦୧୪ରେ ଏନଡିଏକୁ ୩୩୬ଟି ଆସନ ମିଳିଥିବା ବେଳେ ୨୦୧୯ରେ ଏହା ୨୩୭ରେ ସୀମିତ ରହିବ ବୋଲି ସର୍ଭେ ରିପୋର୍ଟରେ ସାମ୍ନାକୁ ଆସିଛି । ଯଦି ଏଭଳି ସ୍ଥିତି ଉପୁଜେ ତେବେ ମ୍ୟାଜିକ ନମ୍ବର ଠାରୁ ୩୫ଟି ଆସନ ପଛରେ ରହିବ ବିଜେପି ନେତୃତ୍ୱ ଏନଡିଏ ମେଣ୍ଟ ।

Leave A Reply

Your email address will not be published.