ସାବର ଶ୍ରୀକ୍ଷେତ୍ର,ପାତାଳୀ ଶ୍ରୀକ୍ଷେତ୍ର ଓ ବଳଦେବ ଜୀଉ ପୀଠରେ ଘୋଷଯାତ୍ରା

ଭୁବନେଶ୍ବର  : ସାରା ବିଶ୍ବ ଜଗନ୍ନାଥ ମୟ । ସବୁଠି ଚାଲିଛି ରଥଯାତ୍ରା । ଆଉ ସଭିଙ୍କ ମୁହଁରେ ଜୟ ଜଗନ୍ନାଥ । ପୁରୀ ରଥଯାତ୍ରା ତାର ସ୍ବାତନ୍ତ୍ର୍ୟ ବଜାୟ ରଖିଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ବେଶ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ରଥଯାତ୍ରା ।କୋରାପୁଟର ସାବର ଶ୍ରୀକ୍ଷେତ୍ର, ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷେତ୍ର ଓ କେନ୍ଦ୍ରାପଡାର ବଳଦେବ ଜୀଉ ପୀଠରେ ପାଳିତ ହୋଇଛି ରଥଯାତ୍ରା ।

କୋରାପୁଟର ସାବର ଶ୍ରୀକ୍ଷେତ୍ର :ପୁରାଣ ଶାସ୍ତ୍ର ଅନୁୟାୟୀ, ଜଗନ୍ନାଥ ଆଦିବାସୀଙ୍କ ଠାକୁର । ଯାହାକୁ ସଠିକ୍ ଭାବେ ପ୍ରତିପାଦନ କରିଆସିଛି କୋରାପୁଟର ସାବର ଶ୍ରୀକ୍ଷେତ୍ର । ଏଠି ପାହାଡ଼ ଉପରେ ନିର୍ମାଣ ମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀଜିଉ । ାଉ ପ୍ରତିବର୍ଷ ଏଠି ମଧ୍ୟ ପାଳିତ ହୋଇଥାଏ ମହାପ୍ରଭୁଙ୍କ ରଥଯାତ୍ରା । ସାବର ଶ୍ରୀକ୍ଷେତ୍ର ରଥଯାତ୍ରାର ରହିଛି ଭିନ୍ନ ଏକ ସ୍ବତନ୍ତ୍ରତା । ଏଠି ଆଦିବାସୀଙ୍କ ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟ ସହ ଭଜନ କୀର୍ତ୍ତନ ଦେଖିବାକୁ ମିଳିଥାଏ ।

ରଥଯାତ୍ରା ପାଇଁ ସାବର ଶ୍ରୀକ୍ଷେତ୍ର ଆଜି ସକାଳୁ ହୋଇ ଉଠିଥିଲା ଚଳଚଞ୍ଚଳ । ବ୍ରାହ୍ମ ମୂହୁର୍ତ୍ତରୁ ହିଁ ଆରମ୍ଭ ହୋଇଥିଲା ଶ୍ରୀଜିଉମାନଙ୍କ ସେବାପୂଜା । ମଧ୍ୟାହ୍ନ ଭୋଗ ପରେ ଆରମ୍ଭ ହୋଇଥିଲା ମଙ୍ଗଳ ଆଳତୀ । ଆଉ ତା ପରେ ମାଆ ବିମଳାଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଅପରାହ୍ନ ପ୍ରାୟ ୩ଟା ବେଳକୁ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କୁ ପହଣ୍ଡିରେ ନେଇ ରଥରେ ବସା ଯାଇଥିଲା । ତାଙ୍କ ପରେ ଦେବୀ ସୁଭଦ୍ରାଙ୍କର ଏବଂ ସବା ଶେଷରେ କାଳିଆ ଗୋସେଇଁଙ୍କର ହୋଇଥିଲା ପହଣ୍ଡି । ତିନି ଠାକୁର ରଥାରୁଢ଼ ହେବା ପରେ ଅପରାହ୍ନ ପ୍ରାୟ ୪ଟା ବେଳେ ଆରମ୍ଭ ହୋଇଥିଲା ରଥଟଣା ।

ପୁରୀରେ ଜଗପତି ଦିବ୍ୟସିଂହ ଦେବ ଛେରା ପହଁରା କରିଥିବା ବେଳେ ଏଠି ସେହି କାମ ନିଭାଇ ଥାନ୍ତି ଆଦିବାସୀ ଗାଁ ମୁଖିଆ । ଏଥି ସହିତ ସାବର ଶ୍ରୀକ୍ଷେତ୍ର ରଥଯାତ୍ରାର ସ୍ବତନ୍ତ୍ରତା ହେଉଛି, ଆଦିବାସୀଙ୍କ ଲୋକନୃତ୍ୟ ଓ ଲୋକବାଦ୍ୟ । ଆଦିବାସୀ ଯୁବତୀମାନେ ପାରମ୍ପରିକ ବେଶଭୂଷାରେ ସଜେଇ ହୋଇ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିଥିଲେ । ଆଉ ତା ସହିତ ପାରମ୍ପରିକ ଲୋକବାଦ୍ୟ ସାଙ୍ଗକୁ ଭଜନ କୀର୍ତ୍ତନରେ ପୂରା ପରିବେଶ ଭକ୍ତିମୟ ହୋଇ ଉଠିଥିଲା ।

ସବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷେତ୍ର :ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷେତ୍ରରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟ ସମଲାଇର ଛଳିଆ ପାହଡରେ ଥିବା ଶ୍ରୀମନ୍ଦିରରୁ ଘୋଷଯାତ୍ରାରେ ଭାଇ ଭଉଣୀଙ୍କୁ ଧରି ବହାରିଥିଲେ ମହାପ୍ରଭୁ । ପ୍ରାୟ ୨ ଶହ ଫୁଟ ତଳକୁ ଧାଡ଼ି ପହଣ୍ଡିରେ ବିଗ୍ରହମାନେ ଆସି ରଥାରୁଢ଼ ହୋଇଥିଲେ । ଝିପିଝିପି ବର୍ଷ।ରେ ପହଣ୍ଡିରେ ଆସିଥିଲେ ତିନି ଠାକୁର । ଆଗରେ ବଳଭଦ୍ର ମଝିରେ ଦେବୀ ସୁଭଦ୍ରା ଓ ପଛରେ ହଲି ହଲି ଆସିଥିଲେ କାଳିଆ ଠାକୁର । ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା, ଖୋଳତାଳ ଏବଂ ସଙ୍କୀର୍ତ୍ତନରେ ଫାଟି ପଡ଼ିଥିଲା ପାବନ କ୍ଷେତ୍ର ।

କୋଟ ସମଳାଇର ଏହି ଛଳିଆ ପାହାଡ଼ରେ କାଳିଆ ଠାକୁର ପାତାଳୀ ଲୀଲା କରିଥିଲେ । ଯେୁଁଥି ପାଇଁ ଏହାର ନା ହୋଇଛି ପାତାଳୀ ଶ୍ରୀକ୍ଷେତ୍ର । କିଛି ବର୍ଷ ତଳେ ପୁରୀ ଶ୍ରୀମନ୍ଦିର ତରଫରୁ ଏଟାରେ ତିନି ବିଗ୍ରହଙ୍କୁ ପ୍ରତିଷ୍ଠା କରାଯାଇଥିଲା । ଯେଉଁଥିରେ ପୁରୀ ଗଜପତି ଦିବ୍ୟସିଂହ ଦେବ ସାମିଲ ଥିଲେ । ସେହିଦିନ ଠାରୁ ଶ୍ରୀମନ୍ଦିର ରୀତିନୀତିରେ ଏଠାରେ ପାଳନ ହୋଇ ଆସୁଛି ରଥଯାତ୍ରା । ପ୍ରାକୃତିକ ପରିବେଶରେ ହେଉଥିବା ଏହି ରଥଯାତ୍ରା ଦେଖିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ୍ ହୋଇଥିଲେ ।

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବ ଜୀଉ ପୀଠ : କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବ ଜୀଉ ମନ୍ଦିରରେ ଆରମ୍ଭ ହୋଇଛି ରଥଟଣା । ସକାଳୁ ମହାପ୍ରଭୁଙ୍କ ନୀତି ସ୍ନାନ ପରେ ବଲ୍ଲଭ ଧୂପ, ଖେଚେଡ଼ି ଧୂପ ହୋଇଥିଲା । ପରେ ଚେନାପଟା ଲାଗି ଏବଂ ମଙ୍ଗଳାର୍ପଣ ହେଲା । ବର୍ଷା ଯୋଗୁଁ ପହଣ୍ଡିରେ ବିଳମ୍ବ ହୋଇଥିଲା । ଅପରାହ୍ନ ୪ଟାରେ ପହଣ୍ଡି ପରେ ରଥରୁ ଖୋଲା ଯାଇଥିଲା ଚାରମାଳ । ଛେରା ପହଁରା ପରେ ରଥ ଟଣାଯାଇଛି । ପରମ୍ପରା ଅନୁୟାୟୀ ଏଠି ପ୍ରଥମ ଦିନରେ ତିନି ଠାକୁରଙ୍କ ରଥ ଦେବୋତ୍ତର କାର୍ଯ୍ୟାଳୟ ପାଖରେ ରହିଛନ୍ତି । ଆସନ୍ତାକାଲି ମଧ୍ୟାହ୍ନ ୨ଟାରେ ପୁଣି ରଥଟଣା ଆରମ୍ଭ ହେବ ।

 

Leave A Reply

Your email address will not be published.